ଭୁବନେଶ୍ବର: ଆସନ୍ତା ୩ ତାରିଖ ଦିନ ଉଭୟ ବାଲେଶ୍ବର ସଦର ଓ ଜଗତସିଂହପୁରର ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ। ବାଲେଶ୍ବର ଆସନଟି ବିଜେପି ହାତରେ ଥିଲା। ଏଣୁ ବିଜେପି ସେ ଆସନରେ ପ୍ରତିପକ୍ଷ ବିଜେଡିକୁ ଟକ୍କର ଦେଉଛି। ସେହିଭଳି ତିର୍ତ୍ତୋଲ ଆସନରେ ଗତ ନିର୍ବାଚନରେ ବିଜେଡି ଏକ ବଡ଼ ବ୍ୟବଧାନରେ ବିଜୟ ଲାଭ କରିଥିଲା। ଏଣୁ ସ୍ବାଭାବିକ ଭାବେ ଦଳର ପତିଆରା ସେଠାରେ ଅଧିକ ରହିଛି, ପ୍ରତିପକ୍ଷଙ୍କର କମ୍।
ଏଭଳି ଏକ ରାଜନୈତିକ ପୃଷ୍ଠଭୂମିରେ ଦୁଇଟି ଆସନରେ ହେଉଥିବା ଉପନିର୍ବାଚନ ଏବେ ସବୁ ମହଲରେ ଉତ୍କଣ୍ଠା ବଢାଇ ଦେଇଛି। ଏହି ନିର୍ବାଚନ ବିଧାନସଭାର ସଂଖ୍ୟା ଦୃଷ୍ଟିରୁ କୌଣସି ମାନେ ରଖେନାହିଁ। ବରଂ ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଗତ ନିର୍ବାଚନର ଦେଢବର୍ଷ ପରେ କେଉଁ ଦଳର ସ୍ଥିତି କଣ, ତାହା ପରଖିବା ଲାଗି ଗୋଟିଏ ସୁଯୋଗ ଆଣିଦେବ। ବିଶେଷକରି ଓଡ଼ିଶା ମୁଖ୍ୟ ବିରୋଧୀ ଦଳ ବିଜେପିର ଲୋକପ୍ରିୟତା ବଢୁଛି ନା ନାହିଁ, କଂଗ୍ରେସ ସଂଗଠନର ପୁନରୁଦ୍ଧାର ସମ୍ଭବ କି ନୁହେଁ, ସେ କ୍ଷେତ୍ରରେ ଏକ ବଡ଼ ମାନକ ଭାବେ ବ୍ୟବହାର କରାଯାଇପାରେ।
ଆସନ୍ତାବର୍ଷ ପୌର ନିର୍ବାଚନ ହେଉଥିବା ପରିପ୍ରେକ୍ଷୀରେ ଏହି ନିର୍ବାଚନର ଫଳାଫଳ ଓଡ଼ିଶା ରାଜନୀତିର ପାଣିପାଗକୁ ପରିବର୍ତ୍ତନ କରିବା କ୍ଷେତ୍ରରେ ଏକ ବଡ଼ ଭୂମିକା ନେବ। କେବଳ ସେତିକି ନୁହେଁ, ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ମଧ୍ୟ ଏହାର ପ୍ରଭାବ ରହିପାରେ। ଏଣୁ ବିଜେଡି ଅପେକ୍ଷା କଂଗ୍ରେସ ଏବଂ ବିଜେପି ପାଇଁ ଏହି ଉପନିର୍ବାଚନ ବେଶୀ ଗୁରୁତ୍ବ ରଖୁଥିଲା।
ହେଲେ ନିର୍ବାଚନ ପ୍ରଚାର ଶୈଳୀ କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ବିଜେପି ଏହି ଉପନିର୍ବାଚନକୁ ଯେଭଳି ଗୁରୁତ୍ବ ଦେବା କଥା ଦେଇନାହିଁ। ୨୦୧୮ ବିଜେପୁର ଉପନିର୍ବାଚନର ପ୍ରସ୍ତୁତିର ଅଧା କସରତ ବି ଉଭୟ ନିର୍ବାଚନ କ୍ଷେତ୍ରରେ ଦେଖାଗଲା ନାହିଁ। ଜଣେ ବି କେନ୍ଦ୍ରୀୟ ନେତା ଆସିଲେନି। ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ଶୈଳୀ ବି ବିସ୍ମିତ କଲାଭଳି। ବାଲେଶ୍ବର ଛାଡ଼ିପାରିଲେନି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଗୋଟିଏ ଥର ଗସ୍ତରେ ଏଯାଏ ନିଜ ପ୍ରଚାରକୁ ସୀମିତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦଳର ତୁଙ୍ଗ ନେତାମାନଙ୍କ ମଧ୍ୟରୁ ଅଳ୍ପ କିଛି ଥରୁଟିଏ ବୁଲିଦେଇ ଦାୟିତ୍ବ ଝାଡ଼ିଦେଇ ବସିଗଲେ। କୌଣସି ପ୍ରସଙ୍ଗ ସରକାର ବିରୋଧରେ ତିଆରି କରିବାରେ ବିଜେପି ବସ୍ତୁତଃ ବିଫଳ ହୋଇଛି। କଂଗ୍ରେସ କଥା ନ କହିବା ଭଲ।
ଏହି ନିର୍ବାଚନର ପ୍ରଚାର ଶୈଳୀ କେଉଁଠି ନା କେଉଁଠି ସୂଚାଇ ଦେଉଛି, ବିଜେପି ସମ୍ଭବତଃ ଆଉ ବିଜେଡିକୁ ତଡିବା ମାନସିକତାରେ ନାହିଁ। ଅଥବା ଦଳରେ ସାଂଘାତିକ ସମନ୍ବୟ ଅଭାବ ଦେଖାଦେଇଛି ଓ ପରସ୍ପର ମଧ୍ୟରେ ଈର୍ଷା ସୀମା ଛୁଇଁଲାଣି। ସମ୍ଭବତଃ ଏହା ବି ହୋଇପାରେ ଯେ କଂଗ୍ରେସ ଭଳି ଏଠାରେ ବି ଚୌକି ଲୋଭ ନେତାଙ୍କ ଭିତରେ ପ୍ରବଳ ହୋଇଛି, ଯେଉଁଥିପାଇଁ ସଂଗଠିତ ଭାବେ ଲଢିବା ସ୍ଥିତିରେ ଆଉ କେହି ନାହାନ୍ତି।
ତେବେ ସେ ଯାହା ହେଉ, ବିଜେପିର ଏହି ଗୋଟିଏ ନିର୍ବାଚନୀ ଗୋଟିଚାଳନା ଦଳକୁ ପୁଣି ଥରେ ପାଞ୍ଚବର୍ଷ ପଛକୁ ଟାଣି ନେଇଛି। ୨୦୧୭ରୁ ୨୦୧୯ ଯାଏ ଦଳୀୟ ନେତାମାନେ ଯେଉଁ ପରିଶ୍ରମ କରି ପାଖାପାଖି କୋଟିଏ ଭୋଟରେ ପହଞ୍ଚାଇଥିଲେ, ତାହା ଆଜି ଦିନରେ ଦଳ ଆଉଥରେ ହାସଲ କରିବା କାଠିକର ପାଠ ହୋଇପାରେ। ସାଧାରଣରେ ବାର୍ତ୍ତା ଚାଲିଗଲା ଯେ ବିଜେଡି ସହିତ ମୁକାବିଲା କରିବା ଭଳି ମାନସିକତାରେ ବିଜେପି ନାହିଁ।
ରାଜନୈତିକ ମହଲର କହିବା କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯେଉଁ ଭୋଟ ରହିଛି, ତାହାର ନେତୃତ୍ବ ନେବା ଲାଗି ବିରୋଧୀ ପକ୍ଷ ଆଦୌ ପ୍ରସ୍ତୁତ ନାହାନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ବର୍ଷ ସରକାରଙ୍କ ପ୍ରଶଂସାରେ ମାତିଲେ। ଦ୍ବିତୀୟ ବର୍ଷର ସିଂହଭାଗ ସମୟ ଦିଲ୍ଲୀରେ କାଟିଛନ୍ତି। ଯେଉଁ ଦୁଇଚାରିଥର ଓଡ଼ିଶା ଆସିଛନ୍ତି, ସେଥିରେ ତାଙ୍କର ସ୍ବରରେ ସେଭଳି ଗାମ୍ଭୀର୍ଯ୍ୟ ଆଉ ନାହିଁ। ସେତିକି ନୁହେଁ, ନିଜକୁ କେନ୍ଦ୍ର ସରକାରଙ୍କ ସପକ୍ଷବାଦୀ ତଥା ପ୍ରଧାନମନ୍ତ୍ରୀଙ୍କ ଜୟଗାନର ଟ୍ବିଟ୍ ଭିତରେ ସୀମିତ ରଖିଛନ୍ତି। ଏଭଳି ସ୍ଥିତିରେ ନବୀନ ବିରୋଧୀ ଭୋଟର ତାଙ୍କୁ କାହିଁକି ତାଙ୍କର ନେତା ମାନିବେ? କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଥରୁଟିଏ ବି ତିର୍ତ୍ତୋଲ ଆସି ନିଜର ଉପସ୍ଥିତି ଜାହିର କଲେନାହିଁ। କେନ୍ଦ୍ରମନ୍ତ୍ରୀ ବାଲେଶ୍ବରରେ ରହିବା ଉଚିତ୍ , ମାତ୍ର ତିର୍ତ୍ତୋଲରେ ବି ତାଙ୍କର ଗୋଟିଏ ନିର୍ବାଚନୀ ସଭା ଦଳର ଶକ୍ତି ବଢାଇଥାନ୍ତା ଓ ବାଲେଶ୍ବରରେ ସେତେବଡ଼ କ୍ଷତି କରିନଥାନ୍ତା।
ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜକୁ ଭୁବନେଶ୍ବର ସାଂସଦ ଭିତରେ ହିଁ ସୀମାବଦ୍ଧ ରଖିଛନ୍ତି। ଦଳରେ ସବୁ ପ୍ରସଙ୍ଗ ଓ ଗୋଷ୍ଠୀ ଉପରକୁ ଆସି ଜଣେ କେହି ରାଜ୍ୟନେତା ହେବା ସ୍ଥିତିରେ ନାହାନ୍ତି। ଏହା ବିଜେପିକୁ କେବଳ ପଛକୁ ଟାଣୁଛି ତା ନୁହେଁ, ରାଜ୍ୟ ରାଜନୀତିରେ ସକ୍ରିୟ ବିଜେପି ନେତାମାନଙ୍କର ପତିଆରା, ପ୍ରତିଷ୍ଠା ଓ ଦକ୍ଷତାକୁ କାଠ ଗଡାକୁ ଟାଣିଆଣିଛି।
କଂଗ୍ରେସ ସ୍ଥିତି ତା ଚାହିଁ ଖରାପ। ଦଳ ବାରମ୍ବାର ହାରିବା ପରେ ସଂଗଠିତ ହେବା ସ୍ଥିତିରେ ନାହିଁ। ଭୋଟ ନ ହେଲେ ନାହି, ସରକାର ବିରୋଧୀ ଗୋଟିଏ ହାଓ୍ବା ସୃଷ୍ଟି କରିବାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍ ବିଫଳ ହୋଇଛନ୍ତି, ଏକଥା କଂଗ୍ରେସ କର୍ମୀ ଅନୁଭବ କଲେଣି କି ନାହିଁ?