ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ

0

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଓଡ଼ିଶାର କୋରାପୁଟ କଫି ସ୍ଥାନ ପାଇଛି। ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିମାନଙ୍କୁ ଦିଆଯାଉଥିବା କିଟ୍‌ରେ କୋରାପୁଟର ‘ଟାଇଗର ବ୍ରାଇଟ୍‌’ ଆରାବିକା କଫି ସାମିଲ ହୋଇଛି। ଏହା ମାଧ୍ୟମରେ ଓଡ଼ିଶାର ଏହି ସ୍ଥାନୀୟ ଉତ୍ପାଦ ବିଶ୍ୱସ୍ତରୀୟ ମଞ୍ଚରେ ପରିଚୟ ପାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅନୁରୋଧକ୍ରମେ ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ‘ଟାଇଗର ବ୍ରାଇଟ୍‌’ ବ୍ଲେଣ୍ଡର ୧୫୦୦ରୁ ଅଧିକ ପ୍ୟାକେଟ୍‌ ନୂଆଦିଲ୍ଲୀ ପଠାଯାଇଛି। ଏହି ପଦକ୍ଷେପକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ପ୍ରକାଶ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବାରେ ଏହା ‘ଭୋକାଲ୍ ଫର୍ ଲୋକାଲ୍‌’ର ଏକ ଉଦାହରଣ ବୋଲି ସେ କହିଛନ୍ତି।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶୀପୁର, ଦଶମନ୍ତପୁର, ନନ୍ଦପୁର, ଲାମତାପୁଟ, କୋରାପୁଟ ଓ ପଟାଙ୍ଗୀ ଅଞ୍ଚଳରେ କଫି ଚାଷ କରାଯାଉଛି। ବ୍ରିକ୍ସ ଭଳି ଅନ୍ତର୍ଜାତୀୟ ମଞ୍ଚରେ କୋରାପୁଟ କଫି ସ୍ଥାନ ପାଇବା ଦ୍ୱାରା ଏହାର ବ୍ରାଣ୍ଡ୍‌ ମୂଲ୍ୟ ବଢ଼ିବା ସହ ଆଦିବାସୀ କଫି ଚାଷୀମାନେ ମଧ୍ୟ ଲାଭବାନ ହେବେ ବୋଲି ଆଶା କରାଯାଉଛି।

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି ଯେ, କୋରାପୁଟ କଫି କେବଳ ଏକ ଉତ୍ପାଦ ନୁହେଁ; ଏହା ଅଞ୍ଚଳର ମାଟି, କୃଷି-ଜଳବାୟୁ ଓ ଆଦିବାସୀ ଚାଷୀଙ୍କ ପରିଶ୍ରମର ପ୍ରତିଫଳନ। ବ୍ରିକ୍ସ ଭଳି କୂଟନୈତିକ ସମ୍ମିଳନୀରେ ଏହା ଓଡ଼ିଶାର ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ ବୋଲି ସେ କହିଛନ୍ତି।
ସମୁଦ୍ର ପତ୍ତନଠାରୁ ପ୍ରାୟ ୯୨୦ ମିଟର ଉଚ୍ଚତାରେ ଆଦିବାସୀ ଚାଷୀମାନେ ଏହି କଫି ଚାଷ କରୁଛନ୍ତି। କଫି ବିନ୍‌କୁ ଧୋଇ ପ୍ରକ୍ରିୟାକରଣ ପରେ ଲାଇଟ୍‌-ମିଡିୟମ୍‌ ପ୍ରୋଫାଇଲ୍‌ରେ ଭଜା ଯାଉଥିବାରୁ ଏହାର ସ୍ୱତନ୍ତ୍ର ସ୍ୱାଦ ଓ ସୁବାସ ରହିଛି। ବ୍ରିକ୍ସ ପ୍ରତିନିଧିଙ୍କ କିଟ୍‌ରେ ସ୍ଥାନ ପାଇବା କୋରାପୁଟ କଫିକୁ ଦେଶ ତଥା ବିଦେଶରେ ନୂଆ ବଜାର ଦେବାରେ ସହାୟକ ହେବ ବୋଲି ଚାଷୀମାନେ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.