ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବିଜେଡି ଉପରେ କାହିଁକି ରାଗିଲା ବିଜେପି?

0

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ରାଜ୍ୟ ସରକାର ନେଉଛନ୍ତି। ଟଙ୍କିକିଆ ଚାଉଳ କ୍ଷେତ୍ରରେ ରାଜ୍ୟ ବିଜେପିର ଏଭଳି ଅଭିଯୋଗ ଢେର୍ କିଛି ବର୍ଷ ହେଲା ଶୁଣାଯାଉଛି। କିନ୍ତୁ ଏସବୁ ସେହି ତମ୍ବିତୋଫାନ, ରାଜନୈତିକ ଭାଷଣ ବାଜିରେ ସୀମିତ ରହିଛି। ଠିକ୍ ସେମିତି ଘର (ପ୍ରଧାନମନ୍ତ୍ରୀ ଆବାସ ଯୋଜନା) କଳି ବି ବେଶ୍ ପୁରୁଣା। ଗତ କିଛି ମାସ ହେଲାଣି, ରାଜ୍ୟ ବିଜେପି ନେତାଙ୍କର ଏ ସଂକ୍ରାନ୍ତ ଗର୍ଜତର୍ଜନ, ତମ୍ବିତୋଫାନ କେବଳ ଗଣମାଧ୍ୟମରେ ସୀମିତ ଥିଲା। ବିଜେପି ଯେତେ ସ୍ମାରକପତ୍ର ଦେଲେ ବି ତାହା ଉପରେ କୌଣସି ପଦକ୍ଷେପ ନେଉନଥିଲେ କେନ୍ଦ୍ର ସରକାର। ଉଁ କି ଚୁଁ କିଛି କହୁନଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରକଳ୍ପରେ ରାଜ୍ୟର ଲୋଗୋ ପ୍ରସଙ୍ଗକୁ ଏତେଟା ଜୋର ଦେଉନଥିଲେ। ଏମିତିରେ ବି ରାଜ୍ୟ ସରକାର ସଂଶୋଧିତ ନିର୍ଦେଶନାମା ଜାରି କରି ଉଭୟ କେନ୍ଦ୍ର ଓ ରାଜ୍ୟର ଲୋଗୋ ସମାନ ଆକାରର ରହିବ ବୋଲି ନିର୍ଦେଶନାମା ଜାରି କରିସାରିଥିଲେ। ଏଣୁ ଆଶା କରାଯାଉଥିଲା ଏହି ପ୍ରସଙ୍ଗରେ ଆଉ ବିବାଦ ହେବାର ନାହିଁ।

ହେଲେ ହଠାତ୍ ଏମିତି କ’ଣ ହେଲା ଯେ କେନ୍ଦ୍ର ସରକାର ରାଜ୍ୟ ଉପରେ ଏତେ ଖପ୍ପା ହେଲେ? କ’ଣ କାରଣ ହୋଇପାରେ? ଅଧିକାଂଶ ରାଜ୍ୟ ଏଭଳି କେନ୍ଦ୍ରୀୟ ଯୋଜନାକୁ ନିଜ ଇଚ୍ଛାରେ ଚଳାଉଥିବା ବେଳେ ଓଡ଼ିଶା କ୍ଷେତ୍ରରେ କେନ୍ଦ୍ର ସରକାର ଏତେ କଠୋର କାହିଁକି ହେଲେ? ଯଦିଓ ରାଜ୍ୟ ସରକାର ପାଖାପାଖି ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି ବୋଲି ଦର୍ଶାଉଛନ୍ତି, ତା ସତ୍ତ୍ବେ କେନ୍ଦ୍ର ସରକାର କାହିଁକି ଓଡ଼ିଶା କ୍ଷେତ୍ରରେ କେବଳ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରି ବାରଣ କଲେ ଯେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଲୋଗୋ ଲାଗିପାରିବ ନାହିଁ?

ଏମିତି ପୁଳା ପୁଳା ପ୍ରଶ୍ନ ଉପରେ ରାଜନୈତିକ ମହଲ ଘଣ୍ଟାଚକଟା ଚଳାଇଛନ୍ତି।ଠୋସ୍ କୌଣସି ନିଷ୍କର୍ଶ ଏଯାଏ ଆସିପାରିନାହିଁ। ନୂଆଦିଲ୍ଲୀର ଶୀର୍ଷସ୍ତରରୁ ମିଳୁଥିବା ଖବର ଅନୁସାରେ, ସଂସଦରେ ବିଜେଡି ନେତାମାନଙ୍କ ଭୂମିକା କେନ୍ଦ୍ର ସରକାରଙ୍କୁ ଭଲ ଲାଗିନି। ବିଶେଷକରି ରାଜ୍ୟସଭାରେ କୃଷି ବିଲ୍‌ ସଂପର୍କରେ ବିଜେଡିର ଭୂମିକା ସେମାନଙ୍କ ମନରେ ଅନେକ ପ୍ରଶ୍ନ ଛିଡ଼ା କରିଥିଲା। ଏବେ ୨୪ ତାରିଖ ଦିନ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀର ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି ସମ୍ପର୍କିତ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର (ସଂଶୋଧନ) ବିଧେୟକ ୨୦୨୧କୁ ରାଜ୍ୟ ସଭାରେ ବିଜୁ ଜନତା ଦଳ ପକ୍ଷରୁ ବିରୋଧ କରାଯିବା ଓ ପରେ କକ୍ଷତ୍ୟାଗ ଘଟଣା ବିଜେପିର ଶୀର୍ଷ ନେତୃତ୍ବକୁ ଭୀଷଣ ଅସନ୍ତୁଷ୍ଟ କରିଛି।

ଯଦିଓ ମାର୍ଚ୍ଚ ୨୪ ତାରିଖରେ ଆସିଥିବା ଏହି ବିଧେୟକ ରାଜ୍ୟସଭାରେ ସେହିଦିନ ବିରୋଧୀ ଦଳର କକ୍ଷତ୍ୟାଗ ସତ୍ତ୍ବେ ଅନୁମୋଦନ ଲାଭ କରିଥିଲା, ବିଜେଡିର ଭୂମିକାକୁ କିନ୍ତୁ କେନ୍ଦ୍ର ସରକାରଙ୍କୁ ବିସ୍ମିତ କରିଥିଲା। ସେଦିନ ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଏହି ବିଧେୟକ ରାଜ୍ୟର ନିର୍ବାଚିତ ସରକାରଙ୍କର କ୍ଷମତାକୁ ଦୁର୍ବଳ କରିଦେବାର ଭୟ ରହିଛି। ଏହା ସଂଘୀୟ ସହଭାଗିତାକୁ ବ୍ୟାହତ କରିପାରେ। ବିଜୁ ଜନତା ଦଳ ଏଭଳି କୌଣସି ଆଇନ ପାରିତ କରିବାରେ ଅଂଶୀଦାର ହୋଇ ପାରିବ ନାହିଁ; ଯେଉଁଥିରେ ଲୋକଙ୍କ ଦ୍ବାରା ନିର୍ବାଚିତ ସରକାର ବା ବିଧାନସଭାର କ୍ଷମତା କ୍ଷୁର୍ଣ୍ଣ କରିବ। ଏହାପରେ ବିଜେଡି ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

ସମ୍ପୂର୍ଣ୍ଣ ଦିଲ୍ଲୀ ସରକାରଙ୍କ ସଂପର୍କିତ ଏକ ବିଲ୍‌ ଉପରେ ବିଜେଡି ଭଳି ଆଞ୍ଚଳିକ ଦଳ ଏଭଳି ଭୂମିକା ଗ୍ରହଣ କରିବା ନେଇ ବିଜେପି ଶିବିରରେ ବେଶ୍ ଘଣ୍ଟାଚକଟା ହୋଇଥିଲା। କିଛି ବିଜେଡି ନେତା ସୂଚାଇ ଦେଇଥିଲେ ଯେ ହାଇକମାଣ୍ଡଙ୍କ ନିର୍ଦେଶକୁ ଦଳ କାର୍ଯ୍ୟକାରୀ କରିଛି। ପୂର୍ବରୁ କୃଷି ବିଲ୍ ଭୂମିକାରେ ଦ୍ବନ୍ଦ୍ବରେ ଥିବା ବିଜେପି ନେତାମାନଙ୍କୁ ଏହା ଚମକାଇ ଦେଇଥିଲା। ବିଶେଷକରି କେନ୍ଦ୍ରମନ୍ତ୍ରୀ ପୀୟୂୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ଏବଂ ନରେନ୍ଦ୍ର ସିଂହ ତୋମାର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହି ପ୍ରସଙ୍ଗ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପର୍ଯ୍ୟନ୍ତ ନେଇଥିବା କୁହାଯାଉଛି।

ପୂର୍ବରୁ କୃଷି ବିଲ୍ ସମୟରେ ବିଜେପି ଶୀର୍ଷ ନେତୃତ୍ବ ଧରିନେଇଥିଲେ ଯେ ପଶ୍ଚିମ ଓଡ଼ିଶାରେ ଚାଷୀ ଅସନ୍ତୋଷ ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ରାଜ୍ୟସଭା ନେତା ଶ୍ରୀ ଆଚାର୍ଯ୍ୟଙ୍କ ପରାମର୍ଶକ୍ରମେ ନିଆଯାଇପାରିଥାଏ। ହେଲେ ଏହି ବିଧେୟକ ପରେ କେନ୍ଦ୍ରୀୟ ନେତା ଅତ୍ୟନ୍ତ କଠୋର ହୋଇଛନ୍ତି ଓ ବିଜେଡି ଯେ ବିଜେପି ବିରୋଧରେ ଯିବା ଆରମ୍ଭ କରିଦେଇସାରିଲେଣି ଓ ଯୋଜନବଦ୍ଧ ଭାବେ ଘେରୁଛି, ଏଭଳି ଏକ ଧାରଣା ସେମାନଙ୍କ ମନରେ ସୃଷ୍ଟି ହୋଇଛି।

ଏଣୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ନେଇ ବିଜେପି ଏକଥା ଜଣାଇବାକୁ ଚାହିଁଛି ଯେ ସେମାନେ ବି ଭୀଷଣ ଅସନ୍ତୁଷ୍ଟ ଅଛନ୍ତି। କେବଳ ସେତିକି ନୁହେଁ, ବିଜେପିର ଜଣେ କେନ୍ଦ୍ରୀୟ ନେତା ନିଜ ନାମ ଗୋପନ ସର୍ତ୍ତରେ ଏକଥା ବି କହିଛନ୍ତି ଯେ ଆଗକୁ କିଛି ଘଟଣାରେ କେନ୍ଦ୍ର ସରକାର ଆଉ କିଛି ବଡ଼ ପଦକ୍ଷେପ ନେବା ସମ୍ଭାବନାକୁ ବି ଏଡ଼ାଇ ଦେଇ ହେବନାହିଁ।

Leave A Reply

Your email address will not be published.