ପ୍ରମୁଖ ଖବର

୧୦ ବର୍ଷରୁ କମ୍ ପିଲା ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇ ପାରିବେ ନାହିଁ: ରାଜ୍ୟ ସରକାର
ବିହାରରେ ୨ ଓଡିଆ ଶ୍ରମିକଙ୍କ ମୃତ୍ୟୁରେ ୬ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ
ଆଉ ଯାତ୍ରାରେ ହେବନି ଅଶ୍ଲୀଳ ନୃତ୍ୟ, ସରକାର ଲଗାଇବେ ରୋକ
ରାଷ୍ଟ୍ରପତି ଭବନରେ ସ୍ଥାପିତ ହେଲା ୪ଟି କୋଣାର୍କ ଚକର ପ୍ରତିକୃତି
ଗର୍ଭବତୀଙ୍କୁ ନିର୍ଯ୍ୟାତନା ଦେବା ଘଟଣାରେ ବିଦା ହେଲେ ଡେରାବିଶ ସିଡିପିଓ
ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ଜେଲ
ବଢ଼ିଲା କନଷ୍ଟେବଳ ନିଯୁକ୍ତି ଆବେଦନର ସମୟ ସୀମା

ସର୍ଦାର ପଟେଲ, ପାଣ୍ଡିଆନ୍ ଏବଂ ବାବୁମାନେ

0
  • ଆଜି ବେସାମରିକ ସେବା ଦିବସ, ବାବୁଙ୍କୁ ଶାହଙ୍କ ଅଭିନନ୍ଦନ
  • ୨୦୦୬ରୁ ଏପ୍ରିଲ ୧କୁ ସ୍ବତନ୍ତ୍ର ଭାବେ ପାଳନ କରୁଛି ଦେଶ


ଭୁବନେଶ୍ବର: କିଏ ବେଶୀ କ୍ଷମତାଶାଳୀ। ବ୍ୟୁରୋକ୍ରାଟ୍ସ ନା ରାଜନେତା? ସତରେ କଣ ରାଜନେତାମାନେ ଧୀରେ ଧୀରେ ନିଷ୍ପ୍ରଭ ହୋଇଯାଉଛନ୍ତି? ସତରେ କଣ ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ଶାସନ ଡ଼ୋରି ଧରିଲେଣି? ମନ୍ତ୍ରୀମାନେ ଆଉ ସରକାରରେ ପ୍ରମୁଖ ଦାୟିତ୍ବ ତୁଲାଉନାହାନ୍ତି?

ଏମିତି କିଛି ପ୍ରଶ୍ନ ଉପରେ ଏବେ ସମଗ୍ର ଦେଶରେ ବିତର୍କ ଜାରି ରହିଛି। ଓଡ଼ିଶାରେ ମଧ୍ୟ ରାଜନୈତିକ ନେତା ବିଭିନ୍ନ ସମୟରେ ସମାନ ଅଭିଯୋଗ କରିଆସିଛନ୍ତି। ସରକାରରେ ସେମାନଙ୍କର ଗୁରୁତ୍ବ କମୁଛି ଓ ପ୍ରଶାସନିକ ଅଧିକାରୀମାନଙ୍କ କ୍ଷମତା ବଢୁଛି। ବାସ୍ତବରେ ଏଥିରେ କେତେ ସତ୍ୟତା ଅଛି? ପ୍ରଶାସନିକ ଅଧିକାରୀ ଅଧିକ କ୍ଷମତାଶାଳୀ ହେବା ପଛରେ ରାଜନୈତିକ ନେତା ବା ମନ୍ତ୍ରୀମାନଙ୍କର ନିଷ୍କ୍ରିୟତା ଗୋଟିଏ କାରଣ କି? ସରକାରୀ ବ୍ୟବସ୍ଥାକୁ ଠିକଣା ଢଙ୍ଗରେ ବୁଝି ସେ ଦିଗରେ କାର୍ଯ୍ୟାନ୍ବୟନ ପାଇଁ ଆଗଭର ହେବା ପରିବର୍ତେ ନ୍ୟସ୍ତ ସ୍ବାର୍ଥରେ ରାଜନେତା ବ୍ୟସ୍ତ ରହିବା ଦ୍ବାରା ଅଧିକାରୀମାନେ ଏହାର ଫାଇଦା ନେଉଛନ୍ତି କି? ରାଜନେତା କେବଳ ଭୋଟ ଚକ୍କରରେ ରହି ସବୁ ଆଇନକୁ କାନୁନକୁ ମୋଡ଼ି ମକଚି ଦେବା ଦ୍ବାରା ସାଧାରଣରେ ଅଧିକାରୀମାନେ ଅଧିକ ବିଶ୍ବାସଭାଜନ ହେଉଛନ୍ତି କି? ଏମିତି ଅନେକ ପ୍ରଶ୍ନ ସବୁ ମହଲକୁ ଆନ୍ଦୋଳିତ କରୁଛି।

ଆଜି ହେଉଛି ବେସାମରିକ ସେବା ଦିବସ। ୧୯୪୭ ମସିହାରେ ସ୍ବାଧୀନ ଭାରତର ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦାର ବଲ୍ଲଭ ପଟ୍ଟନାୟକ ନୂଆଦିଲ୍ଲୀ ମେଟକାଫ୍ ହାଉସରେ ସିଭିଲ୍ ସର୍ଭିସରେ ଉତ୍ତୀର୍ଣ୍ଣ ହୋଇ ପ୍ରୋବେସନର ଭାବେ ଯୋଗଦେଇଥିବା ଯୁବ ଅଧିକାରୀମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ, ବ୍ୟୁରୋକ୍ରାଟ୍ସମାନେ ହେଉଛନ୍ତି ଭାରତର ଷ୍ଟିଲ୍ ଫ୍ରେମ୍। ଏହି ଦିନଟିକୁ ମନେ ରଖିବା ସହିତ ଅଧିକାରୀଙ୍କ ଭିତରେ ପ୍ରତିବଦ୍ଧତା ଓ କର୍ମପ୍ରବଣତା ବୃଦ୍ଧି ଲାଗି ୨୦୦୬ ମସିହାରେ ବିଜ୍ଞାନ ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା ଓ ସେବେଠାରୁ ଏପ୍ରିଲ ୨୧ ତାରିଖ ସିଭିଲ୍ ସର୍ଭିସ ଡ଼େ ହିସାବରେ ପାଳିତ ହୋଇ ଆସୁଛି।

ସେଦିନ ସର୍ଦାରଙ୍କ ମନ୍ତବ୍ୟକୁ ଆଧାର କରି ଆଜି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଏକ ସୁଦୀର୍ଘ ପ୍ରବନ୍ଧ ଲେଖିଛନ୍ତି, ଯେଉଁଥିରେ ବ୍ୟୁରୋକ୍ରାଟ୍ସଙ୍କର ଭୁୟସୀ ପ୍ରଶଂସା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ୍ କରିଛନ୍ତି।ଓଡ଼ିଶାରେ ବ୍ୟୁରୋକ୍ରାଟ୍ସଙ୍କ ଉପରେ ସରକାରର ନିର୍ଭରଶୀଳତା କାଳେ କାଳେ ଅଧିକ ଥିଲା, ରହିଛି। ହେଲେ ବ୍ୟୁରୋକ୍ରାଟ୍ସଙ୍କୁ ଖୋଲାଖୋଲି ପ୍ରଶଂସା କରିବାର ସାହସ ଆମ ରାଜନେତା ଦେଖାଇପାରିନାହାନ୍ତି। କେଉଁଠି ନା କେଉଁଠି ଏ ସଂକ୍ରାନ୍ତ ହୀନମନ୍ୟତା ସାଧାରଣରେ ନେତାମାନଙ୍କୁ ଛୋଟ କରିଦେଇଛି। ବ୍ୟୁରୋକ୍ରାଟ୍ସଙ୍କୁ ଲୋକେ ଅଧିକ ଗ୍ରହଣ କରିଆସୁଛନ୍ତି।

ଓଡ଼ିଶାରେ କ୍ବଚିତ୍ ନେତା ଅଛନ୍ତି, ଯାହାଙ୍କ ସଂପର୍କରେ ବିଶେଷ ଆଲୋଚନା ହୋଇଛି। ସଂପୃକ୍ତ ନେତାଙ୍କ ସହିତ ଯୋଡି ହୋଇଥିବା ବ୍ୟୁରୋକ୍ରାଟ୍ସ ବି ଅନୂରୂପ ଭାବେ ଆଲୋଚନାର ବିଷୟବସ୍ତୁ ଭିତରେ ରହିଥାନ୍ତି। ଏଇ ଯେମିତି, ଯେତେବେଳେ ଯିଏ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ତାଙ୍କ ଅଫିସକୁ ନେଇ ଓଡ଼ିଶାରେ ଏକ ସ୍ବତନ୍ତ୍ର ଚର୍ଚ୍ଚା ଚାଲିଥାଏ। ଏବେ ବି ନବୀନ ପଟ୍ଟନାୟକଙ୍କ ସମୟରେ କେତେବେଳେ ବେଣୁୃ-ଯୁଗଳ-ପ୍ୟାରୀ (ବିଜେପି), ଆଉ କେତେବେଳେ ବିଜୟ ପଟ୍ଟନାୟକ, ଏବେ ଭି କାର୍ତିକେୟନ୍ ପାଣ୍ଡିଆନଙ୍କୁ ନେଇ ସବୁଠି ଚର୍ଚ୍ଚା ରହିଛି।

ଏକଥା ସତ ଯେ ସରକାରଙ୍କ ଅଧିକ ବିଶ୍ବାସର ସୁବିଧା ନେଇ କିଛି ଅଧିକାରୀ ଏତେ କ୍ଷମତାଶାଳୀ ହୋଇଯାଇଛନ୍ତି ଯେ ସେମାନଙ୍କ ପାଇଁ ସରକାର ଅକଳରେ ପଡିଛନ୍ତି। ଆଉ କିଛି ଅଧିକାରୀ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ, ଯାହା ପାଇଁ ରାଜ୍ୟ ମୂଲ୍ୟ ଦେଇଥାଏ ଓ କିଛି ଅଧିକାରୀ କ୍ଷମତାର ଦୂରପଯୋଗ କରି ନିଜର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ଲାଗି କୌଣସୁ ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଶୀଘ୍ର ବା ବିଳମ୍ବରେ ଏଭଳି ବ୍ୟକ୍ତି ରାଜନୈତିକ ନେତୃତ୍ବ ନେବା ଲାଗି ଆଗଭର ହୋଇଛନ୍ତି। ସମଗ୍ର ଦେଶରେ ଏହାର ଉଦାହରଣ କିଛି କମ୍ ନାହିଁ। କିନ୍ତୁ ରାଜନୀତିରେ ଏମାନଙ୍କ ସଫଳତା ହାର ବେଶ୍ ଗୌଣ।

ବାସ୍ତବରେ ଓଡ଼ିଶାରେ ବ୍ୟୁରୋକ୍ରାଟ୍ସମାନେ କିଭଳି କାର୍ଯ୍ୟ କରୁଛନ୍ତି, ସେ କଥାର ଉଦାହରଣ ତର୍ଜମା କରିବାର ବେଳ ଆସିଛି। ଓଡ଼ିଶା ଅର୍ଥନୀତି ସୁଧାର ଆସିବାରେ ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ନିଶ୍ଚିତ ଭାବେ ପ୍ରଶଂସା ଗୋଟାଇବେ। କିନ୍ତୁ ୟୁ ଶରତଚନ୍ଦ୍ରନଙ୍କ ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ। ପରବର୍ତୀ ସମୟରେ ତୁହିନକାନ୍ତ ପାଣ୍ଡେ କେନ୍ଦ୍ର ଶୈଳୀରେ ବଜେଟ୍ ପରିବର୍ତନ କରିବା ମଧ୍ୟ ଏକ ଉଲ୍ଲେଖନୀୟ ଦିଗ ଭାବେ ବିଚାର କରାଯାଇପାରେ। ପୋସ୍କୋ ଭଳି ସର୍ବାଧିକ ପୁଞ୍ଜିନିବେଶକାରୀ କଂପାନିକୁ ଓଡ଼ିଶା ପର୍ଯ୍ୟନ୍ତ ଟାଣିଆଣିବା (ଅବଶ୍ୟ ଏହି ପ୍ରକଳ୍ପ ହୋଇପାରିଲା ନାହିଁ)ରେ ତତ୍କାଳୀନ ମୁଖ୍ୟ ସଚିବ ସୁବାସ ପାଣିଙ୍କର ଯୋଗଦାନ ନିଶ୍ଚିତ ରହିଛି। ଭିଜିଲାନ୍ସର ପ୍ରଭାବୀ ଭୂମିକା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତିମୁକ୍ତ ଚେହେରା ତିଆରି ପଛରେ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ବିପିନ ବିହାରୀ ମିଶ୍ର, ଗୋପାଳ ଚନ୍ଦ୍ର ନନ୍ଦଙ୍କ ଭଳି ଅଧିକାରୀଙ୍କ ଅବଦାନକୁ ସମସ୍ତେ ଗ୍ରହଣ କରିବେ। ପ୍ରଫୁଲ୍ଲ ମିଶ୍ରଙ୍କ ଭଳି ଜଣେ ପ୍ରଭାବଶାଳୀ ଅଧିକାରୀଙ୍କୁ ବାନ୍ଧିବା ଲାଗି ଶ୍ରୀ ନନ୍ଦଙ୍କ ସାହସ ସରକାରଙ୍କୁ ବଳ ଦେଇଛି। ଏହା ପ୍ରଥମ ଘଟଣା ଥିଲା।

କେବଳ ସେତିକି ନୁହେଁ, ଫାଇଲିନ୍ ବେଳେ ଜଣେ ବି କେହି ପ୍ରାଣ ହରାଇବେନି ବୋଲି ରାଜ୍ୟ ସରକାର ସଂକଳ୍ପ କରିବା ଓ ବିଶ୍ବରୁ ପ୍ରଶଂସା ଗୋଟାଇବା ପଛରେ ତତ୍କାଳୀନ ମୁଖ୍ୟ ସଚିବ ଯୁଗଳ ମହାପାତ୍ରଙ୍କ ଭୂମିକାକୁ ଏଡ଼ାଇ ଦେଇ ହେବନାହିଁ। ପୁରୀରେ ୧୯୯୫ ମସିହା ମହାପ୍ରଭୁଙ୍କ ନବକଳେବରକୁ ଶତପ୍ରତିଶତ ଶୃଙ୍ଖଳାର ସହିତ ଶେଷ କରିବାରେ ତତ୍କାଳୀନ ଜିଲ୍ଲାପାଳ ତଥା ବର୍ତମାନ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଯୋଗଦାନକୁ ସମସ୍ତେ ମନେ ରଖିବେ।

ଅନାହାର ମୃତ୍ୟୁ ବେଳେ କଳାହାଣ୍ଡି ଜିଲ୍ଲାପାଳ, ମହାବାତ୍ୟା ସମୟରେ କଟକ ଜିଲ୍ଲାପାଳ ଭାବେ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମାତ୍ର ଦୁଇମାସ ପାଇଁ କାମଚଳା ପ୍ରମୁଖ ସଚିବ ରହିଥିବା ବେଳେ ପ୍ରଦୀପ କୁମାର ଜେନା (ବର୍ତମାନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି)ଙ୍କ ସକ୍ରିୟତା ବେଶ୍ ଚର୍ଚ୍ଚାରେ ଥିଲା। କଳିଙ୍ଗନଗର ଗୁଳିକାଣ୍ଡ ସମାଧାନ କ୍ଷେତ୍ରରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ପାଢୀ (ଏବେ କେନ୍ଦ୍ରରେ)ଙ୍କ ଭୂମିକା ଉଲ୍ଲେଖନୀୟ। ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସ କୋ଼ଡ୍ ଓ ଭୁବନେଶ୍ବରକୁ ନୂଆ ଚେହେରା ଦେବାରେ ପୂର୍ବତନ ପ୍ରଶାସିକା ତଥା ବର୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୂମିକା ରହିଛି।

ସର୍ବୋପରି ସଂପ୍ରତି କରୋନା ମୁକାବିଲା ବ୍ୟବସ୍ଥାକୁ ଆଖି ବୁଲାଇ ଆଣିଲେ, ବ୍ୟୁରୋକ୍ରାଟ୍ସଙ୍କ ସଂକଳ୍ପ ନେଇ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନଙ୍କ ପ୍ରଭାବୀ ଭୂମିକା କାରଣରୁ କରୋନା ପ୍ରଭାବକୁ ଅଟକାଇ ଦିଆଯାଇପାରିଛି। ରାଜ୍ୟ ସରକାରଙ୍କୁ ଆଜି କେନ୍ଦ୍ର ସରକାର ଖୋଲା ପ୍ରଂଶସା ଦେବାକୁ ଆଦୌ କାର୍ପଣ୍ୟ କରୁନାହାନ୍ତି। ବଛା ବଛା ଅଧିକାରୀଙ୍କୁ େନଇ ଏମାନଙ୍କ ଟିମ୍ ଏବେ ୨୪ ଘଣ୍ଟା ଲଢୁଛି କରୋନା ସହିତ।ମାତ୍ର ଗୋଟିଏ ମାସରେ ୫୦୦୦ ବେଡ୍ ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରିବାରେ ସଫଳତା ଶ୍ରେୟ ବର୍ତମାନ ଟିମକୁ ଯିବ। ଯେତେବେଳେ ମନ୍ତ୍ରୀମାନେ ବସି ଏସବୁ କରିବା କଥା, ଓଡ଼ିଶା ପ୍ରଶାସନରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଟିମ୍ ଏହି କାର୍ଯ୍ୟ ଚଳାଇଛନ୍ତି। ସେମାନଙ୍କ ପ୍ରଭାବ ଓ ଗୁରୁତ୍ବ ବଢିବନି? ଲୋକେ ପ୍ରଶଂସା କରିବେନି? ନବୀନ ପଟ୍ଟନାୟକ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବା ପଛର ବଡ଼ ରହସ୍ୟ ତ ସେଇଠି?

ଉଲ୍ଲେଖଯୋଗ୍ୟ, କରୋନା ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥରୁଟିଏ ବି ଭୁବନେଶ୍ବର ଆସିପାରିଲେ ନାହିଁ। ଅଧା ମନ୍ତ୍ରୀ ଏଯାଏ ଲୋକସେବା ଭବନ ଦେଖିନାହାନ୍ତି। ଏମିତିରେ ବି ବିଧାନସଭାରେ କେଇ ଘଣ୍ଟା ବସି ଯେ କୌଣସି ବିଲ୍ ଉପରେ ଆଲୋଚନା କରିବାକୁ ଆଉ ରାଜନେତା ଚାହୁଁନାହାନ୍ତି। ପ୍ରଶ୍ନକାଳରେ ଲୋକଙ୍କ ସମସ୍ୟା ଉଠାଇବା ବେଳେ ବି ଏମିତି କୌଣସି ବିଧାନସଭା ଅଧିବେଶନ ଦେଖିବାକୁ ମିଳୁନି, ଯେଉଁଥିରେ ୧୪୭ ଜଣ ସଭ୍ୟ ଥିବେ। ଅଧା ସମୟରେ କୋରମ୍ ନଥିବା କାରଣରୁ ସରକାରଙ୍କୁ ଅପଦସ୍ତ ହେବାକୁ ପଡ଼ୁଛି। ସରକାରଙ୍କ ଯୋଜନାକୁ ତୃଣମୂଳସ୍ତରରେ ନିଜ ସମର୍ଥକଙ୍କୁ ଲଗାଇ ମୋଡ଼ି ଦେବା କାରଣରୁ ଆଜି ଯାବତୀୟ ବିଭ୍ରାଟ ଘଟୁଛି। ଏପରିସ୍ଥଳେ ନେତାଙ୍କ ପ୍ରଭାବ ବଢିବ କେମିତି? ଜଣେ ଯଦି ନିଃସ୍ବାର୍ଥପର ଭାବେ କିଛି କରିବାକୁ ଚାହିଁବ, ତାକୁ କିଏ ଅଟକାଇପାରିବ? ଭାରତ ବର୍ଷରେ ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଠାରୁ ବଡ଼ ଉଦାହରଣ ଆଉ କଣ ଅଛି?

Leave A Reply

Your email address will not be published.