ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଉତ୍ତରପ୍ରଦେଶ ଜଣାଇବ, କଂଗ୍ରେସ ଆଗକୁ ବଢ଼ିବ କି ଛିଡ଼ିବ

0
  • ୨୦୨୨ ନିର୍ବାଚନକୁ ଲକ୍ଷ୍ୟ ରଖି ଉତ୍ତରପ୍ରଦେଶକୁ ଓହ୍ଲାଉଛନ୍ତି ପ୍ରିୟଙ୍କା
  • ଦଳ ଏକାକୀ ଯିବାକୁ ଯୋଜନା କରି ରଣନୀତି ପ୍ରସ୍ତୁତ କରିଛି
  • ଉତ୍ତରପ୍ରଦେଶରେ ସଫଳତା ମିଳିଲେ, ଆଗକୁ ବଢ଼ିପାରେ କଂଗ୍ରେସ
  • ଗତ ୨୦ବର୍ଷ ଭିତରେ କଂଗ୍ରେସର ସବୁଠାରୁ ବଡ଼ ନିଷ୍ପତ୍ତି କୁହାଯାଇପାରେ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ଦିଲ୍ଲୀରୁ ବିଦା କରିବା ଲାଗି ନୋଟିସ ଜାତୀୟ ରାଜନୀତି ଉପରେ ତୀକ୍ଷ୍ଣ ନଜର ରଖିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ତର୍ଜମା ପାଇଁ ଖୋରାକ ଯୋଗାଇଛି। ପ୍ରିୟଙ୍କାଙ୍କ ପରବର୍ତୀ ଯୋଜନା କଣ ହୋଇପାରେ, ସେ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।

ଯାହା ସୂଚନା ମିଳିଛି, ପ୍ରିୟଙ୍କା ଲକ୍ଷ୍ନୌ (ଉତ୍ତରପ୍ରଦେଶ)ରେ ଅବସ୍ଥାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଦଳର ଶକ୍ତି ବୃଦ୍ଧି ପାଇଁ ପ୍ରିୟଙ୍କାଙ୍କର ଏହା ଏକ ସୁଚିନ୍ତିତ କୌଶଳ ବୋଲି ମନେ କରାଯାଉଛି। ୧୯୮୯ ମସିହା ପରଠାରୁ ଦଳ ଏଠାରେ ଆଉ ଶକ୍ତି ପ୍ରଦର୍ଶନ କରିପାରିନାହିଁ। ଏଇଥିପାଇଁ ଯେ ପ୍ରତ୍ୟେକ୍ଷ ଭାବେ ଗାନ୍ଧୀ ପରିବାର ଆଉ ଏହି ରାଜ୍ୟ ସହିତ ଯୋଡି ହୋଇ ରହିନାହାନ୍ତି, ଯଦିଓ ଏକାଧିକ ଥର ସେମାନେ ନିର୍ବାଚନ ଲଢ଼ିଛନ୍ତି ଓ ଜିିତିଛନ୍ତି।

ଏହାର ଫାଇଦା ସମାଜବାଦୀ ପାର୍ଟି ମୁଖିଆ ମୁଲାୟମ ସିଂଙ୍କ ନିକଟକୁ ଯାଇଛି। ମୁସଲିମ୍ ଯାଦବ ଗୋଷ୍ଠୀ ସମ୍ମିଶ୍ରମ କରି ମୁଲାୟମ ନିଜ ଦଳର ଶକ୍ତି ବୃଦ୍ଧି କରିପାରିଛନ୍ତି, ଯାହା ତାଙ୍କୁ ଉତ୍ତରପ୍ରଦେଶରେ ବାରମ୍ବାର କ୍ଷମତା ଦେଇଛି। ସମାନ୍ତରାଳ ଭାବେ ଦଳିତ ଭୋଟକୁ ବହୁଜନ ସମାଜବାଦୀ ପାର୍ଟି ହାତେଇଛି ଓ ବିଜେପି ରାମଜନ୍ମଭୂମି କାର୍ଡରେ ହିନ୍ଦୁ ଭୋଟ ଧରିବାରେ ସକ୍ଷମ ହୋଇ କଂଗ୍ରେସକୁ ବହୁ ପଛକୁ ଠେଲିଦେଇଛନ୍ତି। ଏ ତିନିଟି କ୍ଷେତ୍ରରେ କଂଗ୍ରେସ କୌଣସି ବି ପ୍ରଭାବଶାଳୀ ରଣନୀତି ନିର୍ଧାରଣ ନ କରିବା କାରଣରୁ ମୁଖ୍ୟ ରାଜନୈତିକ ସ୍ରୋତରୁ ଦୂରେଇଯାଇଛି। ବରଂ ଗୋଟିଏ ସମୟରେ ମୁଲାୟମଙ୍କୁ କଂଗ୍ରେସ ବାହ୍ୟ ସମର୍ଥନ କରି ନିଜର ଭୋଟ ବ୍ୟାଙ୍କକୁ ସମାଜବାଦୀ ପାର୍ଟି ପାଖରେ ଅଟକାଇବାରେ ସହଯୋଗ ଦେଇ ଏକ ଭୁଲ ରଣନୀତି ଆପଣେଇଛି। କଂଗ୍ରେସ ସହିତ ଯୋଡ଼ି ହୋଇଥିବା ନେତାମାନେ ଅନ୍ୟ ଦଳର ଆଶ୍ରୟ ନେବାକୁ ଶ୍ରେୟ ମଣିଛନ୍ତି, ଯାହା ଆଦୌ ଅବାସ୍ତବ ନଥିଲା।

ଏହି ତିନି ଦଶନ୍ଧି ଭିତରେ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ରାୟ ବରେଲି ଓ ଆମେଥି ନିର୍ବାଚନରେ ଜିତିଛନ୍ତି। କିନ୍ତୁ ଉତ୍ତରପ୍ରଦେଶକୁ କରାୟତ କରି ଦେଶ ସାମ୍ନାରେ ନିଜ ଶକ୍ତି ପ୍ରଦର୍ଶନ କରିବାରେ ସମର୍ଥ ହୋଇପାରିନାହାନ୍ତି। ଏମିତିକି ୨୦୦୪ରେ ଦଳକୁ ଆସିବା ପରେ ରାହୁଲ ଉତ୍ତରପ୍ରଦେଶରେ ନିଜ ଦୁର୍ଗ ପ୍ରତିଷ୍ଠା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ଦଳ ଏଠାରେ ଏକାକୀ ଯିବାକୁ ନିଷ୍ପତ୍ତି ନେଇଥିଲା ସତ, ହେଲେ ୮୦ ଆସନରୁ ମାତ୍ର ୨୧ଟି ଜିତିଥିଲା। କିନ୍ତୁ ସେତେବେଳେକୁ କଂଗ୍ରେସ ଦଳ ଉପରେ କଳାବାଦଲ ଘୋଟିବା ଆରମ୍ଭ କଲାଣି ଓ ଉତ୍ତରପ୍ରଦେଶ ଆକାଶରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଥିଲା।

୨୦୧୭ ନିର୍ବାଚନରେ ବିଜେପି ଏଠାରେ ବଡ଼ ସଫଳତା ଲାଭ କରିଥିଲା, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତି ବଢ଼ାଇବାରେ ବଡ଼ ଯୋଗଦାନ ବୋଲି କୁହାଯାଇପାରେ। ଏହା ହିଁ ସମାଜବାଦୀ ପାର୍ଟି ଓ ବିଏସପିକୁ ଦୁର୍ବଳ କରିଦେଇଥିଲା। ପରିଣାମ ହେଲା, ୨୦୧୯ରେ ଉଭୟ ରାଜନୈତିକ ଦଳ ଏକ ବଡ଼ ମିଳିତ ମଞ୍ଚ ଗଠନ କରି ଏକାଠି ଠିଆ ହେବାକୁ ଉଦ୍ୟମ କରିଥିଲେ। ରାହୁଲ ଗାନ୍ଧୀ ହାରିବା ପରେ କଂଗ୍ରେସ ମଧ୍ୟ ଏକ ବଡ଼ ଧକ୍କା ଖାଇଲା। ଯଦିଓ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ସାଧାରଣ ସଂପାଦକ ଭାବେ ଉତ୍ତରପ୍ରଦେଶ ରାଜନୀତିରେ ଡେବ୍ୟୁ କରିଥିଲେ, ଏହା ପ୍ରଭାବୀ ସାବ୍ୟସ୍ତ ହୋଇପାରିନଥିଲା। କାରଣ ରଣନୀତି ପ୍ରସ୍ତୁତ କରିବା ଲାଗି ତାଙ୍କ ପାଖେ ଆଦୌ ସୁଯୋଗ ବା ସାମର୍ଥ୍ୟ ନଥିଲା।

ହେଲେ ବିଜେପି ଜାତୀୟ ରାଜନୀତିରେ ଯେଉଁ ଦୁଇ ତିନିଟି ବଡ଼ ବିଫଳତା ସାମ୍ନାକୁ ଆସୁଛି, ତାହା ହେଲା, ଗାନ୍ଧୀ ପରିବାରକୁ ସେମାନେ ବଞ୍ଚାଇ ରଖିଛନ୍ତି। କଂଗ୍ରେସର ଅସ୍ତିତ୍ବ ଦୋହଲି ଯାଇଥିଲେ ହେଁ, ବିଜେପି ତାଙ୍କୁ ଶକ୍ତି ଦେଇ ଚାଲିଛି। ସଭା ସମିତିରେ ଗାନ୍ଧୀ ପରିବାର ବିରୋଧରେ ବିଷୋଦଗାର ଠାରୁ ଆରମ୍ଭ କରି ଜବାହରଲାଲ ନେହରୁ ପ୍ରମୁଖଙ୍କ ସଂପର୍କରେ ବେଶୀ ବିଜେପି କହୁଛି, କଂଗ୍ରେସ ତୁଳନାରେ। ଠିକ୍ ଏମିତି ଏକ ସମୟରେ ବିଜେପି ଆଉ ଏକ ପଦକ୍ଷେପ ନେଇ ପ୍ରିୟଙ୍କାଙ୍କୁ ଦିଲ୍ଲୀରୁ ବେଦଖଲ କରିବା ଲାଗି ଦେଇଥିବା ନୋଟିସ କେଉଁଠି ନା କେଉଁଠି ଗାନ୍ଧୀ ପରିବାରକୁ ରାଜନୀତି କରିବା ଲାଗି ସୁଯୋଗ ଆଣିଦେଇଛି।

ଗତ କିଛି ମାସ ଧରି ପ୍ରିୟଙ୍କା ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଉପରେ ବର୍ଷୁଥିଲେ। ଲକଡାଉନ୍ ସମୟରେ ୧୦୦୦ ବସ ବ୍ୟବସ୍ଥା କରି ଘରକୁ ଫେରୁଥିବା ପ୍ରବାସୀଙ୍କ ମାଧ୍ୟମରେ ପୁଣି ଥରେ ସକାରାତ୍ମକ ଶୈଳୀରେ ପ୍ରବେଶ କରିଥିଲେ ପ୍ରିୟଙ୍କା। ପୁଣି ବିଏସପି ମୁଖିଆ ମାୟାବତୀଙ୍କୁ ତେରଛା ବାଣ ମାରିଥିଲେ। ଯେଉଁଥିରେ ମାୟାବତୀ ବିଜେପିର ଅନୌପଚାରିକ ମୁଖପାତ୍ର ବୋଲି କହିବାକୁ ପଛାଇ ନଥିିଲେ ପ୍ରିୟଙ୍କା।

ଏହା ଦୁଇଟି ସୂତ୍ର ଧରାଇଛି। ମାୟାବତୀ ଧୀରେ ଧୀରେ ବିଜେପି ଆଡକୁ ଢଳିଥିବା କଥାଟି ବର୍ଣ୍ଣନା କରି ଦଳିତ ଭୋଟ ଭିତରେ କଂଗ୍ରେସ ପଶିବାକୁ ଉଦ୍ୟମ କରିଛି। ଦ୍ବିତୀୟତଃ ଆଦୌ ବିଜେପିର ନାଁ ନ ନେଇ ସେ କହିଛନ୍ତି ଯେ ଏବେ ପ୍ରତ୍ୟେକ ଭାରତୀୟ ଭାରତ ସହ ଛିଡ଼ା ହେବା ଉଚିତ୍। ଭାରତର ଆଞ୍ଚଳିକ ଅଖଣ୍ଡତା ସହ ଛିଡ଼ା ହେବା ଉଚିତ୍। ଏହା କେଉଁଠି ନା କେଉଁଠି କଂଗ୍ରେସର ରାସ୍ତା ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ରଖୁଛି। ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନରେ ସେ ବିଏସପି ସହିତ ଆଦୌ ଯିବେ ନାହିଁ, ଏହା ଯେଭଳି ସ୍ପଷ୍ଟ, ଆଞ୍ଚଳିକ କାର୍ଡ ଖେଳିବା ଲାଗି କଂଗ୍ରେସ ଯୋଜନା କରୁଛି, ତାହା ମଧ୍ୟ ସଙ୍କେତ ମିଳୁଛି। ସେହିଭଳି ସମାଜବାଦୀ ପାର୍ଟି ସଂପର୍କରେ ଆଦୌ ମୁହଁ ନ ଖୋଲିବା ମଧ୍ୟ ଏକ ସଙ୍ଗିନ୍ କୌଶଳ ବୋଲି ବିବେଚନା କରାଯାଉଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ଉତ୍ତରପ୍ରଦେଶ ଠାରୁ ଦୂରରେ ରହି ଗାନ୍ଧୀ ପରିବାର ଯେଉଁ ରାଜନୀତି କରୁଥିଲେ, ସେଥିରେ ପ୍ରଥମଥର ପାଇଁ ପରିବର୍ତ୍ତନ ଆସିଛି। ନିଜେ ପ୍ରିୟଙ୍କା ଲକ୍ଷ୍ନୌରେ ଅବସ୍ଥାନ କରିବା ପରେ ଯୋଗୀ ସରକାର ବିରୋଧୀ ସ୍ବରକୁ ରାସ୍ତାକୁ ଆଣିବା ଏଣିକି ଦଳ ପାଇଁ ସହଜ ହେବ। ଏହାଦ୍ବାରା ୟୁପି ସରକାରର ଅବସ୍ଥା ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ଦେଶ ସାମ୍ନାକୁ କଂଗ୍ରେସ ଆଣିବ। ପ୍ରିୟଙ୍କାଙ୍କ ଉପସ୍ଥିତି ପରେ ଉତ୍ତରପ୍ରଦେଶ ରାଜନୀତି ଉପରେ ଗଣମାଧ୍ୟମ ଏବେ ନିୟମିତ ନଜର ରଖିବ। ଏହା ହିଁ କଂଗ୍ରେସର ଭବିଷ୍ୟତ ସଂପର୍କରେ ରାସ୍ତା ଖୋଲିବା ସମ୍ଭାବନା ଅଧିକ ରଖୁଛି।

Leave A Reply

Your email address will not be published.