ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ମୋଦୀ, ନବୀନ ଓ ଧର୍ମେନ୍ଦ୍ର ଭଲ ବନ୍ଧୁ

0

ଭୁବନେଶ୍ବର: ଆମ ଘରମାନଙ୍କରେ ବନ୍ଧୁତା ସଂପର୍କରେ ଯେତେବେଳେ ଚର୍ଚ୍ଚା ହୁଏ, ସେତେବେଳେ ଦୁଇଟି କଥା ଅବଶ୍ୟ ଆଲୋଚନା ଛଳରେ ବ୍ୟବହାର କରିଥାନ୍ତି। ପ୍ରଥମଟି ହେଲା, ସଂପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା..। ଦ୍ବିତୀୟଟି …ରାଜଦ୍ବାରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବଃ।

ଓଡ଼ିଶା ରାଜନୀତିକୁ ନିରୀକ୍ଷଣ କଲେ ଏସବୁ ଉକ୍ତି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମୁଣ୍ଡକୁ ଆପେ ଚାଲିଆସୁଛି। ରାଜ୍ୟ ରାଜନୀତି ପାଇଁ ଅତି ଗୁରୁତ୍ବ ବହନ କରୁଥିବା ତିନି ଜଣ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ନଜର ପକାଇଲେ, ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପର୍କ ଏହି ମାପକାଠିରେ ମାପିବାର ବେଳ ଆସିଛି। ଏହି ତିନିଜଣ ନେତା ଏଭଳି ବନ୍ଧୁତା ସୂତ୍ରରେ ବାନ୍ଧି ହୋଇଛନ୍ତି, ଯାହା ଏବେ ରାଜ୍ୟ ରାଜନୀତିରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି, ଜାଚୀୟ ରାଜନୀତିରେ ମଧ୍ୟ।

ପ୍ରଧାନମନ୍ତ୍ରୀ ଏ ମଧ୍ୟରେ ଏକାଧିକ ବାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେଣି। ସଂସଦରେ ବିଜେଡିର ପ୍ରଦର୍ଶନ ହେଉ କି କରୋନା ମୁକାବିଲା କ୍ଷେତ୍ରରେ ମାତ୍ରାଧିକ ସତର୍କତା ଅବଲମ୍ବନ କ୍ଷେତ୍ରରେ ନବୀନଙ୍କ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ମନକୁ ଯାଇଛି। ଜଣେ ରାଷ୍ଟ୍ରୀୟ ନେତାର ଦୃଷ୍ଟିକୋଣରେ ନବୀନ ଏସବୁ ପଦକ୍ଷେପ ନେଇଛନ୍ତି ଓ ସମସ୍ତଙ୍କ ଠାରୁ ଆଗରେ ଏକଥା ବିରୋଧୀ ପକ୍ଷ ମଧ୍ୟ ସ୍ବୀକାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ବି ଅଯାଚିତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ଦେବାକୁ ଭୁଲିନାହାନ୍ତି। ଆଉ ଟିକେ ନିରେଖି ଦେଖିଲେ ଫନି ଠାରୁ କରୋନା ପର୍ଯ୍ୟନ୍ତ ସବୁ ବିପର୍ଯ୍ୟୟ ବେଳେ କେନ୍ଦ୍ର ଯେଭଳି ଓଡ଼ିଶା ସାଥିରେ ଠିଆ ହୋଇଛି, ଠିକ୍ ସେହିଭଳି ସିଏଏ ପ୍ରସଙ୍ଗ ଠାରୁ ଧାରା ୩୭୦ ଉଚ୍ଛେଦ ପର୍ଯ୍ୟନ୍ତ କେନ୍ଦ୍ରର ସବୁ ବିପଦ କାଳରେ ନବୀନ ସମର୍ଥନ ଦେବାରେ ଆଦୌ କାର୍ପଣ୍ୟ କରିନାହାନ୍ତି।

ନିର୍ବାଚନ ସମୟରେ ମାତ୍ରାଧିକ ଶତ୍ରୁତା ପ୍ରଦର୍ଶନ କରି ବିରୋଧୀ ପକ୍ଷର ଭୂମିକାର ସୀମା ତିଆରି କରିଥିବା ଏହି ଦୁଇ ନେତାଙ୍କ ପରବର୍ତୀ ସମୟର ଆଚରଣ ଓ ଉଚ୍ଚାରଣ ସୂଚାଇ ଦେଉଛି ଯେ ଏହି ଦୁଇ ରାଜନୈତିକ ଦଳର ନେତା ଗଣତାନ୍ତ୍ରିକ ମୂୁଲ୍ୟବୋଧର ଶ୍ରେଷ୍ଠତା ପ୍ରଦର୍ଶନ କରୁଛନ୍ତି। ପରସ୍ପର ବିପରୀତ ମୁଖୀ ଆଦର୍ଶକୁ ପାଥେୟ କରିଥିଲେ ହେଁ ଉଭୟ ରାଜ୍ୟ ଓ ସର୍ବୋପରି ଜାତୀୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ପ୍ରଦର୍ଶନ କରୁଥିବା ଦେଖାଯାଉଛି। ନିହାତି ସମାଲୋଚନା ନ କରି ଉଭୟଙ୍କ ସଂପର୍କ ପଛର ଏହି ଗୁରୁତ୍ବପୂର୍ଣ୍ଣ ଦିଗକୁ ସ୍ବୀକାର କରିବା ଲାଗି ବିରୋଧୀ ସାହାସ ଦେଖାଇବା ଉଚିତ ବୋଲି ରାଜନୈତିକ ପଣ୍ଡିତମାନେ ଖୋଲାଖୋଲି କହିଲେଣି।

କେବଳ ଯେ ନବୀନ-ମୋଦୀ ପରସ୍ପରର ଦାୟିତ୍ବ ସଂପର୍କରେ ସତର୍କ ଅଛନ୍ତି ତା ନୁହେଁ, ନବୀନ-ଧର୍ମେନ୍ଦ୍ରଙ୍କ ସଂପର୍କର ଧାରା, ଏ ଦୃଷ୍ଟିରୁ କୌଣସି ଗୁଣରେ ଊଣା ବୋଲି କହିହେବନାହିଁ। ଏକଥା ସତ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚୌକି ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ନଜର ରହିଛି। ବିଜେପିର ନେତୃତ୍ବ ନେଉଥିବା କାରଣରୁ ଏହା ସ୍ବାଭାବିକ କଥା। ଏହାକୁ ହାସଲ କରିବା ଲାଗି ସେ ନିର୍ବାଚନ ସମୟରେ ଯେ କୌଣସି ସ୍ତରକୁ ଯିବାକୁ ଭୁଲିନାହାନ୍ତି। କିନ୍ତୁ ଏକଥା ବି ସତ ଯେ ଗୋଟିଏ ଗଣମାଧ୍ୟମ ସଂସ୍ଥାର ସମ୍ମେଳନରେ ଏକଦା ଧର୍ମେନ୍ଦ୍ର ଖୋଲାଖୋଲି ଭାବେ ନବୀନଙ୍କୁ ପ୍ରଶଂସା କରିବା ଘଟଣା ରାଜ୍ୟର ଗଣମାଧ୍ୟମ ପୃଷ୍ଠାରେ ପ୍ରମୁଖତା ପାଇଥିଲା। ଧର୍ମେନ୍ଦ୍ର କିନ୍ତୁ ବଡ଼ପଣ ଦେଖାଇଥିଲେ ଓ ଏହି ଯୁକ୍ତିରୁ ଓହରିନଥିଲେ, ଯେଉଁଥିରୁ ରାଜନୈତିକ ମହଲ ତାଙ୍କର ପ୍ରତିବଦ୍ଧତା ସଂପର୍କରେ ପ୍ରମାଣ ପାଇଥିଲେ। ଏଇ ଗୋଟିଏ କଥା ନୁହେଁ, ନୂଆଦିଲ୍ଲୀ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଗାଡି ପର୍ଯ୍ୟନ୍ତ ସାଙ୍ଗରେ ନେଇ ପାଛୋଟି ଆସିବା, ଭୁବନେଶ୍ବର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଡାକିଲେ ବୋଲି ମୁଖ୍ଯମନ୍ତ୍ରୀ ହାତ ଧରି ତାଙ୍କୁ ଆଉଥରେ ଫେରାଇ ଆଣିବା ଭଳି ସାହସ ଦେଖାଇଛନ୍ତି ଧର୍ମେନ୍ଦ୍ର।

କେବଳ ସେତିକି ନୁହେଁ, ଫନି ବିପର୍ଯ୍ୟୟ ବେଳେ ବିରୋଧୀ ଦଳର ଜଣେ ମୁଖିଆ ଭଳି ସରକାରଙ୍କ ପାଖରେ ଛିଡା ହେବା, ପୁରୀ ବିକାଶରେ ଖୋଲା ସମର୍ଥନ ଦେବା, ଆଉ ଗୋଟିଏ ଗଣମାଧ୍ୟମର ସମ୍ମେଳନରେ ସିଧା ସିଧା କହିବା ଯେ ସାଢେ ଚାରିବର୍ଷ ପର୍ଯ୍ୟନ୍ତ ରାଜ୍ୟ-କେନ୍ଦ୍ର ଶତ୍ରୁତା ନାହିଁ ଓ ରାଜ୍ୟ ସ୍ବାର୍ଥ ପାଇଁ କାମ କରିବା ଏକମାତ୍ର ଲକ୍ଷ୍ୟ କହିବା ଗୋଟିଏ ଗୋଟିଏ ତାଙ୍କର ଶ୍ରେଷ୍ଠତାର ଉଦାହରଣ। ଏହି ପରିପ୍ରେକ୍ଷୀରେ କରୋନା ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କର ଭୂମିକା ମଧ୍ୟ ଆଉ ଏକ ଦିଗକୁ ସଙ୍କେତ ଦିଏ।

ମୋଦୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନ ଓ ଓଡିଶା ସରକାରଙ୍କ ୫ ଜିଲ୍ଲା ଓ ୮ ସହର ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୨୯ ଯାଏଁ ଲକ୍ ଡାଉନ୍‌ ଘୋଷଣାକୁ ରାଜ୍ୟବାସୀ ସହଯୋଗ କରିବାକୁ ସାମାଜିକ ଗଣାଧ୍ୟମରେ ଏକ ଭିଡିଓ ଜାରୀ କରି ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। କହିଛନ୍ତି, ମହାମାରୀ କରୋନା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ତେବେ ଏହାକୁ ମିଳିମିଶି ସମସ୍ତଙ୍କୁ ସାମ୍ନା କରିବାର ଆବଶ୍ୟକତା ରହିଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ସରକାର ଇତିମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ଯଥା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳକୁ ମାର୍ଚ୍ଚ ୨୨ ତାରିଖରୁ ମାର୍ଚ୍ଚ ୨୯ ଯାଏଁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହାସହିତ ରାଜ୍ୟର ୮ଟି ସହର ଯଥା ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ଯାଜପୁର ରୋଡ୍‌, ଯାଜପୁର ଟାଉନ ଓ ଭଦ୍ରକ ସହରକୁ ଲକ୍ ଡାଉନ୍ କରାଯିବା ନେଇ ଘୋଷଣା କରାଯାଇଛି। ଏହି ବିଶ୍ୱ ମହାମାରୀରୁ ବଂଚିବା ପାଇଁ ସାମାଜିକ ଦୂରତ୍ୱ ତଥା ଭିଡରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟର ଏହିସବୁ ଉପରୋକ୍ତ ୫ଟି ଜିଲ୍ଲା ଓ ୮ଟି ସହରରେ ବିଦେଶରୁ ଅଧିକ ଲୋକମାନେ ଫେରିଥିବାରୁ ଏହି ଅଂଚଳ ଗୁଡିକରେ କରୋନା ଭାଇରସ ବ୍ୟାପିବାର ଅଧିକ ସମ୍ଭାବନା ରହିଛି। ତେଣୁ ଏଥିରେ ସମସ୍ତଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ମୋଦୀ-ନବୀନ-ଧର୍ମେନ୍ଦ୍ରଙ୍କର ଏଭଳି ବନ୍ଧୁତା ଉଭୟ ରାଜନୈତିକ ଦଳ ବିଜେଡି ଓ ବିଜେପି ପାଇଁ ଢେର୍ ଅଡୁଆ ସୃଷ୍ଟି କରିବ ସତ। ଉଭୟ ଦଳର କର୍ମୀଙ୍କୁ ଏହା ଆଦୌ ଭଲ ଲାଗୁନଥିବ। ସହଯୋଗୀଙ୍କୁ ବି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀଙ୍କ ବିରୋଧାଚରଣ ପ୍ରଦର୍ଶନକୁ ମାତ୍ରାଧିକ ଗୁରୁତ୍ବ ଦେଉଥିବା ବ୍ୟକ୍ତି ଏବଂ ଗୋଟିଏ ରାଜନୈତିକ ଗୋଷ୍ଠୀକୁ ଏହା ଖୁସି କରୁନଥାଇପାରେ। ଏହା ବିରୋଧୀ ଦଳର ଭୂମିକା ସଂପର୍କରେ ଏକ ବଡ଼ ପ୍ରଶ୍ନ ମଧ୍ୟ ଛିଡା କରିବା ନେଇ ବିଚାରକୁ ପୂୁରା ଭୁଲ କହିହେବ ନାହିଁ। କିନ୍ତୁ ଏକଥା ସତ ଯେ ବିପର୍ଯ୍ୟୟ ସମୟରେ ଏକାଠି ଲଢିଲେ, ବିକାଶ କାମରେ ଏକାଠି ହାତ ମିଳାଇଲେ, ଗଣତନ୍ତ୍ର ସୁଦୃଢ ହୁଏ, ଜାଚୀୟ ସ୍ବାର୍ଥ ହାସଲ ହୋଇଥାଏ ଓ ଓଡ଼ିଶା ଭଳି ରାଜ୍ୟ ବିକଶିତ ଆଡକୁ ମୁହାଁଇବାର ସାହସ ଜୁଟାଇପାରନ୍ତି।

Leave A Reply

Your email address will not be published.