ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ୫୬୯୦ ଜଣ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଥିବାବେଳେ ଶୁକ୍ରବାରଠାରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଗୁରୁବାର ଏନେଇ ଓପିଏସ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ରାଜ୍ୟର ବିଭିନ୍ନ ଜୋନ୍ରେ ଆୟୋଜିତ ହେବ। ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ। ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।
ଜୁନ୍ ୭ ତାରିଖରେ ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା ହୋଇଥିଲା। କଟକ, ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଜୋନ୍ର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଆଶାୟୀ। ଜୁଲାଇ ୧୦ରେ ପ୍ରକାଶିତ ଫଳାଫଳରେ ୫୬୯୦ ଜଣ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧୯୦୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଅକ୍ଟୋବର ୨୯ରେ ଓଡ଼ିଆ ଓ ଇଂରାଜୀ, ୩୦ରେ ରଚନା, ନଭେମ୍ବର ୨ରେ ସାଧାରଣ ଅଧ୍ୟୟନର ପେପର୍-୧ ଓ ୨, ନଭେମ୍ବର ୪ରେ ପେପର୍-୩, ୪ ଓ ୫ ଏବଂ ନଭେମ୍ବର ୭ରେ ଇଚ୍ଛାଧୀନ ବିଷୟଗୁଡ଼ିକର ପରୀକ୍ଷା ହେବ। ବିସ୍ତୃତ ସୂଚୀ ଓପିଏସ୍ସିର ଅଧିକାରିକ ୱେବସାଇଟ୍ରେ ଦିଆଯାଇଛି।