ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଚିନ୍ତା ବଢାଇଲା ଚତୁର୍ଥ ଆସନ

0
  • ବିଧାନସଭା ସଂଖ୍ୟା ଦୃଷ୍ଟିରୁ କାହା ସପକ୍ଷରେ ଯାଉନି ଚତୁର୍ଥ ଆସନ
  • ପ୍ରଥମ ତିନିଟି ଆସନ ବିଜେଡିକୁ ଯିବା ନିଶ୍ଚିତ, ଅକଳରେ କଂଗ୍ରେସ
  • ବିଜେଡିକୁ ସମର୍ଥନ କଲେ ମନା, ଅନୁପସ୍ଥିତ ରହିଲେ ସମାଲୋଚନା ଡର
  • ବିଜେପି-ବିଜେଡି ମିଶିକି ଲଢିଲେ, ଚତୁର୍ଥ ଆସନ ପଦ୍ମ ନେଇପାରେ
  • ନବୀନଙ୍କ ପାଇଁ ସମ୍ମାନଜନକ ବିକଳ୍ପ, ନାମକରା ସ୍ବାଧୀନ ପ୍ରାର୍ଥୀଙ୍କୁ ଦେବେ

ଭୁବନେଶ୍ବର: ଓଡ଼ିଶାରେ ଖାଲି ପଡୁଥିବା ଚାରିଟି ରାଜ୍ୟସଭା ଆସନ ଲାଗି ଯେ କୌଣସି ମୁହୂର୍ତରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ଭାରତର ନିର୍ବାଚନ କମିସନ। ଏପ୍ରିଲ ୨ ତାରିଖରେ ସାଂସଦମାନଙ୍କ କାର୍ଯ୍ୟ ଶେଷ ହେଉଥିବା କାରଣରୁ ମାର୍ଚ ମାସରେ ନିର୍ବାଚନ ହେବା ନିଶ୍ଚିତ। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଗଲାଣି।

ଏହି ନିର୍ବାଚନଟି ଏଇଥିପାଇଁ ରୋଚକ ସ୍ଥିତିକୁ ଚାଲିଯାଇଛି, ଯେହେତୁ ଚତୁର୍ଥ ଆସନଟି ଲାଗି କାହା ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ପ୍ରଥମ ତିନିଟି ଆସନରେ ବିଜେଡି ଜିତିବା ଥୟ। ହେଲେ ଚତୁର୍ଥ ଆସନ ହାତେଇବାକୁ ହେଲେ ଦଳ ପାଇଁ ୭ଜଣ ବିଧାୟକଙ୍କ ସମର୍ଥନ ଲୋଡା। ଫଳରେ ଏହି ଆସନଟି କାହା ପାଖକୁ ଯିବ, ତାହାକୁ ନେଇ ରାଜ୍ୟ ରାଜନୀତିରେ ଅଙ୍କକଷା ଆରମ୍ଭ ହୋଇଛି।

ବିଧାନସଭାରେ ବିଜେଡିର ୧୧୩ ସଂଖ୍ୟା ଅଛି। ଚତୁର୍ଥ ଆସନଟି ଦଳ ହାତେଇବା ପାଇଁ ଦୁଇଟି ରାସ୍ତା। ପ୍ରଥମତଃ ଦଳ ୭ଜଣ ସଦସ୍ୟଙ୍କ ସିଧାସଳଖ ସମର୍ଥନ ହାସଲ କରିବ। ଅନ୍ୟଥା ୯ ଜଣ ସଦସ୍ୟ ବିଶିଷ୍ଟ କଂଗ୍ରେସ ବିଧାୟକମାନେ ଗୃହରେ ଅନୁପସ୍ଥିତ ରହିବେ। ଏହି ଦୁଇଟି ଯାକ ଅସମ୍ଭବ ମନେ ହେଉଛି। ଯଦିଓ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଇତିମଧ୍ୟରେ ବିଜେଡି ସପକ୍ଷରେ ଯିବା ସମ୍ଭାବନା ସୃଷ୍ଟି ହୋଇଛି, କଂଗ୍ରେସ ନିର୍ବାଚନରୁ ଶତ ପ୍ରତିଶତ ଦୂରେଇଯିବା ସମ୍ଭାବନା କମ୍। କାରଣ ବିଜେଡିକୁ ଏହା ପ୍ରତ୍ୟକ୍ଷ ସମର୍ଥନ ଦେବା ଭଳି କଥା ହେବ, ଯାହା ଦଳକୁ ଆହୁରି ରସାତଳଗାମୀ କରିଦେଇପାରେ।

ସେପଟେ ଏହି ଆସନଟି ହାତେଇବା ଲାଗି ବିଜେପି ପାଖରେ ମଧ୍ୟ ଆବଶ୍ୟକ ସଂଖ୍ୟା ନାହିଁ। ଗତଥର ଭଳି ଏଥର ବିଜେଡି-ବିଜେପି ମିଶିକି ଆସନ ଦେବେ କି ନାହିଁ, ସେ ନେଇ କେନ୍ଦ୍ରୀୟ ବିଜେପି ନେତାମାନେ ମୁହଁ ଖୋଲିନାହାନ୍ତି। ଏଣୁ ବିଜେଡି ସମୁଦାୟ ୪ଟି ଆସନ ଉପରେ ନଜର ରଖି ନିର୍ବାଚନ ଗୋଟିଚାଳନା ଆରମ୍ଭ କରିଛନ୍ତି। ଯଦି ବିଜେପି-ବିଜେଡି ମଧ୍ୟରେ ବୁଝାମଣା ହୁଏ, ତେବେ ପୂର୍ବତନ ପ୍ରଶାସକ ଅଶ୍ବିନୀ ବୈଷ୍ଣବଙ୍କ ଭଳି ବିଜେପି ଏହି ଆସନରେ ଆଉ ଜଣେ କାହାକୁ ସହଜରେ ପଠାଇପାରିବ। କଂଗ୍ରେସ ସମର୍ଥନ ବିଜେପି ସପକ୍ଷରେ ଯିବା କ୍ଷୀଣ ହୋଇଥିବାରୁ ଏହା ବିଜେପି ପାଇଁ ଗୋଟିଏ ରାସ୍ତା।

ଏସବୁକୁ ଦୃଷ୍ଟିରେ ରଖି ବିଜେଡି ଭିନ୍ନ ଏକ ଗୋଟିଚାଳନା କରିବା ଲାଗି ବିଚାର ଚଳାଇଛି। ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବଙ୍କୁ ପୂର୍ବତନ ସାଂସଦ ଏ ଭି ସ୍ବାମୀଙ୍କ ଭଳି ସ୍ବାଧୀନ ଭାବେ ଠିଆ କରାଇପାରେ। ଏହା ହେଲେ ସଂପୃକ୍ତ ସାଂସଦ ପ୍ରାର୍ଥୀଙ୍କୁ ବିଜେପି ନ ହେଲେ ବି କଂଗ୍ରେସ ଯଦି ସମର୍ଥନ ଦେବ, ତେବେ ସେ ଜିତିଯାଇପାରନ୍ତି। ଏଭଳି କ୍ଷେତ୍ରରେ ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଓ ଶିଳ୍ପପତି ତାରା ପ୍ରସାଦ ପଟ୍ଟନାୟକଙ୍କ ନାମ ଚର୍ଚ୍ଚାକୁ ଆସୁଛି।

ଏମିତିରେ ବି ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀପ ନବୀନ ନିବାସ ଯାଇ ବିଜେଡି ମୁଖିଆଙ୍କ ସହ ଆଲୋଚନା କରିଛନ୍ତି ଓ ଗତ ନିର୍ବାଚନରେ ରାଉରକେଲାରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ତାଙ୍କ ସମର୍ଥକମାନଙ୍କ ଭୂମିକା ଉଲ୍ଲେଖନୀୟ। ସେ ବିଜେପି ଛାଡିସାରିଛନ୍ତି। ସେହିଭଳି ତାରା ପଟ୍ଟନାୟକ ପୂର୍ବରୁ ରାଜ୍ୟସଭା ନିର୍ବାଚନ ଲଢି ଗୋଟିଏ ମାତ୍ର ଭୋଟରେ ହାରିଥିଲେ। ଏବେ କିନ୍ତୁ ତାରାଙ୍କ ସହ ସରକାରଙ୍କ ସଂପର୍କ ବେଶ୍ ଭଲ ଅଛି।

ବିଜେଡିର ଗୋଟିଏ ଗୋଷ୍ଠୀ ଏହି ଆସନରେ ନୀଳମାଧବ ପଣ୍ଡାଙ୍କ ନାମ ରଖି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଛନ୍ତି। ହେଲେ ଦିଲ୍ଲୀପ କିମ୍ବା ତାରା ଯେମିତି ସମର୍ଥନ ଯୋଗାଡ କରିପାରିବେ, ସେଭଳି ସ୍ଥିତି ନୀଳମାଧବଙ୍କ ସପକ୍ଷରେ ଯିବ ନାହିଁ। ଏମିତିରେ ବି ନୀଳମାଧବ ପଣ୍ଡା ବିଜେଡି କରିଡରରେ ଅତ୍ୟନ୍ତ ନିକଟତମ ହୋଇଥିଲେ ବି ରାଜ୍ୟବାସୀ ତାଙ୍କୁ ନେଇ ସେଭଳି ଉତ୍ସାହିତ ନୁହଁନ୍ତି।

ନବକଳେବର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଗୋଟିଏ ପ୍ରକଳ୍ପ କରାଇ ସେ ରାଜ୍ୟବାସୀଙ୍କୁ ଯେମିତି ଭୁଆଁ ବୁଲାଇଛନ୍ତି, ତାହା ପୂର୍ବରୁ କେବେ ହୋଇନଥିଲା। ମହାପ୍ରଭୁଙ୍କ ନାମରେ ପ୍ରତାରଣାକୁ ରାଜ୍ୟବାସୀ ସହଜରେ ଗ୍ରହଣ କରୁନାହାନ୍ତି। ନବକଳେବର ସଂକ୍ରାନ୍ତ ଫିଲ୍ମ ରାଜ୍ୟର ସବୁ ଅଞ୍ଚଳରେ ପ୍ରସାରଣ ପାଇଁ ସରକାର ସେତେବେଳେ କହିଥିଲେ। ଏଥିପାଇଁ ବେଶ୍ ଭଲ ଦି ପଇସା ବି କମାଇଥିଲେ ନୀଳମାଧବ। ଅନ୍ତର୍ଜାତୀୟସ୍ତରରେ ଏହା ନା ପ୍ରସାରଣ ହେଲା ନା ରାଜ୍ୟରେ। ଏଥିରେ ରାଜ୍ୟ ସରକାର ଠକାମିରେ ପଡିଥିବା ସଂସ୍କୃତି ପ୍ରେମୀ ଅଭିଯୋଗ କରିଆସୁଛନ୍ତି। ସେ କ୍ଷେତ୍ରରେ ସବ୍ୟସାଚୀ ମହାପାତ୍ରଙ୍କ ଭଳି ଆହୁରି ଟାଣୁଆ ବ୍ୟକ୍ତିତ୍ବ ବି ଅଛନ୍ତି, ଯାହାର ଚାରି ଚାରିଟି ଚିତ୍ର ଅନ୍ତର୍ଜାତିକ ସମ୍ମାନ ଗୋଟାଇଛି। ଏଣୁ ନୀଳମାଧବଙ୍କ ପାଇଁ ଯେ ଅତ୍ୟନ୍ତ ସହଜ ସ୍ଥିତି ହେବ ତାହା ଏବେଠୁ କହିବା ମୁସ୍କିଲ।

ଏପରିସ୍ଥଳେ ବିଜେଡି ସୁପ୍ରିମୋ କାହା ସପକ୍ଷରେ ଓ କିଭଳି ଗୋଟିଚାଳନା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ସାଂସଦ ନରେନ୍ଦ୍ର ସ୍ବାଇଁ, ସରୋଜିନୀ ହେମ୍ବ୍ରମ୍, କଂଗ୍ରେସ ସାଂସଦ ରଂଜୀବ ବିଶ୍ବାଳଙ୍କର କାର୍ଯ୍ୟକାଳ ସରିବ। ପୂର୍ବରୁ ଏକ ବର୍ଷରୁ କମ୍ ସମୟ କାର୍ଯ୍ୟକାଳ ଥିବା ବେଳେ ଅନୁଭବ ମହାନ୍ତି ରାଜ୍ୟସଭା ଛାଡି ଲୋକସଭାରେ ନିର୍ବାଚନରେ ନିର୍ବାଚିତ ହୋଇଥିବା ପରିପ୍ରେକ୍ଷୀରେ ସେ ଆସନରେ ନିର୍ବାଚନ ହୋଇନଥିଲା।

Leave A Reply

Your email address will not be published.