ପାକିସ୍ତାନ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର କୋହାଟ ଜିଲ୍ଲାରେ ଶୁକ୍ରବାର ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ପୁଲିସ ଲାଇନ ନିକଟରେ ଲୋକମାନେ ପ୍ରାର୍ଥନା କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିବା ବେଳେ ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ପ୍ରାରମ୍ଭିକ ସୂଚନା ଅନୁସାରେ, ବିସ୍ଫୋରଣ ପରେ ଗୁଳିଚାଳନାର ଶବ୍ଦ ମଧ୍ୟ ଶୁଣାଯାଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଖବର ପାଇ ପୁଲିସ, ସେନା ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ କ’ଣ ଏବଂ ଏହା ପଛରେ କାହାର ହାତ ରହିଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଜାରି ରହିଛି।