ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ସବୁଦିନ ପାଇଁ ମନେ ରହିବା ଭଳି କଥା

0

ଭୁବନେଶ୍ବର: ୨୦୨୦ ଫେବ୍ରୁଆରି ୨୮ ଓ ୨୯ ତାରିଖ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ଦିବସ ଭାବେ ଲିପିବଦ୍ଧ ରହିବ। ପୂର୍ବାଞ୍ଚଳ ପରିଷଦ ବୈଠକ କିମ୍ବା ନିବାସରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପିର ଦୁଇ ଶୀର୍ଷ ନେତୃତ୍ବ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟାହ୍ନ ଭୋଜନ ଏକମାତ୍ର କାରଣ ନୁହେଁ। ଅଥବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କିମ୍ବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିକୁ ଏକ ଉଲ୍ଲେଖନୀୟ ଦିଗ ଭାବେ ରାଜନୈତିକ ମହଲ ବିଚାର କରୁନାହାନ୍ତି। ଏହି ଦିନଟି ଏଇଥିପାଇଁ ଲୋକେ ମନେ ରଖିବେନି ଯେ ବିଜେପିର ଚାଣକ୍ୟ ବିଜେଡି ସହିତ ବୁଝାମଣା ରାଜନୀତିରେ ରହିଲେ।

ବରଂ ଏଇଥିପାଇଁ ମନେ ରଖିବେ ଯେ ପ୍ରକୃତରେ ଓଡ଼ିଶା ବିରୋଧୀ ଦଳ ଶୂନ୍ୟ ହୋଇଯାଇଛି। ନବୀନ ପୂର୍ବରୁ କଂଗ୍ରେସ ଦଳକୁ ଓଡ଼ିଶା ରାଜନୀତିରେ ନିଷ୍ପ୍ରଭ କରିଦେଇଥିଲେ ଓ ଏବେ ବିଜେପି ଭଳି ଅତ୍ୟନ୍ତ ପ୍ରଭାବୀ ଦାବି କରୁଥିବା ରାଜନୈତିକ ଦଳକୁ ଅତି କମ୍ ସମୟରେ ନିଜ ଅକ୍ତିଆରକୁ ଆଣିବାରେ ସକ୍ଷମ ହୋଇଛନ୍ତି। ଏଇଥିପାଇଁ ୨୮ ଓ ୨୯ ତାରିଖକୁ ଓଡ଼ିଶାବାସୀ ମନେ ରଖିବେ ଯେ ଖୋଲା ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶାର ଗାନ୍ଧୀ ବୋଲି ସମ୍ବୋଧିତ କଲେ ଓ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ କରୁଥିବା ବିଜେଡିର କାହା ଦେହକୁ ଏହା ଲାଗିଲା ନାହିଁ। ଯେଉଁ ନେତାଙ୍କୁ ବିଜେଡି ସରକାର ସମୟରେ ଅତି ସମ୍ବେଦନଶୀଳ ଦୁଇଟି ମାମଲାରେ ଜଡିତ କରାଯାଇଥିଲା, ତାଙ୍କୁ ମହାତ୍ମାଗାନ୍ଧୀଙ୍କ ସହିତ ଯୋଡି ଦିଆଗଲା, ଅଥଚ ନବୀନ କହିଲେନି କି ତାଙ୍କ ଟିମର ଜଣେ ବି କେହି ପ୍ରତିବାଦ କରିବା ଦେଖାଗଲା ନାହିଁ। ଏଇଥିପାଇଁ ଓଡ଼ିଶା ମନେ ରଖିବ ଯେ ସତରେ ରାଜ୍ୟବାସୀ ୯ଜଣ ବିଧାୟକ ଓ ଜଣେ ସାଂସଦଙ୍କୁ ଜିତାଇ କଂଗ୍ରେସକୁ ଯେଉଁ ଉଚିତ୍ ଶିକ୍ଷା ଦେବାକୁ ଚେଷ୍ଟା କରିଛନ୍ତି, ତାହା ଆଦୌ ଭୁଲ ନୁହେଁ। ଅନ୍ୟଥା କଂଗ୍ରେସ ଦଳର ବି ଜଣେ ନେତା ଏ ନେଇ ସ୍ବର ଉତ୍ତୋଳନ କରିନଥାନ୍ତେ?

ଏଇଥିପାଇଁ ଏହି ଦିନ ମନେ ରହିବ ଯେ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗଲା ବେଳେ ସରକାରୀ ଅଧିକାରୀମାନେ ତାଙ୍କୁ ରେଡ୍ କାର୍ପେଟ ପକାଇ ଶ୍ରୀମନ୍ଦିର ସାମ୍ନାରେ ସ୍ବାଗତ କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅନୁରକ୍ତିର ମାତ୍ରା ବୁଝାଇବା ଲାଗି ଏହାଠାରୁ ଆଉ ବଡ଼ ଉଦାହରଣ ଆଉ କଣ ହୋଇପାରେ।

ଓଡ଼ିଶା ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧାରଣ ଲୋକେ ଅତି ଉଚ୍ଚାସନ ଦେଇଛନ୍ତି। ନବୀନ ଯେ କେବଳ ସେମାନଙ୍କ କଥା ବୁଝିବେ ଏ ଆଶା ସେମାନଙ୍କର ରହିଛି। ଓଡ଼ିଶାର ସ୍ବାଭିମାନ ସହିତ ନବୀନ କେବଳ ଖେଳୁଆଡ ନୀତି ଆପଣେଇବେନି, ଏ ବିଶ୍ବାସ ରାଜ୍ୟବାସୀଙ୍କର ଅଛି। ଚିଟଫଣ୍ଡ ଭଳି ଅତି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେଡିକୁ ଯେତେବେଳେ ବିଜେପି ସରକାର ଖିନଭିନ୍ କରିବାକୁ ଚାହିଁଲେ, ସେତେବେଳେ ଲୋକେ ବିଜେପି ଆଡକୁ ଢଳି ଯାଇନଥିଲେ। ପଞ୍ଚାୟତ ନିର୍ବାଚନରେ ଚେତାଇ ଦେଲେ ଓ ଦଳକୁ ସଜାଡିବା ଲାଗି ସଙ୍କେତ ଦେଲେ, ଅଥଚ ସାଧାରଣ ନିର୍ବାଚନରେ ନବୀନଙ୍କ ପକ୍ଷରେ ରହିଲେ। ଯଦିଓ ନିର୍ବାଚନ ପ୍ରକ୍ରିୟା ଭିତରେ ହିଁ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀଙ୍କୁ ସିବିଆଇ ନୋଟିସ କରିଥିବା ଖବର ଆସିଲା। ଯେଉଁ ନେତାମାନଙ୍କୁ ସିବିଆଇ ଟାଣିବାକୁ ଚେଷ୍ଟା କରିଥିଲା, ସେମାନେ ସମସ୍ତେ ଏବେ ବି ବିଜେଡି ବିଧାୟକ ଅଛନ୍ତି। ଗିରଫ ହୋଇଥିବା ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ବାଳଙ୍କ ପୁଅକୁ ଜିତାଇବା ବେଳେ ଭୋଟର ବିଜେଡିର ସପକ୍ଷରେ ଅଛନ୍ତି। ଏବେ କେଉଁ ସ୍ବାର୍ଥରେ ରାଜ୍ୟ ସରକାର ରାଜ୍ୟର ସ୍ବାଭିମାନ ସହିତ ସାଲିସ କରିବାକୁ ଚାହୁଁଛନ୍ତି, ତାହା ଏବେ ବୁଦ୍ଧିଜୀବୀ ଓ ତଥ୍ୟାଭିଜ୍ଞ ମହଲକୁ ଆଚମ୍ବିତ କରୁଛି।

ଏହି ଘଟଣାକୁ ନେଇ ବିଜେଡିର ଆଭ୍ଯନ୍ତରୀଣ ରାଜନୀତି ବେଶ୍ ଗରମ ହୋଇଗଲାଣି। ବିଜେପି କର୍ମୀଙ୍କ ଭିତରେ ବି ସେମାନଙ୍କ ନେତୃତ୍ବର ଆଚରଣକୁ ନେଇ ପ୍ରଚଣ୍ଡ କ୍ଷୋଭ। ନେତାମାନଙ୍କ ଭିତରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏବେ ପ୍ରଶ୍ନ ଉଠିଲାଣି ବିଜେଡି-ବିଜେପି ସଂପର୍କ ବଢିବା ପଛର ରାଜ୍ୟର ସ୍ବାର୍ଥ ଅଛି ନା ଆଉ କିଛି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ବାର୍ଥ ପାଇଁ ଶହ ଶହ ପ୍ରକଳ୍ପ ଘୋଷଣା କରୁଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର କେଉଁ ଗୋଟିଏ ଦାବିକୁ ବି ଅଗ୍ରାଧିକାର ଦେଉନାହାନ୍ତି। ବିଜେଡି କେନ୍ଦ୍ର ବିରୋଧରେ ନ ଯାଇ ସପକ୍ଷରେ କାହିଁକି?

Leave A Reply

Your email address will not be published.