ଭୁବନେଶ୍ବର: ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ ଯୁବ ବର୍ଗ ବିଜେପି ସହିତ ଥିଲେ। ଦ୍ବିତୀୟ ଚ୍ୟାଲେଞ୍ଜ ହେଲା- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ବ ନେବା ପରେ ଯେଉଁମାନେ ଜନ୍ମ ନେଇଥିଲେ, ସେମାନେ ମଧ୍ୟ ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ମତଦାନ କରିଥିଲେ। ଏହି ଦୁଇଟି ଘଟଣା ସଂପର୍କରେ ଯଥେଷ୍ଟ ଆଗରୁ ପୂର୍ବାନୁମାନ କରି ମୁଖ୍ୟମନ୍ତ୍ରୀ ୨୦୧୭ ମସିହାରେ ଅର୍ଥାତ୍ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ରାଜନୀତିରେ ଯେଉଁ ବଡ଼ ଗୋଟିଚାଳନା କରିଥିଲେ, ତାହା ହେଲା ଯୁବ ମନ୍ତ୍ରୀମାନଙ୍କୁ ବିଦା କରି ସେମାନଙ୍କୁ ସାଂଗଠନିକ କାର୍ଯ୍ୟରେ ଲଗାଯାଇଥିଲା। ଗୋଟିଏ ପଟେ ନବୀନ ମିସନ ଶକ୍ତିକୁ ଅଧିକ ସଶକ୍ତ କଲେ ଏବଂ ଅନ୍ୟପଟରେ ଯୁବ ବର୍ଗକୁ ବିଜେଡି ସହିତ ଯୋଡିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଜରିଆରେ ନବୀନ ପଞ୍ଚାୟତକୁ ୟୁନିଟ୍ କରି ସବୁ ଗାଁରେ ନିଜର ଉପସ୍ଥିତି ରଖିଲେ , ଯାହା ବିରୋଧୀ ଶକ୍ତି ବୁଝିବା କାଠିକର ପାଠ ହୋଇଯାଇଥିଲା। ଭାରତବର୍ଷ ବର୍ଷ ରାଜନୀତିରେ ତୃଣମୂଳସ୍ତରରେ ଡିଜିଟାଲ ମାଧ୍ୟମରେ ଏଭଳି ପ୍ରଚାର ବିଜେଡି ପାଇଁ ନିର୍ବାଚନରେ ବଡ଼ ସଫଳତା ଆଣିଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ପରେ ୨୦୨୪କୁ ଲକ୍ଷ୍ୟ ରଖି ଯେଉଁ ଗୋଟି ପ୍ରଥମ ଚଳାଇଲେ, ତାହା ହେଲା ଦଳରେ ବରିଷ୍ଠ ଉପସଭାପତି, ଉପସଭାପତି ପଦ ସୃଷ୍ଟି କରି ବରିଷ୍ଠଙ୍କୁ ଥଇଥାନ କରାଗଲା। ସମାନ୍ତରାଳ ଭାବେ ଦଳରେ ପ୍ରଥମ ଥର ପାଇଁ ସଂଗଠନ ସଂପାଦକ ପଦବି ସୃଷ୍ଟି କରି ପ୍ରଣବ ପ୍ରକାଶ ଦାସଙ୍କୁ ନବୀନ ଦାୟିତ୍ବ ଦେଇ ପୂରା ଯୁବ ବର୍ଗକୁ ବିଜେଡିକୁ ଆଣିବା ଲାଗି ଯେଉଁ ରାସ୍ତା ଖୋଲିଛନ୍ତି, ତାହା କେଉଁଠି ନା କେଉଁଠି ସଙ୍କେତ ଦେଲାଣି ଯେ ୨୦୨୪ରେ ବିଜେଡିର ନବକଳେବର ହେବ। ହାତଗଣତି କିଛି ଯୁବ ନେତାଙ୍କୁ ବାଦ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଖାପାଖି ଶହେ ଆସନରେ ପ୍ରାର୍ଥୀ ବଦଳାଇ ଦେବା ବିଚିତ୍ର ନୁହେଁ। ଏ ସଂକ୍ରାନ୍ତରେ ବିଜେଡି ଶୀର୍ଷସ୍ତର କିଭଳି ପ୍ରସ୍ତୁତ କରୁଛି, ତାହା ପରେ ଆଲୋଚନା କରିବା। ହେଲେ ବିଜେଡି ରାଜନୀତି ଗଣିତ ବୁଝୁଥିବା ନେତାମାନେ କିନ୍ତୁ ବିଦ୍ରୋହ କରିବା ବଦଳରେ ନବୀନଙ୍କ ମତିଗତି ବୁଝି ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏମିତି ଯେ ଆସନ୍ତା ନିର୍ବାଚନ ବେଳକୁ ନବୀନ ଯଦି କିଛି କଠୋର ନିଷ୍ପତ୍ତି ନିଅନ୍ତି, ତେବେ ସେମାନେ ପ୍ରସ୍ତୁତ ଥିବେ।
ଗୋଟିଏ ଦୁଇଟି ଉଦାହରଣ ନେଲେ, ବିଜେଡି ତୃଣମୂଳସ୍ତରରେ କିଭଳି ପ୍ରସ୍ତୁତି ଚାଲିଛି ତାହା ବୁଝିହେବ। କଟକ ଜିଲ୍ଲାକୁ ଉଦାହରଣ ଭାବେ ନିଆଯାଉ। ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନିଜେ ଆଗ୍ରହ ପ୍ରକାଶ କରି ଦୁଇଜଣଙ୍କ ଟିକେଟ୍ ପରିବର୍ତ୍ତନ କରିଥିଲେ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଂଜନକୁ ଟିକେଟ୍ ଦେଇଥିଲେ। ସେ ଜିତିଲେ ଏବଂ ପ୍ରଭାତଙ୍କ ଭଳି ତାଙ୍କ ପାଖରେ ସାଂଗଠନିକ ଦକ୍ଷତା ଥିବା ଜାଣି ଦେବୀରଂଜନଙ୍କୁ ଛାତ୍ର ସଂଗଠନ ଦାୟିତ୍ବ ଦେଇଛନ୍ତି। ସେହିକ୍ରମରେ ପ୍ରଭାତ ବିଶ୍ବାଳଙ୍କ ବଦଳରେ ତାଙ୍କ ପୁଅ ସୌଭିକ୍କୁ ବିଜେଡି ପ୍ରାର୍ଥୀ କଲା, ସେ ଜିତିଲେ। ପରିଣାମ ହେଲା, ବିଜେଡି ସଂଗଠନ ଦୋହରା ଲାଭ ପାଇଲା।
ଏବେ ଯେଉଁ ସଙ୍କେତ ମିଳୁଛି, ମନ୍ତ୍ରିମଣ୍ଡଳ ଅଦଳବଦଳ ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ (ରାଜା) ସ୍ବାଇଁ ବିପଦରେ ପଡ଼ିପାରନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ଠାରୁ ଆହୁରି ଅଧିକ ବିପଦରେ ଅଛନ୍ତି। ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଧୀରେ ଧୀରେ ଦଳର ଶୀର୍ଷସ୍ତରରେ ଅପ୍ରାସଙ୍ଗିକ ହେଲେଣି। କଟକରେ ଚନ୍ଦ୍ରସାରଥୀ ବେହେରା ନବୀନଙ୍କ କ୍ୟାବିନେଟକୁ ଫେରିପାରନ୍ତି। ଅର୍ଥାତ୍ ଯୁବ ନେତାଙ୍କୁ ନେଇ କଟକ ରାଜନୀତିରେ ନବୀନ ନୂଆ ରାସ୍ତା ଖୋଲିବା ସମ୍ଭାବନା ଉଜ୍ଜଳ।
କିନ୍ତୁ ସମସ୍ତଙ୍କ ଅଲକ୍ଷ୍ୟରେ କଟକ ରାଜନୀତିରେ ଆଉ ଗୋଟିଏ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ରାଜା ଆଠଗଡକୁ ନିଜ ଦଖଲରେ ରଖିବା ଲାଗି ଇତିମଧ୍ୟରେ ଉତ୍ତରାଧିକାରୀ ନିର୍ଣ୍ଣୟ କରିସାରିଲେଣି। ଦଳର କୌଣସି କର୍ମୀ କିମ୍ବା ତାଙ୍କ ରାଜନୈତିକ ସହଯୋଗୀ ନୁହେଁ, ବରଂ ରାଜାଙ୍କ ସ୍ଥାନରେ ତାଙ୍କ ପୁଅ ଆଠଗଡରେ ଭବିଷ୍ୟତରେ ପ୍ରାର୍ଥୀ ହେବା ଲାଗି ପାଗ ଭିଡ଼ିଲେଣି। ରାଜାଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ବାଇଁ ଏବେ ନିର୍ବାଚନମଣ୍ଡଳୀରେ ବେଶ୍ ସକ୍ରିୟ। ସେ ରକ୍ତଦାନ ହେଉ କିମ୍ବା ଦଳର ସାଂଗଠନିକ କାର୍ଯ୍ୟ ସବୁଠି ବେଶୀ ଆଦିତ୍ୟଙ୍କୁ ଏବଂ ରାଜାଙ୍କୁ କମ୍ ଦେଖିବାକୁ ମିଳୁଛି।
କେବଳ ରାଜା ନୁହେଁ, ତାଙ୍କୁ ଦେଖାଦେଖି ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଦେବୀ ମିଶ୍ର ବି ଅନୁରୂପ ଫର୍ମୁଲାରେ ଆଗକୁ ବଢ଼ୁଛନ୍ତି। ଅବଶ୍ୟ ରାଜାଙ୍କ ଭଳି ଦେବୀଙ୍କ କ୍ଷେତ୍ରରେ ତତ୍ପରତା ଟିକେ କମ୍ ରହିଛି। ହେଲେ ତାଙ୍କ ପୁଅ ସବ୍ୟସାଚୀ ମିଶ୍ର ବଡ଼ମ୍ବା ନରସିଂହପୁର ନିର୍ବାଚନମଣ୍ଡଳୀକୁ ଆଖେଇଛନ୍ତି ଓ ଗତ ନିର୍ବାଚନ ସମୟରେ ଦେବୀ ତାଙ୍କୁ ମଇଦାନକୁ ଛାଡ଼ି କର୍ମୀଙ୍କ ସହିତ ସଂପର୍କ ବଢ଼ାଇବା ଲାଗି ସଙ୍କେତ ଦେଇଛନ୍ତି। ରାଜା ଓ ଦେବୀଙ୍କ ରାସ୍ତାରେ ମନ୍ତ୍ରୀ ପ୍ରତାପ ଜେନା ବି ଯିବା ଆରମ୍ଭକଲେଣି। ହେଲେ ପ୍ରତାପ ମାହାଙ୍ଗା ରାଜନୀତିରୁ ନିଜେ ଓହରିବାର ନାହିଁ। ଦଳ ଯଦି ତାଙ୍କୁ ସଙ୍କେତ ଦିଏ, ତେବେ ତାଙ୍କ ପୁଅ ଅଙ୍କିତ ଜେନାଙ୍କୁ ସେ ଭବିଷ୍ୟତରେ ଛିଡ଼ା କରିବାକୁ ପଛେଇବେ ନାହିଁ। ଏ ନେଇ ସେ ବି ପ୍ରସ୍ତୁତ ଥିବା କଟକ ରାଜନୀତିରେ ଚର୍ଚ୍ଚ ଚାଲିଛି। ଏହା ସୂଚାଉଛି ଯେ ୨୦୨୪ରେ ନବୀନ ଯଦି ଏସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ବଦଳାଇବାକୁ ଯାଆନ୍ତି, ତେବେ ନୂଆ ପିଢି ଫୁଲଦମରେ ପ୍ରସ୍ତୁତ ଅଛନ୍ତି, ଏକଥା ସେମାନଙ୍କ ବାପାମାନେ ଅର୍ଥାତ୍ ବିଜେଡିର ଶୀର୍ଷ ନେତାମାନେ ନବୀନଙ୍କ ପାଖେ ଦାବି ରଖିପାରିବେ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ପ୍ରସଙ୍ଗକୁ ବେଶ୍ ଗମ୍ଭୀରତାର ସହିତ ନେଉଛନ୍ତି। ସେମାନଙ୍କର ଯୁକ୍ତି ହେଉଛି, ନେତାମାନେ ନିଜ ନିଜ ପୁଅକୁ ଧରି ଆଗକୁ ଓହ୍ଲାଇବାକୁ ଚିନ୍ତା କରୁଥିବା ପରିପ୍ରେକ୍ଷୀରେ ଦଳର କର୍ମୀ ଓ ଛାମୁଆ ନେତାଙ୍କ ଭାଗ୍ୟ ସବୁଦିନ ପାଇଁ ସିଲ୍ ହୋଇଯିବାର ଭୟ ରହିଛି, ଯାହା ବିପକ୍ଷ ଦଳକୁ କେବେ କେମିତି ସୁହାଇପାରେ। ହେଲେ ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନବୀନ ଏଭଳି ଗୋଟିଚାଳନା କରି ଯେତେ ଅଧିକ ନୂଆ ନେତା ସୃଷ୍ଟି କରିବେ, ଦଳର ଭବିଷ୍ୟତ ସେତିକି ଲମ୍ବା ହେବ, କ୍ଷମତାରେ ରହିବା ନ ରହିବା ଅଲଗା କଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଏହି କୌଶଳରେ ଅଛନ୍ତି ଓ ସଫଳ ବି ହୋଇଛନ୍ତି। ପ୍ରତି ନିର୍ବାଚନରେ ସେ ଅନେକ ନୂଆ ନୂଆ ନେତା ସାମ୍ନାକୁ ଆଣିଦେବା ଦ୍ବାରା ବିଜୁ ବାବୁଙ୍କ ଅନୁଗତଙ୍କ ବିନା ମଧ୍ୟ ସେ କ୍ଷମତାରେ ରହିପାରିଛନ୍ତି। ନବୀନଙ୍କ ଏହି କୌଶଳକୁ କିନ୍ତୁ ବିଜେପି କିମ୍ବା କଂଗ୍ରେସ ଗ୍ରହଣ କରିପାରିନାହାନ୍ତି। ଏବେ ବି ଉଭୟ ଦଳ ପାରମ୍ପରିକ ନେତାଙ୍କ ଚାପରେ ଅଛନ୍ତି ଓ ସେମାନଙ୍କର ଗ୍ରହଣୀୟତା ନଥିଲେ ମଧ୍ୟ ଦଳରୁ ତାଙ୍କୁ ଅଲଗା ବା ଦୂରେଇ ରଖାଯାଇପାରୁନି।ବିଜେଡି କ୍ରମାଗତ କ୍ଷମତାକୁ ଫେରିବାର ଏହା ଆଉ ଏକ କାରଣ।