ଏବେ ଟ୍ରେନ୍ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ
ଟ୍ରେନ୍ ଯାତ୍ରା ସମୟରେ ଆବଶ୍ୟକ ସାମଗ୍ରୀ ପାଇଁ ଆଉ ଷ୍ଟେସନ ବାହାରକୁ ଯିବାକୁ ପଡ଼ିବନି। ମୋବାଇଲ୍ ଚାର୍ଜର, ଇୟରଫୋନ୍, ପ୍ରାଥମିକ ଚିକିତ୍ସା ସାମଗ୍ରୀଠାରୁ ଆରମ୍ଭ କରି ସ୍ନାକ୍ସ ଓ ପାନୀୟ ପର୍ଯ୍ୟନ୍ତ ଅର୍ଡର କରିବାର ସୁବିଧା ମିଳିବ। ଏଥିପାଇଁ ଦକ୍ଷିଣ ରେଳବାଇର ସାଲେମ୍ ଡିଭିଜନ୍ ଦ୍ରୁତ ସାମଗ୍ରୀ ଡେଲିଭରି ପ୍ଲାଟଫର୍ମ ବ୍ଲିଙ୍କିଟ୍ ସହ ମିଶି ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସାଲେମ୍ ଡିଭିଜନ୍ର ୭ଟି ଷ୍ଟେସନରେ ଏହି ସୁବିଧା ଉପଲବ୍ଧ ହେବ। ଯାତ୍ରୀମାନେ ବ୍ଲିଙ୍କିଟ୍ ଆପ୍ ଜରିଆରେ ସାମଗ୍ରୀ ଅର୍ଡର କରି ନିର୍ଦ୍ଦିଷ୍ଟ ଷ୍ଟେସନରେ ତାହା ସଂଗ୍ରହ କରିପାରିବେ।
ଏହି ସେବାରେ ମୋବାଇଲ୍ ଚାର୍ଜର, ଡାଟା କେବୁଲ୍, ଇୟରଫୋନ୍, ବ୍ୟାଣ୍ଡେଜ୍, ଓଆର୍ଏସ୍, ଟୁଥ୍ବ୍ରଶ୍, ଟୁଥ୍ପେଷ୍ଟ୍, ସାବୁନ, ୱେଟ୍ ୱାଇପ୍ସ, ବିସ୍କୁଟ୍, ପ୍ୟାକେଟ୍ ସ୍ନାକ୍ସ, ପାଣି ଓ ଜୁସ୍ ଭଳି ସାମଗ୍ରୀ ଅର୍ଡର କରିହେବ। ତେବେ ସାମଗ୍ରୀର ଉପଲବ୍ଧତା ଷ୍ଟେସନ ଓ ଷ୍ଟକ୍ ଉପରେ ନିର୍ଭର କରିବ। ଏହି ପାଇଲଟ୍ ପ୍ରକଳ୍ପରେ ସାମିଲ ହୋଇଥିବା ୭ଟି ଷ୍ଟେସନ ହେଉଛି କୋଏମ୍ବାଟୁର ଜଙ୍କସନ୍, କୋଏମ୍ବାଟୁର ନର୍ଥ, ପୋଦନୁର ଜଙ୍କସନ୍, ତିରୁପ୍ପୁର, ଇରୋଡ୍ ଜଙ୍କସନ୍, ସାଲେମ୍ ଜଙ୍କସନ୍ ଓ କରୁର। ଯାତ୍ରୀମାନେ ଅର୍ଡର କରିବା ପୂର୍ବରୁ ଡେଲିଭରି ପଏଣ୍ଟ୍ ଓ ଟ୍ରେନ୍ ପହଞ୍ଚିବା ସମୟ ଯାଞ୍ଚ କରିବା ଆବଶ୍ୟକ।