ପ୍ରମୁଖ ଖବର

ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ

ମନ୍ତ୍ରିମଣ୍ଡଳ ଅଦଳବଦଳ ଆସନ୍ନ, କିଏ ବାଦ୍ ପଡ଼ିବେ?

0

ଭୁବନେଶ୍ବର: ବିଧାନସଭା ଶେଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିବେ। ଏଭଳି ଏକ ନକ୍ସା ଉପରେ କସରତ ଆରମ୍ଭ ହୋଇଯାଇଛି। ପଞ୍ଚମ ପାଳିରେ ନବୀନ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଦଳବଦଳ ହେବ। ଏହାର ପ୍ରାରମ୍ଭିକ ପ୍ରକ୍ରିୟା ସ୍ବରୂପ ମନ୍ତ୍ରୀମାନଙ୍କର ଦକ୍ଷତା ମପା ସରିଲାଣି। ଅତ୍ୟନ୍ତ ସନ୍ତର୍ପଣରେ ମୁଖ୍ୟମନ୍ତ୍ରୀ ଏହା ଉପରେ ବିଚାର କରୁଛନ୍ତି। ବିଶେଷକରି ଏହି ଟିମ୍‌କୁ ଧରି ବିଜେଡି ଆଗକୁ ଉଭୟ ପୌର ଏବଂ ପଞ୍ଚାୟତ ନିର୍ବାଚନ ଲଢ଼ିବା ଲାଗି ବିଚାର କରୁଥିବାରୁ ଅଦଳବଦଳକୁ ରାଜନୈତିକ ମହଲ ବି ବେଶ୍ ଗୁରୁତ୍ବ ଦେଉଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବା ସମ୍ଭାବନା ଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହାକୁ ଅପେକ୍ଷା କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି। କେନ୍ଦ୍ରରେ ଅଦଳବଦଳ ଓଡ଼ିଶାରେ କିଭଳି ପ୍ରଭାବ ରଖିବ, ତାହା ଉପରେ ବିଜେଡି ତୀକ୍ଷ୍ଣ ନଜର ରଖିଛି।ବିଶେଷକରି ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଆଗକୁ କେଉଁ ମୋଡ଼ ନେବ, ତାହାର ଆଭାସ ସମ୍ଭାବ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳରୁ ମିଳିପାରେ। ଏଣୁ ମୁଖ୍ୟମନ୍ତ୍ରୀ ଏହାପରେ ଯାଇ ଠୋସ୍ ପଦକ୍ଷେପ ନେବେ ବୋଲି ବିଜେଡି ଶୀର୍ଷ ସୂତ୍ରରୁ ସୂଚନା ମିଳୁଛି।

ସରକାରର ୧୨ଜଣ ମନ୍ତ୍ରୀ ଏବେ ପ୍ରଭାବହୀନ ହୋଇପଡିଛନ୍ତି। କିନ୍ତୁ ରାଜନୈତିକ ଭାରସାମ୍ୟକୁ ବିଚାରକୁ ନେଇ ନବୀନ ଏକ ତୃତୀୟାଂଶ ଅର୍ଥାତ୍ ୬ରୁ ୮ ମନ୍ତ୍ରୀଙ୍କ ପରିବର୍ତ୍ତନ ସଂପର୍କରେ ବିଚାର କରୁଥିବା ଖବର ଆସୁଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଟ୍ରାକ୍‌ ରେକର୍ଡ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେବା ପରେ ସରକାର ଗୋଟିଏ ସମୟରେ ତାଙ୍କୁ ଗଣମାଧ୍ୟମରୁ ଦୂରେଇ ରହିବାକୁ ସଙ୍କେତ ଦେଇଥିଲେ। ଏହା ପରେ ତାଙ୍କ ଝିଅର କାର୍ଯ୍ୟ ତାଙ୍କୁ ଅକଳରେ ପକାଇଥିଲା। ନବଙ୍କ କାର୍ଯ୍ୟ ସରକାରଙ୍କୁ ସନ୍ତୁଷ୍ଟ କରୁନଥିଲେ ହେଁ, ଏବେ ରାଜନୈତିକ କାରଣରୁ ତାଙ୍କ ମନ୍ତ୍ରୀ ପଦ ପ୍ରତି କମ୍ ବିପଦ ରହିଛି। ତାଙ୍କ ବିଭାଗରେ ପରିବର୍ତନ କରାଯିବା ସମ୍ଭାବନା ଅଧିକ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଅତ୍ୟନ୍ତ ଏବେ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ। ମାତ୍ର ତାଙ୍କର ପାରଦର୍ଶିତା ନବୀନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଭାଗକୁ ଦିଗଦର୍ଶନ ଦେବା ତ ଦୂରର କଥା ମହିଳା ଓ ଶିଶୁ ବିକାଶର ଭଲ କାମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ସର୍ବନିମ୍ନ କସରତ ମଧ୍ୟ ସେ କରୁନାହାନ୍ତି। ତାଙ୍କର କାର୍ଯ୍ୟ ଏବେ ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇଯାଇଛି। ସରକାର ଏହାକୁ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ମନ୍ତ୍ରିମଣ୍ଡଳରେ ଥିବା ପଦ୍ମିନୀ ଦିଆନଙ୍କ କଥା ନ କହିବା ଭଲ। ସେହିଭଳି ଆଦିବାସୀ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କାର୍ଯ୍ୟ ବି ସରକାରଙ୍କୁ ଆନ୍ଦୋଳିତ କରୁଛନ୍ତି। ନବୀନ ଭଲ ଭାବେ ବୁଝିପାରୁଛନ୍ତି ଯେ ଏମାନଙ୍କର ବିଭାଗ ପ୍ରତି ମଧ୍ୟ ସର୍ବନିମ୍ନ ଶ୍ରଦ୍ଧା ନାହିଁ। ନୂଆ ଓଡ଼ିଶା ଗଠନ ଲାଗି ସେ ଯେଉଁ ସ୍ବପ୍ନ ଦେଖୁଛନ୍ତି, ସେଥିରେ ଏମାନେ ବାଧକ ହୋଇଛନ୍ତି।

ବାଲେଶ୍ବର ନିର୍ବାଚନରେ ସରକାରଙ୍କ କସରତ ସୂଚାଇ ଦେଉଛି ଯେ ଉତ୍ତର ଓଡ଼ିଶାରେ ସଂଗଠନ ଦଳକୁ ଆଗକୁ ନେବାରେ ଆଦୌ ସହାୟକ ହୋଇପାରୁନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଉତ୍ତର ଓଡ଼ିଶା ସଂଲଗ୍ନ ୪ଟି ଜିଲ୍ଲା ଅର୍ଥାତ୍ ବାଲେଶ୍ବର-ଭଦ୍ରକ ପାଇଁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୟୂରଭଂଜରେ ସୁଦାମ ମାରାଣ୍ଡି, କେନ୍ଦୁଝର ଜିଲ୍ଲା ତରଫରୁ ପ୍ରେମାନନ୍ଦ ନାୟକ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି, ଏମାନେ ସରକାରଙ୍କୁ ଉତ୍ତର ଓଡ଼ିଶାରେ ସୁରକ୍ଷା ଦେଇପାରୁନାହାନ୍ତି। ଏବେ ଉତ୍ତର ଓଡ଼ିଶା ସଂଲଗ୍ନ ଚାରିଟି ଜିଲ୍ଲାରେ ବିଜେଡି ସଂଗଠନ ଦୋହଲିବା ଆରମ୍ଭ କରିଛି। ଏଣୁ ବେଳ ଥାଉ ଥାଉ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ବିଜେଡି ଏବେ ଏସବୁ ଜିଲ୍ଲାକୁ ଫୋକସ୍ କରୁଥିବା ପରିପ୍ରେକ୍ଷୀରେ ମନ୍ତ୍ରୀମାନଙ୍କ ଭୂମିକା ଓ ଆବଶ୍ୟକତା ନେଇ ମଧ୍ୟ ଚିନ୍ତା କରିବାକୁ ସରକାର ବାଧ୍ୟ ହୋଇଛନ୍ତି।

କୌତୂହଳର କଥା ହେଉଛି, ପୁରୀ ଜିଲ୍ଲାରେ ବିଜେଡିର ତିନି ଜଣ ବିଧାୟକ ଜିତିଛନ୍ତି। ଦଳ ରାଜନୈତକ ଚାପ କୌଶଳକୁ ଏଡ଼ାଇବାକୁ ଯାଇ ତିନି ଜଣ ନେତାଙ୍କୁ କ୍ଷମତା ଧରାଇଛି। କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ବ ସମୀର ରଂଜନ ଦାଶଙ୍କ ହାତରେ ରହିଛି। ସର୍ବୋପରି ନିର୍ବାଚନରେ ପରାଜୟ ବରଣ କରିଥିଲେ ହେଁ ସଂଜୟ ଦାସବର୍ମା ଏବେ କ୍ୟାବିନେଟ୍ ପାହ୍ୟାର ଯୋଜନା ବୋର୍ଡ ଉପାଧ୍ୟକ୍ଷ ଅଛନ୍ତି। ହେଲେ ବିଜେପି ଏଠାରେ ରାଜ୍ୟ ସରକାରଙ୍କୁ ଲଡାଙ୍ଗପଟାଙ୍ଗ କଲେଣି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ବପ୍ନର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ଯେଉଁଥିରେ ପାଖାପାଖି ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଅନ୍ୟପଟେ ବିଜେଡି ଦୁର୍ଗ ସେଠାରେ ଦୋହଲୁଛି ଓ ସରକାରୀ ବିରୋଧୀ ହାଓ୍ବା କମିବା ବଦଳରେ ବଢ଼ିବାରେ ଲାଗିଛି। ଏହି ନେତାମାନେ ସେଠାରେ ସରକାରଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି। ପରିଣାମ ହେଲା ସରକାରରେ ମନ୍ତ୍ରୀମାନଙ୍କର ରାଜନୈତିକ ପ୍ରଭାବ ଗୌଣ ହୋଇଗଲାଣି, ଯାହା ସେମାନଙ୍କ ମନ୍ତ୍ରୀ ପଦ ପ୍ରତି ବିପଦ ଟାଣି ଆଣିବା ସ୍ବାଭାବିକ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି।

ଗଞ୍ଜାମ ରାଜନୀତିରେ ମଧ୍ୟ ନବୀନ ସାମାନ୍ୟ ଏପଟ ସେପଟ କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପରିବର୍ତ୍ତନ ହୋଇପାରନ୍ତି। ସେ ମନ୍ତ୍ରୀ ଭାବେ ବେଶୀ ପ୍ରଭାବୀ ହେବେ ବୋଲି ଗୋଟିଏ ପକ୍ଷ ଯୁକ୍ତି ରଖୁଛନ୍ତି। ମନ୍ତ୍ରିମଣ୍ଡଳରେ ମଧ୍ୟ ହେଭିଓ୍ବେଟ୍ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଯୋଗଦାନ ସେଭଳି ଆଖିଦୃଶିଆ ରହୁନାହିଁ। ସେପଟେ ଗଞ୍ଜାମ ଜିଲ୍ଲାରେ ଅସନ୍ତୋଷ ବଢ଼ିବାରେ ଲାଗିଛି ଓ ବିଜେଡିର ଗୋଟିଏ ଗୋଷ୍ଠୀ ମନ ଉଣା କରିଛନ୍ତି। ଏଥିରେ ପରିବର୍ତ୍ତନ ନ ହେଲେ, ଗଞ୍ଜାମ ଜିଲ୍ଲାରେ ବିରୋଧୀ ସଶକ୍ତ ହେବାର ସମ୍ଭାବନା ରହିଛି। ଏଣୁ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ସମୟରେ ଗଞ୍ଜାମ ଜିଲ୍ଲାରେ କିଛି ଏପଟସେପଟ ହେବା ବିଚିତ୍ର ନୁହେଁ ବୋଲି କୁହାଯାଉଛି।

କ୍ରମବର୍ଧିଷ୍ଣୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପତିଆରା ବୃଦ୍ଧି ଏବେ ଭୁବନେଶ୍ବରରେ ବି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ରୋକିବାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସଫଳ ହୋଇପାରିନାହାନ୍ତି। ପରିଣାମ ହେଲା, ବିଜେଡି ଓ ସରକାର ଏଠାରେ ଅକଳରେ ପଡୁଛନ୍ତି। କେବଳ ସେତିିକି ନୁହେଁ, ସରକାରରେ ମଧ୍ୟ ନିଜ ପାରଦର୍ଶିତା ପ୍ରଦର୍ଶନ କରିବାରେ ଶ୍ରୀ ପଣ୍ଡା ବେଶୀ କିଛି ଉଲ୍ଲେଖନୀୟ କାର୍ଯ୍ୟ କରିପାରିନାହାନ୍ତି। ଏଭଳିସ୍ଥିତିରେ ଶ୍ରୀ ପଣ୍ଡାଙ୍କ ବଦଳରେ ଅବିଭକ୍ତ ଖୋର୍ଧା ଜିଲ୍ଲାରୁ ଆଉ କାହାକୁ ମନ୍ତ୍ରୀ କରିବା ସଂପର୍କରେ ବିଜେଡି ଶିବିରରେ ଗଭୀର ଚିନ୍ତା ଚାଲିଛି। ଏପରିକି ଗୋଟିଏ ମହଲ ଅରବିନ୍ଦ ଢାଲିଙ୍କ ଭଳି ନେତା ବର୍ତମାନ ସମୟରେ ସାମ୍ନାକୁ ଆସିବା ଦରକାର ବୋଲି କହିବା ଆରମ୍ଭ କଲେଣି। ଏହାବ୍ୟତୀତ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା ଓ ଅରୁଣ ସାହୁଙ୍କ ବିଭାଗରେ ସାମାନ୍ୟ ଅଦଳବଦଳ ହେବା ସମ୍ଭାବନା ବଢ଼ିଯାଇଛି।

Leave A Reply

Your email address will not be published.