ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଜ, ଦେଓରଂଜନ, ମାଥି ଗେହ୍ଲାପୁଅ!

0
  • ବର୍ଷବର୍ଷ ଧରି ବଦଳି ସାମ୍ନା କରୁନାହାନ୍ତି ଏସବୁ ବାବୁ
  • ଅବସର ପରେ ବି ଦୀପକଙ୍କର ବାରମ୍ବାର ବଢୁଛି କାର୍ଯ୍ୟ ଅବଧି

ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ଅଫିସର ଯୁଗଳ କିଶୋର ମହାପାତ୍ର ୨୦୧୩ ମସିହା ଜୁନମାସରେ ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ। ଶ୍ରୀ ମହାପାତ୍ରଙ୍କ ପରେ ଗୋକୁଳ ପତି, ଆଦିତ୍ୟ ପ୍ରସାଦ ପାଢୀ ଏହି ପଦବିରେ ଲମ୍ବା ସମୟ ଧରି ରହିଛନ୍ତି। ବର୍ତମାନର ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀ ବି ଗତବର୍ଷ ଅଗଷ୍ଟ ମାସରୁ ମୁଖ୍ୟସଚିବ ରହିଛନ୍ତି। ହେଲେ ୨୦୧୩ ମସିହା ଜୁନ୍ ପହିଲାରୁ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସଚିବ ଭାବେ ଦେଓରଂଜନ ସିଂହଙ୍କୁ କିନ୍ତୁ କେହି ବଦଳାଇ ପାରିନାହାନ୍ତି। ପଞ୍ଚାୟତିରାଜ ବିଭାଗ ଚଳାଇବା ଲାଗି ସ୍ବତନ୍ତ୍ର ଦକ୍ଷତା କାରଣରୁ ତାଙ୍କୁ ବଦଳାଯାଉନି କି ଆଉ କଣ କାରଣ, ତାହା କାହାକୁ ଜଣାନାହିଁ। କିନ୍ତୁ ପ୍ରଶାସନିକ କରିଡରରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଦେଓରଂଜନ ହେଉଛନ୍ତି, ରାଜ୍ୟ ସରକାରଙ୍କର ଗେହ୍ଲା ପୁଅ। ସମାଲୋଚକମାନେ ଆଉ ପାଦେ ଆଗକୁ ଯାଇ କହୁଛନ୍ତି ଯେ ରାଜ୍ୟରେ ଗ୍ରାମପଞ୍ଚାୟତ ଚେହେରା ପଛେ ନ ବଦଳୁ, କିନ୍ତୁ ରାଜ୍ୟ ସରକାରଙ୍କ ଆଖିରେ ପଞ୍ଚାୟତିରାଜ ସଚିବଙ୍କ କାର୍ଯ୍ୟ ବେଶ୍ ଆକର୍ଷଣୀୟ ଥିବା କାରଣରୁ ତାଙ୍କୁ ସରକାର ବଦଳାଉନାହାନ୍ତି। ଏପରିକି ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ବି।

କେବଳ ସରକାରରେ ଦେଓରଂଜନ ଯେ ଏକା ଭାଗ୍ୟବାନ ତାହା ନୁହେଁ, ଏହି ବର୍ଗରେ ଆଉ ଦୁଇ ତିନି ଜଣ ଅଧିକାରୀଙ୍କ ନାମ ଆସୁଛି। ସେମାନେ ସରକାରଙ୍କର ସବୁଠାରୁ ପ୍ରଭାବୀ ଅଧିକାରୀ ବୋଲି କୁହାଯାଉଛି। ଏଇ ଯେମିତି ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟାର ଅଧିକାରୀ ରାଜ କୁମାର ଶର୍ମା। ଖଣି ଦୁର୍ନୀତି ପରେ ଶ୍ରୀ ଶର୍ମାଙ୍କୁ ରାଜ୍ୟ ସରକାର ଏହି ବିଭାଗର ଦାୟିତ୍ବ ଦେଇ ଭୁଲିଯାଇଛନ୍ତି। କୌଣସି ବଦଳି ତାଲିକା ପ୍ରସ୍ତୁତ ବେଳେ ତାଙ୍କ କଥା ସରକାରଙ୍କ ମନକୁ ଆସୁନି। ଅବଶ୍ୟ ଦେଓରଂଜନଙ୍କ ତୁଳନାରେ ରାଜକୁମାରଙ୍କର ଦକ୍ଷତା ବେଶ୍ ଉଲ୍ଲେଖନୀୟ। ଅର୍ଥନୀତି ଓ ଏମବିଏ ଛାତ୍ର ରାଜକୁମାରଙ୍କୁ ସରକାରଙ୍କ ତିରୋଟ ସମୟରେ ଅର୍ଥ ବିଭାଗରେ ନିଯୁକ୍ତି ଦିଆଯାଇଥିଲେ, ସରକାର ଅଧିକ ସଫଳତା ପାଇଥାନ୍ତେ ବୋଲି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମତ ରଖନ୍ତି।

ସେହିଭଳି ଜି ମାଥିଭାତନନ୍ ୨୦୧୪ ଅଗଷ୍ଟ ୧୯ରେ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ବ ନେଇଥିଲେ। ସରକାର ତାଙ୍କୁ ଅନ୍ୟ କୌଣସି ବିଭାଗରେ କାର୍ଯ୍ୟ କରିବା ଲାଗି ଯୋଗ୍ୟ ଭାବୁନାହାନ୍ତି କି? କାରଣ ଇତିମଧ୍ୟରେ ବହୁତ ବରିଷ୍ଠ ଓ ଦକ୍ଷ ଅଧିକାରୀଙ୍କୁ ଏକାଧିକବାର ବଦଳି କରାଯାଇଥିବା ବେଳେ ଏହି ଅଧିକାରୀ ଏଠାରୁ ବଦଳି ହେଉନାହାନ୍ତି କାହିଁକି, ତା ରହସ୍ୟ କେହି ବୁଝିପାରୁନାହାନ୍ତି। ୨୦୧୬ରୁ ବିଜୟ ଆରୋରାଙ୍କୁ ସରକାର ସାଧାରଣ ଉଦ୍ୟୋଗ ବିଭାଗରେ ପକାଇ ରଖିଛନ୍ତି।

ଗୋଟିଏ ପଟେ ଖଣି ନିର୍ଦେଶକ ଭାବେ ଅବସର ନେବା ପରେ ବି ଆଇଏଫ୍ଏସ୍ ପାହ୍ୟାର ଅଧିକାରୀ ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳକୁ ସରକାର ବାରମ୍ବାର ବଢାଇ ଚାଲିବା, ଅନ୍ୟପଟରେ ଏକାଧିକ ଅଧିକାରୀଙ୍କୁ ଗୋଟିଏ ଗୋଟିଏ ପଦରେ ବେଶ୍ କିଛି ବର୍ଷ ଧରି ରଖାଯିବା ଘଟଣା କେଉଁଠି ନା କେଉଁଠି ସୂଚାଉଛି ଯେ ଆଇଏଏସ୍ ଅଫିସର ନିଯୁକ୍ତି ବା ବଦଳି କ୍ଷେତ୍ରରେ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟ ସର୍ବନିମ୍ନ ଶୃଙ୍ଖଳା ରକ୍ଷା କରିବାରେ ସମର୍ଥ ହୋଇପାରିନାହାନ୍ତି।

ଖୋଦ୍ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ପ୍ରଦୀପ କୁମାର ଜେନା, ମୋନା ଶର୍ମା ପ୍ରମୁଖ ଇତିମଧ୍ୟରେ ଏକାଧିକ ବଦଳି ନେଇସାରିଛନ୍ତି। ଏସବୁ ବାବୁଙ୍କ କ୍ଷେତ୍ରରେ ଏହାର କାହିଁକି ବ୍ୟତିକ୍ରମ, ତାହା ସବୁ ମହଲକୁ ବିସ୍ମିତ କରିବା ସ୍ବାଭାବିକ।

ଗୋଟିଏ ପଟେ ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ଉତ୍ତରଦାୟୀ ପ୍ରଶାସନ କଥା କହୁଥିବା ବେଳେ ଏ କ୍ଷେତ୍ରରେ ବିଭାଗର ପ୍ରଦର୍ଶନ ନେଇ କାହା ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ ହେବ, ତାହା କିଏ କାହାକୁ ବୁଝାଇ କହିବ?

Leave A Reply

Your email address will not be published.