ପ୍ରମୁଖ ଖବର

ବାରହେତରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ଗାଣ୍ଡେୟରୁ ନାମାଙ୍କନ ଭରିଲେ ପତ୍ନୀ କଳ୍ପନା
ବାତ୍ୟା ଦାନାକୁ ପାଇଁ ଆଉ ୧୭ଟି ଟ୍ରେନ୍ ବାତିଲ୍
ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଆଉ ୩ ଗିରଫ
ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ନାମରେ ଧମକ ଦେଇ ପରିବାଵାଲା ଗିରଫ
ତୁର୍କୀରେ ଆତଙ୍କୀ ହମଲା, ୫ ମୃତ
ବାତ୍ୟା ‘ଦାନା’ର ପ୍ରଭାବ: ଭୁବନେଶ୍ୱରରୁ ବିମାନ ଉଡ଼ାଣ ବନ୍ଦ

ଆଗକୁ କିଏ, ବିଜେଡି ନା ବିଜେପି?

0

ଭୁବନେଶ୍ବର: ପଶ୍ଚିମବଙ୍ଗ ନିର୍ବାଚନର ଓଡ଼ିଶା ଉପରେ କି ପ୍ରଭାବ ରହିବ, ସେ ନେଇ ରାଜନୈତିକ ମହଲ ପୋଷ୍ଟମର୍ଟମ ଜାରି ରଖିଛନ୍ତି। ଏହି ନିର୍ବାଚନ ସ୍ପଷ୍ଟ କରିଦେଇଛି ଯେ ହାତଗଣତି କିଛି ନେତାଙ୍କୁ ଛାଡ଼ିଦେଲେ ପାଖାପାଖି ୮୨ ପ୍ରତିଶତ ବିଜୟ ପ୍ରାର୍ଥୀଙ୍କ ପଛରେ ସାଂଗଠନିକ ଦକ୍ଷ ନେତାଙ୍କର ଉପସ୍ଥିତି ଥିଲା। କିଛି ନେତା ନିଜେ ସକ୍ଷମ ଓ ଅନ୍ୟ କିଛି ନେତାଙ୍କ ପଛରେ ସ୍ଥାନୀୟ ସଂଗଠନର ଜବରଦସ୍ତ ସମର୍ଥନ ରହିଥିଲା।

ହେଲେ ଓଡ଼ିଶାରେ?

ସେ ବିଜେଡି ହେଉ କି ବିଜେପି ଅଥବା କଂଗ୍ରେସ ଅଳ୍ପ କିଛି ନେତାଙ୍କୁ ବାଦ୍ ଦେଲେ, ଅନ୍ୟମାନେ ଏ ଦୃଷ୍ଟିରୁ ଆଦୌ ସମର୍ଥ ନୁହଁନ୍ତି। ବିଜେଡିର ପାଖାପାଖି ୭୦ ପ୍ରତିଶତରୁ ଅଧିକ ନେତା ବିଜୟ ଲାଭ କରିବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବା ତାଙ୍କ ସରକାରର ଲୋକପ୍ରିୟତା ଦାୟୀ। ୩୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ବାରମ୍ବାର ନେତା ପରିବର୍ତ୍ତନ କରି ବିଜେଡି ନିର୍ବାଚନରେ ବିଜୟ ଲାଭ କରିଥିବା ପରିଲକ୍ଷିତ ହୋଇଛି। ଏହା ହିଁ ସୂଚାଉଛି, ସେସବୁ ନିର୍ବାଚନମଣ୍ଡଳୀ ପ୍ରଭାବଶାଳୀ ନେତୃତ୍ବ ସୃଷ୍ଟି କରିପାରିନାହିଁ। କିଛି ବରିଷ୍ଠ ନେତା କିନ୍ତୁ ଏବେ ମଧ୍ୟ ସଂଗଠନ ନିଜ ହାତରେ ରଖିଛନ୍ତି। ଦଳ ସେଠାରେ ଅଧିକ କିଛି କସରତ କରି କିମ୍ବା ସେମାନଙ୍କୁ ବାଦ୍ ଦେଇ ନିର୍ବାଚନମଣ୍ଡଳୀରେ ନୂଆ ନେତାଙ୍କୁ ଜିତାଇବା ଏକପ୍ରକାର ଅସମ୍ଭବ।

ବିଜେଡି ଇତିମଧ୍ୟରେ ଦଳରେ ପିଢ଼ି ପରିବର୍ତ୍ତନ ଆରମ୍ଭ କରିଛି। ଅନେକ ନୂଆ ନେତାଙ୍କ ନାମ ବିଜେଡି ସଭାସମିତି, ପଦପଦବିରେ ଦେଖାଯାଉଛି। ହେଲେ ଏମାନଙ୍କୁ ନେତୃତ୍ବରେ ରୂପାନ୍ତରିତ କରିବା କଷ୍ଟସାଧ୍ୟ। ଏଇଥିପାଇଁ ଯେ ନୂଆ ନେତୃତ୍ବ ସଭା ସମିତିରେ ନିଜର ପ୍ରଭାବ ଦେଖାଇପାରନ୍ତି, କିନ୍ତୁ ବିଜେଡି ରାଜନୀତି ଆଦର୍ଶ ସହିତ ସେମାନଙ୍କର କୌଣସି ସଂପର୍କ ନାହିଁ। କେବଳ ସେତିକି ନୁହେଁ, ଏହି ନେତାମାନେ ବେଶୀ ବିଜେଡିର ଲୋକପ୍ରିୟତା ଓ ପତିଆରା ଉପରେ ନିର୍ଭର କରି ବଢ଼ୁଛନ୍ତି, ଲୋକଙ୍କ ସହିତ କମ୍ ଯୋଡ଼ି ହୋଇରହିଛନ୍ତି। ବିଫଳ ବିରୋଧୀ ଦଳ ସେମାନଙ୍କୁ ଆଜି ଦିନରେ ସୁହାଉଥିଲେ ହେଁ, କୌଣସି ସାମାନ୍ୟ ରାଜନୈତିକ ପରିବର୍ତ୍ତନ ବିଜେଡିର ଏହି ନୂଆ ସଂଗଠନକୁ ଦୋହଲାଇ ଦେବାକୁ ଯଥେଷ୍ଟ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ଯୁକ୍ତି ହେଉଛି, ୨୦୧୪ରେ କେନ୍ଦ୍ର ସହିତ ସମୀକରଣ ବଦଳିବା ପରେ କୌଣସି ପ୍ରସଙ୍ଗ ଭିତ୍ତିକ ଆନ୍ଦୋଳନରେ ଆଉ ବିଜେଡି ନାହିଁ। ମହାନଦୀ ଆନ୍ଦୋଳନ ଅଧପନ୍ତରିଆ ଭାବେ ଦଳ ଛାଡ଼ିଦେଲା, ବାସ୍ ସେଇଠି ଅଟକିଛି। ଏଣୁ ଏସବୁ ନୂଆ ନେତାଙ୍କ ପାଖରେ ଗୋଟିଏ ଆଞ୍ଚଳିକ ଦଳର ମାନସିକତା ବୃଦ୍ଧି କରିବାରେ ବିଜେଡି ନେତୃତ୍ବ ଏଯାଏ ସଫଳ ହୋଇପାରିନାହାନ୍ତି। ଏହି ଗୋଟିଏ ପ୍ରସଙ୍ଗ ୨୦୨୪ରେ ବିଜେଡି ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ସାମାନ୍ୟ ସ୍ବାର୍ଥ ହାସଲ ହୋଇନପାରିଲେ, ବିଜେଡି ତିଆରି କରିଥିବା ଅନେକ ନୂଆନେତା ବିଜେପିରୁ ପ୍ରାର୍ଥୀ ହେବାକୁ ଆଦୌ ଅମଙ୍ଗ ହେବେ ନାହିଁ।

ବିଜେପି ସ୍ଥିତି ତା ଚାହିଁ ଖରାପ। ଦଳ ପାଇଁ କେବଳ ଗୋଟିଏ ଭଲ କଥା ଏହା ଭିତରେ ହୋଇଛି, ତାହା ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ନୂଆ ରୂପରେ ରାଜ୍ଯ ରାଜନୀତିରେ ଆବିର୍ଭାବ ହୋଇଛନ୍ତି। ହେଲେ ଦଳର ନେତାମାନେ ଏକଥା ଅବଶ୍ୟ ସ୍ବୀକାର କରିବେ ଯେ ୨୦୧୯ ସଂଗଠନ ଆଜି ୨୦୨୧ରେ ନାହିଁ। ସେବେ ଏକ ସମ୍ମାନଜକ ଭୋଟ ପାଇଥିଲା ବିଜେପି। କିନ୍ତୁ ଗତ ଅଢ଼େଇ ବର୍ଷ ଭିତରେ ନିଜ ସଂଗଠନରେ ନିଜ ଅଳନ୍ଧୁ ଲଗାଇସାରିଲେଣି ନେତାମାନେ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ବିଜେପି ନିଜର ଅତୀତକୁ ଭୁଲିଯାଇଛି। ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ବେଳେ ଅତୀତକୁ ସ୍ମରଣରେ ରଖିବା ଆବଶ୍ୟକ। ସମ୍ଭବତଃ ଏହି କାରଣରୁ ଦଳ ବାରମ୍ବାର ବାଟ ହୁଡୁଛି। ଉଦାହରଣ ହେଲା, ବିଜେଡି ସହିତ ବୁଝାମଣା ଭିତ୍ତିରେ ଯେବେ ବିଜେପି ରାଜନୀତି କରୁଥିଲା ବା ରାଜ୍ୟରେ ମେଣ୍ଟ ସରକାର ଶାସନ ଥିଲା, ସେବେ ସରକାରର ସବୁ ଶ୍ରେୟ ବିଜେଡିକୁ ଯାଇଛି। ବିଜେପିର ସେ ସମୟରେ ଦାୟିତ୍ବରେ ଥିବା ନେତା ବିଜେପି ସଂଗଠନକୁ ୬୩ଟି ନିର୍ବାଚନମଣ୍ଡଳୀରେ ପୂରା ଦମ୍‌ରେ ବଢ଼ାଇପାରିଲେନି କି ଏହି ନିର୍ବାଚନମଣ୍ଡଳୀ ବାହାରେ ନିଜକୁ ବିସ୍ତାର କଲେନି। ବରଂ କ୍ଷମତାରେ ରହିବାର ନିଶା ନେତୃତ୍ବ ମୁଣ୍ଡରେ ଏପରି ଚଢିଥିଲା, ଯେବେ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରାଗଲା, ସେବେ ଦଳ ବିଜେଡିର ହାତ ଛାଡ଼ିଥିଲେ, ଆଜି ଦିନରେ କ୍ଷମତାରେ ଥାନ୍ତା। ଓଲଟା ବିଜେଡି ଠିକ୍ ସମୟରେ ବିଜେପି ସହିତ ବନ୍ଧୁତା କାଟିଦେଇ ଆଗକୁ ଚାଲିଗଲା। ସେବେ ବିଜେଡି ଚତୁରତାର ସହିତ ବିଜେପିର ଗତିରୋଧ କରିବା ଲାଗି କଂଗ୍ରେସ ସମର୍ଥନ ନେଇଥିଲା।

୨୦୦୯ରୁ ୨୦୨୧ ଏହି ୧୨ବର୍ଷ ଭିତରେ ଭାରତର ରାଜନୀତିରେ ଅନେକ ପରିବର୍ତ୍ତନ ଘଟିଛି। ଏହି ସମୟ ଖଣ୍ଡ କିଛି କମ୍ ନୁହେଁ। ହେଲେ ବିଜେପି ଇତିମଧ୍ୟରେ ଯେଭଳି ଆଗକୁ ବଢ଼ିବା କଥା ତାହା ହୋଇନାହିଁ। ବିଜେଡିର ଅଧିକାଂଶ ନେତା ଯେଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଉପରେ ଲାଉ ହୋଇ ଅଛନ୍ତି, ୨୦୧୪ ପରଠାରୁ ବିଜେପିର ସଂଖ୍ୟାଧିକ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଲୋକପ୍ରିୟତାକୁ ଆଶ୍ରା କରି ରାଜନୀତି କରୁଛନ୍ତି। କେନ୍ଦ୍ରରେ ୭ବର୍ଷ ଧରି ବିଜେପି ସରକାରରେ ଥିଲେ ବି ଓଡ଼ିଶାରେ ବିଜେଡି ବରାବର ସ୍ଥିତିକୁ ନ ଆସିବା ପାରିବା କିଛି କମ୍ ବିଫଳତା ନୁହେଁ।

ଏଥିପାଇଁ ଅବଶ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ବ କିଛି ପରିମାଣରେ ଦାୟୀ। ରାଜନୈତିକ ବାଧ୍ୟବାଧକତା କାରଣରୁ ସେମାନେ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭରଶୀଳ। ଦ୍ବିତୀୟ ବଡ଼ ତ୍ରୁଟି ହେଉଛି, ୨୦୧୯ ମସିହାରେ ଯେବେ ନିର୍ବାଚନ ସରିଲା, ସେବେ ବିଜେପି ତାର ଆଭିମୁଖ୍ୟରେ ପରିବର୍ତ୍ତନ ନ କରି ଅର୍ଥାତ୍ ରାଜ୍ୟ ସରକାର ସହିତ ସଲାସୁତୁରା ରାଜନୀତିକୁ ନ ଓହ୍ଲାଇ ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାର ନେତାଭାବେ ଘୋଷଣା କରି ସଂଗଠନ ଦାୟିତ୍ବ ଓ ସଭାପତି ମୁକୁଟ ଦେଇଥାନ୍ତା, ତେବେ ଆଜି ଦିନରେ ଚିତ୍ର କିଛି ଅଲଗା ଥାନ୍ତା। ଏଇ ଗୋଟିଏ ଭୁଲ୍ ୨୦୨୪ ପାଇଁ ବିଜେପି ଲାଗି ଅନେକ ପ୍ରଶ୍ନ ଛିଡ଼ା କରିଛି। କେନ୍ଦ୍ରରେ ମନ୍ତ୍ରୀ ଥାଇ ରାଜ୍ୟରେ ସରକାର ଗଠନ କରିବାର ସ୍ବପ୍ନ ପଶ୍ଚିମବଙ୍ଗରେ ଯେଭଳି ବିଫଳ ହେଲା, ଆଗକୁ ଓଡ଼ିଶାରେ ବି ହୋଇପାରେ। ସେଠାରେ କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟଙ୍କୁ ନେଇ ମଝି ଦରିଆରେ ଝିଡ଼ା କରାଇ ଦେଲା ବିଜେପି ରଣନୀତି। ଏଠି ସେମିତି ଓଡ଼ିଶାରେ ବି ଆଗକୁ ଧର୍ମେନ୍ଦ୍ରଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ। ଧର୍ମେନ୍ଦ୍ର ଯଦି ଜାତୀୟ ଦଳରେ ରହି ଓଡ଼ିଶାରେ ଆଞ୍ଚଳିକ କାର୍ଡ ଖେଳିବେ ଏବଂ ସରକାର ସହିତ ସିଧା ଲଢ଼େଇ କରିବେ, ତେବେ ବିଜେପି ପାଇଁ କିଛି ରାସ୍ତା ଫିଟିପାରେ।

ତ୍ରୁଟି କେବଳ ଏତିକିରେ ସୀମିତ ନାହିଁ. ୨୦୧୯ ନିର୍ବାଚନରେ ବିଜେପିର ୮ ସାଂସଦ ନିର୍ବାଚନ ଜିତିଲେ। ଦୁଇ ତିନିଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସାଂସଦମାନେ ନିଜ ଜିଲ୍ଲା ସଂଗଠନକୁ ବଢ଼ାଇ ପାରିଲେ ନାହିଁ। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସୁରେଶ ପୂଜାରୀ ନିଜ ସ୍ଥିତିକୁ ବଢ଼ାଇଛନ୍ତି। ହେଲେ ନିଜ ନିଜ ସଂସଦୀୟ କ୍ଷେତ୍ରର ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାର ସାମର୍ଥ୍ୟ ରଖନ୍ତି ନାହିଁ।ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ସ୍ଥିତି ମଧ୍ୟ ଅନୁରୂପ। ଶ୍ରୀମତୀ ସିଂହଦେଓ ନିଜେ ଜିତିଲେ, ହେଲେ ପାଟଣାଗଡ ରାଜା କନକ ବର୍ଧନ ସିଂହଦେଓଙ୍କୁ ଜିତାଇ ଆଣିପାରିଲେ ନାହିଁ। ସେହିଭଳି ଜିତିଥିବା ୨୩ ବିଧାନସଭା ଆସନ ମଧ୍ୟରୁ ଦଳ ଗୋଟିଏ ଆସନ ହାତଛଡ଼ା କରିସାରିଲେଣି। ବାକି ୨୨ ବିଧାୟକଙ୍କ ମଧ୍ୟରୁ ଅଧା ବିଧାୟକ ଏଯାଏ ନିଜ ଅଞ୍ଚଳରେ ଜଣେ ପ୍ରଭାବଶାଳୀ ନେତାମାନେ ନିଜକୁ ସାମ୍ନାକୁ ଆଣିପାରିଲେ ନାହିଁ।

ଏଭଳିସ୍ଥିତିରେ ସାମାନ୍ୟ ରାଜନୈତିକ ସମୀକରଣ ଓଲଟପାଲଟ ହେଲେ, ଉଭୟ ବିଜେଡି ଓ ବିଜେପି ବ୍ୟକ୍ତିଗତ ଭାବେ କ୍ଷତିଗ୍ରସ୍ତ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ସଂପ୍ରତି ଓଡ଼ିଶାରେ କଂଗ୍ରେସ ପତନାଭିମୁଖୀ ଥିବା କାରଣରୁ ଉଭୟ ଦଳ ବେଳ ଥାଉ ଥାଉ ସତର୍କ ହେବା ଉଚିତ୍।

Leave A Reply

Your email address will not be published.