- ସବୁ ଜିଲ୍ଲାରେ ସକ୍ରିୟ ହୋଇପାରୁନି ଦଳ, ଅଧା ନେତା ନିଷ୍କ୍ରିୟ
- ପ୍ରସଙ୍ଗ ଯେଭଳି ଅବୁଝା, କାର୍ଯ୍ୟକ୍ରମ ସେମିତି ଅଧପନ୍ତରିଆ
- ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ, ତଥାପି ହେଜୁନାହାନ୍ତି
- କର୍ମୀଙ୍କୁ ଅସ୍ପଷ୍ଟ ସଙ୍କେତ ଗଲେ, ସ୍ପଷ୍ଟ ମତ ମିଳିବା କାଠିକର ପାଠ

ଭୁବନେଶ୍ବର: ଗତବର୍ଷ ଜାନୁଆରି ମାସରେ ଦଳର ବରିଷ୍ଠ ନେତା ସମୀର ମହାନ୍ତିଙ୍କୁ ରାଜ୍ୟ ସଭାପତି ଭାବେ ମନୋନୀତ କରିଥିଲା ବିଜେପି। ଉପସଭାପତି ପଦରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏହି ସଫଳତା ଲାଗି ବାଟ ଖୋଲିଥିବା ସେ ସମୟରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖିଥିଲେ। ତୃଣମୂଳସ୍ତରକୁ ବାର୍ତ୍ତା ଯାଇଥିଲା, ଧୈର୍ଯ୍ୟ ଓ ଶୃଙ୍ଖଳାକୁ ଆଧାର କରି ନେତୃତ୍ବ ପ୍ରତି ପ୍ରତିବଦ୍ଧ ରହିଲେ, ସଫଳତା ମିଳିବ ହିଁ ମିଳିବ। ଏ ନିଷ୍ପତ୍ତି ଏକଥା ବି ସୂଚାଇଥିଲା ଯେ ରାଜ୍ୟ ବିଜେପିରେ କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସାରା ହିଁ ଚାଲିବ। ସେ ଚାହିଁଲେ ଓ ତାଙ୍କର ପ୍ରମୁଖ ନେତା ସମୀର ମହାନ୍ତି ସଭାପତି ହେଲେ।
ଇତିମଧ୍ୟରେ ବର୍ଷେ ବିତିଗଲାଣି। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡି ପାଗ ଭିଡ଼ିଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇ ବିକାଶ କାର୍ଡ ଖେଳୁଛନ୍ତି। ହେଲେ ଦୁଇ ତିନିଟି ଘଟଣାକୁ ବାଦ୍ ଦେଲେ ଅନେକ ପ୍ରସଙ୍ଗରେ ରାଜ୍ୟ ବିଜେପି କାହିଁକି ନିରବ ପଡ଼ିଛି? ଉପସଭାପତି ଥିବା ସମୟରେ ସମୀରଙ୍କ ପ୍ରଦର୍ଶନର ଝଲକ ସଭାପତି ସମୟରେ କାହିଁକି ଦେଖିବାକୁ ମିଳୁନାହିଁ। ସମୀରଙ୍କ ଉପରେ ଚାପ ରହିଛି କି? ସମୀରଙ୍କୁ ଦଳର ଗୋଟିଏ ଗୋଷ୍ଠୀ ସମର୍ଥନ ଦେଉନାହାନ୍ତି କି? ସମୀରଙ୍କ ନିର୍ବାଚନମଣ୍ଡଳୀରେ ଯେବେ ଏକାମ୍ର ଯୋଜନା ବାଇ-ଲ କାର୍ଡକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ କମ୍ପନ ସୃଷ୍ଟି କରୁଛନ୍ତି, ସେବେ ସମୀର ନିରବ ରହୁଛନ୍ତି କେମିତି ? ତାଙ୍କ ନିର୍ବାଚନମଣ୍ଡଳୀର ସେ ନେତୃତ୍ବ ନେଉନାହାନ୍ତି ନା ଅପରାଜିତା ତାଙ୍କୁ ଏଡ଼ାଇ ଯାଇ ପୃଥକ୍ ଭାବେ ଚାଲୁଛନ୍ତି? ଏଭଳି ପ୍ରଶ୍ନ ବିଜେପି ଆଭ୍ୟନ୍ତରୀଣ ମହଲରୁ ଆରମ୍ଭ କରି ବିରୋଧୀ ରାଜନୈତିକ ନେତା, ପର୍ଯ୍ୟବେକ୍ଷକ ମହଲ ପର୍ଯ୍ୟନ୍ତ ସବୁଠାରେ ଚର୍ଚ୍ଚା ହେଉଛି।

ଏକଥା ସମସ୍ତେ ଜାଣନ୍ତି ଯେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ପରେ ଅର୍ଥାତ୍ ପାଖାପାଖି ଦୁଇ ଦଶନ୍ଧି ପରେ ସଭାପତି ଦାୟିତ୍ବ ନେବାରେ ସମୀର ହେଉଛନ୍ତି ଦ୍ବିତୀୟ ଉପକୂଳ ନେତା। ୨୦୨୪ ସାଧାରଣ ନିର୍ବାଚନ ହେଉ କି ଆସନ୍ତା ପଞ୍ଚାୟତ ଏବଂ ପୌର ନିର୍ବାଚନ ସବୁ କ୍ଷେତ୍ରରେ ଉପକୂଳରେ ଯଦି ବିଜେପି ଭଲ ପ୍ରଦର୍ଶନ କରିନପାରିଲା, ତେବେ ଦଳର ଲମ୍ବା ଯାତ୍ରା ଯଥେଷ୍ଟ ପ୍ରଭାବିତ ହେବ। ଏଣୁ ସମୀରଙ୍କ ଉପରେ ଚାପ ରହିବା ସ୍ବାଭାବିକ।
ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶା କିଛି ପରିମାଣରେ ବିଜେପିର ସମ୍ମାନ ରକ୍ଷା କରିଛି। ଏଥର ଆରମ୍ଭରୁ ପଶ୍ଚିମକୁ ଫୋକସ କଲାଣି ବିଜେଡି। ଏମିତିରେ ବି ବିଜେଡିର ଉପକୂଳ ଗଡ଼ ଟିକେ ଅଧିକ ଦୃଢ। ଏଣୁ ଯଦି ପଶ୍ଚିମରେ ବିଜେଡି ଏଥର ତୃଣମୂଳ ନିର୍ବାଚନରେ ବିଜେପିକୁ ଦୋହଲାଇ ଦେଲା ଏବଂ ସେ ସମୟରେ ଉପକୂଳରେ ବିଜେପିର ସ୍ଥିତି ସୁଦୃଢ ହୋଇନଥିବ, ତେବେ ଦଳକୁ ଏକ ଭୀଷଣ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ।
ପଶ୍ଟିମରେ ଜୁଏଲ ଓରାମ, ସୁରେଶ ପୂଜାରୀ, କନକ ବର୍ଧନ ସିଂହଦେଓ ଏବଂ ବସନ୍ତ ପଣ୍ଡାଙ୍କ ଭଳି ଚାରି ଚାରି ଜଣ ନେତା ସଭାପତି ଭାବେ ରହିଆସିଛନ୍ତି। ବିଜେପି ଶକ୍ତି ବୃଦ୍ଧି ପଛରେ ଅନେକ କାରଣ ମଧ୍ୟରୁ ଇଏ ବି ଗୋଟିଏ କାରଣ। ଏବେ ଯଦି ଅନୁରୂପ ସ୍ଥିତି ଉପକୂଳରେ ନ ହୋଇପାରିଲା, ତେବେ ସମୀରଙ୍କ ପତିଆରା ଓ ରାଜନୈତିକ ଯାତ୍ରା ଯଥେଷ୍ଟ ପ୍ରଭାବିତ ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ପୂର୍ବାନୁମାନ କଲେଣି।
ସ୍ମରଣଯୋଗ୍ୟ, ଯେବେ ବିଜେପି ସଭାପତି ଭାବେ ସମୀର ଦାୟିତ୍ବ ନେଲେ, ସେଦିନ ସଭାରେ ବିଜେପି ନେତାମାନେ କହିଥିଲେ ଯେ ୨୦୧୯ ନିର୍ବାଚନରେ ଲୋକସଭାରେ ୩୮ ପ୍ରତିଶତ, ବିଧାନସଭାରେ ୩୨ ପ୍ରତିଶତ ଭୋଟ ହାସଲ କରିଛି ଦଳ। ୮ ଲୋକସଭା ଆସନରେ ମଧ୍ୟ ବିଜୟ ଲାଭ କରିଛି। ଓଡ଼ିଶାକୁ ଭାରତରେ ଏକ ନମ୍ବର ରାଜ୍ୟ କରିବାକୁ ହେବ। ଏହି ଦୃୃଢ ସଂକଳ୍ପ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନେବାକୁ ପଡିବ। ସରକାର ଗଢିବା କିମ୍ବା ଲୋକସଭା ଆସନରେ ବିଜୟ ପାଇଁ ନୁହେଁ,ବରଂ ଗତ ୭୦ବର୍ଷ ଧରି ଓଡ଼ିଆ ଲୋକ ନିଜ ହକ୍ରୁ ଯେଭଳି ବଞ୍ଚିତ ଅଛି, ତାକୁ ତା ହାତରେ ଦେବାକୁ ପଡିବ। ରାଜ୍ୟରେ ସଶକ୍ତ ବିରୋଧୀ ଦଳ ଭାବେ କାମ କରିବାକୁ ନେତାମାନେ ଆହ୍ବାନ ଦେଇଥିଲେ।

ଏହି ସଭାରେ ଆହୁରି କୁହାଯାଇଥିଲା, ସମୀରଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ଭଲ ପ୍ରଦର୍ଶନ କରିବ। ନୂଆ ସଭାପତିଙ୍କୁ ସମସ୍ତେ ସହଯୋଗ କରିବେ ବୋଲି କହିଥିଲେ। କେନ୍ଦ୍ରରୁ ଯେଉଁ ନିର୍ଦେଶ ଆସୁଛି, ତାହାକୁ ରାଜ୍ୟର ୩୭ ହଜାର ବୁଥ୍ରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା ଚାଲୁଛି, ଯାହା ଆଗକୁ ଆହୁରି ଜୋରଦାର କରାଯିବ ବୋଲି ବି ନେତାମାନେ ଦମ୍ଭ ଦେଖାଇଥିଲେ।
ବାସ୍ତବତା ହେଲା, ରାଜ୍ୟର ପ୍ରମୁଖ ପ୍ରସଙ୍ଗମାନଙ୍କରେ ବିଜେପିର ମତ ଶୂନ। ପରୀ ପ୍ରସଙ୍ଗରେ କମ୍ପନ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାକୁ ଭେଦି ପାରିଲାନି କି ମାହାଙ୍ଗା ମର୍ଡର ଘଟଣାରେ କଟକ ଜିଲ୍ଲାର କମ୍ପନ ଖୋର୍ଧା ଜିଲ୍ଲାରେ ହେଲାନି। ଧାନର ଅଭାବୀ ବିକ୍ରିକୁ ନେଇ ଲଢ଼େଇ ଉପକୂଳରେ ବି ରହିଛି। ହେଲେ ପଶ୍ଚିମ ଓଡ଼ିଶାରେ ଅଟକିଗଲା ଦଳ। କୋଟିଆ ପ୍ରସଙ୍ଗରେ ବିଜେପିର ସ୍ବର ଯେମିତି ଅସ୍ପଷ୍ଟ ରହିଲା, ମହାନଦୀ ପ୍ରସଙ୍ଗରେ ବି ସେମିତି ଅବୁଝା। ଦୁଇ ଦୁଇଟି ଉପନିର୍ବାଚନରେ ବିଜେପି ଜିତିପାରିଲାନି, ବରଂ ଗୋଟିଏ ଆସନ ଦଳ ହାତଛଡ଼ା କଲା। ସବୁଠାରୁ ବଡ଼ କଥା ହେଲା, ନିର୍ବାଚନ ଲଢ଼ିଥିବା ପାଖାପାଖି ଅଧା ନେତା ସକ୍ରିୟ ନ ଥିବା ବେଳେ ସେସବୁ ସ୍ଥାନରେ ବିକଳ୍ପ ସୃଷ୍ଟି କରିବା ଲାଗି ବି ନେତୃତ୍ବ ଇସାରା ଦେଉନି।
ଏସବୁ କେଉଁଠି ନା କେଉଁଠି ସୂଚାଇ ଦେଉଛି ସମୀରଙ୍କ ଶାସନରେ ମୁଖ୍ୟ ବିରୋଧୀ ଦଳ ବିଜେପି ପୂର୍ବ ସରକାର ସମୟର ଦବ୍ଦବା ରକ୍ଷା କରିବାରେ ବିଫଳ ହୋଇଛି। ପଞ୍ଚାୟତନିର୍ବାଚନ ଢେର ପୂର୍ବରୁ ବିଜେପି ଘର ନ ସଜାଡ଼ିଲେ, ସ୍ଥିତି ବିଗିଡ଼ିଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଲୋକଙ୍କୁ ଅସ୍ପଷ୍ଟ ବାର୍ତ୍ତା ଗଲେ, ସ୍ପଷ୍ଟ ଜନମତ ଆସିବ କେଉଁଠୁ?