ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶରେ ଭାରତୀୟ ଓ ଚୀନ୍ ସୈନିକଙ୍କ ମଧ୍ୟରେ ଏକାଧିକ ସ୍ଥାନରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ନେଇ ଆଇଟିବିପି ମହାନିର୍ଦ୍ଦେଶକ ଶତ୍ରୁଜିତ କପୁରଙ୍କ ବୟାନ ପରେ ରାଜନୈତିକ ତାତି ବଢ଼ିଛି। ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଜବାବ ମାଗିଛନ୍ତି। ସୀମା ସୁରକ୍ଷା ଓ ଚୀନ୍ ସହ ଆଲୋଚନାର ଫଳାଫଳ ନେଇ ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଖଡ଼ଗେ କହିଛନ୍ତି, ଅରୁଣାଚଳରେ ଚୀନ୍ ସୈନିକଙ୍କ ସହ ଲଗାତାର ମୁହାଁମୁହିଁ ସ୍ଥିତି ଉପୁଜିବା ଅତ୍ୟନ୍ତ ଚିନ୍ତାଜନକ। ଡୋକଲାମ ଓ ଗଲୱାନ ପରେ ଆଉ ଏକ ବଡ଼ ସଂଘର୍ଷର ସମ୍ଭାବନା ରହିଛି କି ବୋଲି ସେ ପଚାରିଛନ୍ତି। ଅଗଷ୍ଟରେ ତାକସିଂ ନିକଟରେ ଚୀନ୍ର ଅନୁପ୍ରବେଶ ନେଇ ଖବର ଆସିଥିବା ଉଲ୍ଲେଖ କରି ସେ ଭାରତୀୟ ଯବାନଙ୍କ ପାଟ୍ରୋଲିଂ ଅଧିକାର ପ୍ରଭାବିତ ହୋଇଛି କି ନାହିଁ, ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି।
ଚୀନ୍ ସହ ଭାରତର ଆର୍ଥିକ ସମ୍ପର୍କକୁ ନେଇ ମଧ୍ୟ ଖଡ଼ଗେ ପ୍ରଶ୍ନ ଉଠାଇଛନ୍ତି। ଗଲୱାନ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରଠାରୁ ଚୀନ୍ରୁ ଆମଦାନୀ ୧୦୨ ପ୍ରତିଶତ ବଢ଼ିଥିବା ଏବଂ ଭାରତର ବାଣିଜ୍ୟ ନିଅଣ୍ଟ ୧୧୨.୧୬ ବିଲିୟନ ଡଲାରରେ ପହଞ୍ଚିଥିବା ସେ ଦାବି କରିଛନ୍ତି। ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏକାଧିକ ସାକ୍ଷାତ ସହ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା ପରେ ମଧ୍ୟ ଭାରତ କ’ଣ ହାସଲ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୨୦ ମେ’ ପୂର୍ବରୁ ଥିବା ପାଟ୍ରୋଲିଂ ଅଧିକାର ସମ୍ପୂର୍ଣ୍ଣ ଫେରିଛି କି ନାହିଁ, ତାହାର ଜବାବ ମଧ୍ୟ ମାଗିଛନ୍ତି। ଅନ୍ୟପକ୍ଷରେ, ରାଜସ୍ଥାନର ଅଲୱରରେ ଆଇଟିବିପି ଯବାନଙ୍କ ଏକ ସମାରୋହରେ ମହାନିର୍ଦ୍ଦେଶକ କପୁର କହିଥିଲେ ଯେ ଅରୁଣାଚଳର ଅନେକ ସ୍ଥାନରେ ଗତ କିଛି ଦିନ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି ଏବଂ ଏହା ଜାରି ରହିଛି। ତେବେ ସେ ଚୀନ୍ର ନାମ ନେଇ ନଥିଲେ।
ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆଧୁନିକ କରିବା ପାଇଁ ଡ୍ରୋନ୍ ପ୍ଲାଟୁନ୍ ଗଠନ, ନୂଆ ଯୁଦ୍ଧ କୌଶଳ ଏବଂ ଭିତ୍ତିଭୂମି ବିକାଶ ଉପରେ ଆଇଟିବିପି ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ଭାରତ-ତିବ୍ବତ ସୀମା ପୁଲିସ ଚୀନ୍ ସହ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖାର ସୁରକ୍ଷା ଦାୟିତ୍ୱରେ ରହିଛି।