ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଏଣିକି ସତର୍କ ନ ରହିଲେ…

0

ଭୁବନେଶ୍ବର: ୨୦୨୦-୨୧ କେନ୍ଦ୍ରୀୟ ନେତୃତ୍ବାଧୀନ ବିଜେପି ପାଇଁ ଏକ ଆହ୍ବାନ ରଖୁଛି। ଏଇଥିପାଇଁ ଯେ ଆସନ୍ତା ବର୍ଷକ ମଧ୍ୟରେ ଅର୍ଥାତ୍ ୨୦୨୧ ମେ’ ମାସ ସୁଦ୍ଧା ଦେଶର ଗୁରୁତ୍ବପୂର୍ଣ୍ଣ କିଛି ରାଜ୍ୟରେ ନିର୍ବାଚନ ହେବ। ୨୦୨୦ରେ ନଭେମ୍ବରରେ ବିହାରର ନୀତିଶ ସରକାରଙ୍କ କାର୍ଯ୍ୟକାଳ ସରୁଛି। ଏହାବ୍ୟତୀତ ୨୦୨୧ ମେ’ରେ ଆସାମ, କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ସରୁଥିବା ପରିପ୍ରେକ୍ଷୀରେ ସେସବୁ ରାଜ୍ୟରେ ନିର୍ବାଚନ ହୋଇପାରେ। ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏବଂ ରାଜ୍ୟସଭାରେ ବିଜେପିକୁ ପ୍ରଭାବୀ ଭାବେ ମୁଣ୍ଡ ଟେକିବା ଲାଗି ଏସବୁ ନିର୍ବାଚନ ଅନେକାଂଶରେ ଗୁରୁତ୍ବ ରଖେ।

ଏହି ପ୍ରସଙ୍ଗଟି ବର୍ତମାନ ଚର୍ଚ୍ଚାକୁ ଆସିବାର କାରଣ ହେଉଛି, ସଦ୍ୟ ସମାପ୍ତ ରାଜ୍ୟସଭା ନିର୍ବାଚନ ଫଳାଫଳ ବିଜେପିକୁ ଆଶ୍ବସ୍ତ କରିଛି, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ନୁହେଁ। ମାର୍ଚ୍ଚ ୫୫ଟି ଆସନ ସମେତ ସମୁଦାୟ ୬୧ଟି ଆସନ ଫଳାଫଳ ସାମ୍ନାକୁ ଆସିବା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ହେଲା ବିଜେପି ଆସନ ସଂଖ୍ୟା ୮୬ରେ ପହଞ୍ଚିଛି ଓ କଂଗ୍ରେସ ୪୧କୁ ଖସିଛି। ବିଜେପି ୧୭, କଂଗ୍ରେସ ୯, ନୀତୀଶ କୁମାରଙ୍କ ଜେଡିୟୁ ୩, ବିଜେଡି ଏବଂ ଟିଏମସି ୪, ଏଆଇଏଡିଏମକେ ଏବଂ ଡିଏମକେ ୩, ଏନସିପି, ଆରଜେଡି ଏବଂ ଟିଆରଏସ ୨ ଲେଖାଏଁ ଆସନ ଜିତିଛନ୍ତି ଏବଂ ଅନ୍ୟମାନେ ଅବଶିଷ୍ଟ ଆସନ ପାଇଛନ୍ତି।

ଏଥିସହିତ ଏନଡିଏ ଓ ତଥାକଥିତ ସହଯୋଗୀଙ୍କ ସଂଖ୍ୟା ୧୦୦ ଡେଇଁଛି। ଆହୁରି ସ୍ପଷ୍ଟ ଭାବେ କହିଲେ, ଯଦି ଏଆଇଏଡିଏମକେ (୯ଟି ଆସନ), ବିଜେଡି (୯), ଵାଇଏସଆର କଂଗ୍ରେସ ପାର୍ଟି (୬) ଏବଂ ଅନେକ ସହଯୋଗୀ ମନୋନୀତ ସଦସ୍ୟ ଏବଂ ଛୋଟ ଦଳ ଭଳି ବନ୍ଧୁତ୍ୱପୂର୍ଣ୍ଣ ଦଳର ସମର୍ଥନ ଗଣନା କରାଯାଏ, ତେବେ ମୋଦୀ ସରକାର ଏଣିକି ରାଜ୍ୟସଭାରେ କୌଣସି ଗୁରୁତର ସାଂଖ୍ୟିକ ସମସ୍ୟା ସାମ୍ନା କରିବାର ସମ୍ଭାବନା ନାହିଁ।

ରାଜନୈତିର ପର୍ଯ୍ୟବେକ୍ଷକ ମହଲ ହିସାବ କରୁଛନ୍ତି, ଲୋକସଭାରେ ୩୦୩ ସଦସ୍ୟ ସଂଖ୍ୟା ଥାଇ ମୋଦୀ ସରକାର ଯେଭଳି ପ୍ରଚଣ୍ଡ ପ୍ରଭାବୀ ସାବ୍ୟସ୍ତ ହେଉଛନ୍ତି, ରାଜ୍ୟସଭାରେ ସେଭଳି ସ୍ଥିତିକୁ ଆସିବାକୁ ହେଲେ ୧୨୩ ସଦସ୍ୟଙ୍କର ସମର୍ଥନ ଦରକାର। ୨୦୨୧ ମଧ୍ୟଭାଗରେ ଏହି ସଂଖ୍ୟା ଏନଡିଏ ହାସଲ କରିବା ସମ୍ଭାବନା ଦେଖାଯାଉଛି। ହେଲେ ଦଳକୁ ସମ୍ପୂର୍ଣ୍ଣ ଭାବେ ଦମଦାର ପ୍ରଦର୍ଶନ କରିବାକୁ ହେଲେ, ୨୦୨୧ ମେ’ ସୁଦ୍ଧା କାର୍ଯ୍ୟକାଳ ସରିବାକୁ ଥିବା ୫ଟି ବଡ଼ ରାଜ୍ୟକୁ କରାୟତ କରିବାକୁ ହେବ।

ଏକଥା ସତ ଯେ ବିଭିନ୍ନ ପ୍ରସଙ୍ଗ ଓ ଅଡୁଆ ଭିତରେ କେନ୍ଦ୍ରର ବିଜେପି ଶୀର୍ଷ ନେତାମାନେ ଛନ୍ଦି ହୋଇଥିଲେ ମଧ୍ୟ ଉଭୟ ରାଜ୍ୟସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ଗଣିତ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ନିକଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ହଠାତ୍ ବିଜେପିରେ ଯୋଗଦେବା ଓ ସଦ୍ୟସମାପ୍ତ ରାଜ୍ୟସଭା ନିର୍ବାଚନରେ ବିଭିନ୍ନ ରାଜ୍ୟର ଫଳାଫଳ କେନ୍ଦ୍ରରେ ବିରୋଧୀ ଶକ୍ତିକୁ ଏକ ବଡ଼ ଧକକା ଦେଇଛି।

ସମାନ୍ତରାଳ ଭାବେ ଏ ଚିତ୍ର ବି ସ୍ପଷ୍ଟ ହେବାରେ ଲାଗିଛି ୨୦୧୯-୨୦ରେ ବିଭିନ୍ନ ଆଞ୍ଚଳିକ ଦଳ ଉପରେ କେନ୍ଦ୍ରର ବିଜେପି ସରକାର ଯେତେ ନିର୍ଭର କରୁଥିଲେ, ୨୦୨୧ ମଧ୍ୟଭାଗ ବେଳକୁ ଏହି ସୂତ୍ରରେ ବଡ଼ ଧରଣର ପରିବର୍ତନ ଘଟିବା ଆରମ୍ଭ ହୋଇଯିବ। ଏମିତି ହେଲେ ଓଡ଼ିଶା ଭଳି ରାଜ୍ୟ କେନ୍ଦ୍ରରେ ପ୍ରଭାବ ସୃଷ୍ଟି କରି ଯେଭଳି ବଡ଼ ଧରଣର ମୂଲଚାଲ କରିବାର ସୁଯୋଗ ଯଥେଷ୍ଟ ପ୍ରଭାବିତ ହୋଇପାରେ। କେବଳ ସେତିକି ନୁହେଁ, ରାଜ୍ୟସଭା ଗଣିତ ଯେତିକି ସରଳ ହେବ, କେନ୍ଦ୍ରରେ କଂଗ୍ରେସ ସମେତ ବିରୋଧୀ ଦଳ ଯେତିକି ଦୁର୍ବଳ ହେବେ, ଆଞ୍ଚଳିକ ଦଳମାନଙ୍କ ଉପରେ ବିଜେପି ସେତିକି ଅଧିକ ପ୍ରଭାବ ପ୍ରଦର୍ଶନ କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ବିଭିନ୍ନ ରାଜନୈତିକ ଆବଶ୍ୟକତା ଦୃଷ୍ଟିରୁ ଯଦିଓ ଆଞ୍ଚଳିକଦଳମାନଙ୍କୁ ବିଜେପି କଳ, ବଳ ଓ କୌଶଳ ପ୍ରୟୋଗ କରି ମନାଇବାକୁ ଉଦ୍ୟମ କରି ନିଜ ପାଖରେ ରଖିଛନ୍ତି, ସେମାନଙ୍କର ଆଚରଣ କିନ୍ତୁ ସୂଚାଇ ଦେଉଛି ଯେ ଏସବୁ ଦଳକୁ ସେମାନେ ଆଦୌ କ୍ଷମତାରେ ରଖିବାକୁ ଚାହୁଁନାହାନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶରେ ଵାଇଏସଆର୍ କଂଗ୍ରେସ ହେଉ କି ବିହାରରେ ଜେଡିୟୁ ଥିବା ପର୍ଯ୍ୟନ୍ତ ଗେରୁଆ ଦଳର ଭାରତ ଦଖଲ ଆଦୌ ସମ୍ଭବ ନୁହେଁ। ଓଡ଼ିଶା ଭଳି ରାଜ୍ୟରେ ଦଳର ରାଜନୈତିକ ଅଙ୍କ ଖାସ୍ ସେଇଥିପାଇଁ ବାରମ୍ବାର ଭୁଲଭାଲ୍ ହେଉଛି। ସେମାନେ ଏଯାଏ ନିଷ୍ପତ୍ତି ନେଇପାରିନାହାନ୍ତି ବିଜେଡି ଭଳି ଦଳ ପ୍ରତି କିଭଳି ଆଚରଣ ପ୍ରଦର୍ଶନ କରିବେ। ତା ସତ୍ତ୍ବେ ଯେଉଁଠାରେ ଦଳ ଦ୍ବିତୀୟ ସ୍ଥାନକୁ ଆସିଗଲାଣି, ସେସବୁ ସ୍ଥାନରେ ସେମାନେ ବିରୋଧ ନ କରି ବେଶୀଦିନ ବସିପାରିବେ ନାହିଁ। ଏଥିପାଇଁ ଦଳ ଭିତରୁ ବି ଏକ ବଡ଼ ଚାପ ନେତୃତ୍ବ ଉପରେ ରହିଛି। ଏପରିସ୍ଥିତିରେ ଆଞ୍ଚଳିକ ଦଳମାନେ ଯଦି ରାଜନୈତିକ ଗୋଟିଚାଳନା ଭୁଲ କରନ୍ତି, କେନ୍ଦ୍ର ଉପରେ ମାତ୍ରାଧିକ ନିର୍ଭର କରନ୍ତି ବା କେନ୍ଦ୍ରୀୟ ସହଯୋଗ ଲୋଡ଼ନ୍ତି, ତାହା ବିଜେପିର ଗୋଟିଚାଳନାକୁ ଅଧିକ ସହଜ କରିଦେବ ଓ ଭାରତ ରାଜନୀତିରେ ତିନି ଦଶନ୍ଧି ଧରି ଚାଲିଥିବା ରାଜନୈତିକ ଖେଳରେ ଏକ ଅକସ୍ମାତ୍ ଏକ ବଡ଼ ପରିବର୍ତନ ଦେଖାଦେବା ବିଚିତ୍ର ନୁହେଁ।

Leave A Reply

Your email address will not be published.