ପ୍ରମୁଖ ଖବର

ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ

ନବୀନଙ୍କୁ ବଦ୍‌ନାମ କରିବାକୁ ବଡ଼ ଷଡ଼୍‌ଯନ୍ତ୍ର

0
  • ଅକଳରେ ପକାଇଲାଣି ଥଇଥାନ ନିଯୁକ୍ତି; ଷ୍ଚାଫ୍ ସିଲେକ୍ସନ କାର୍ଯ୍ୟ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଲେ ନିଜେ ସରକାର
  • ନିଯୁକ୍ତି ପ୍ରକ୍ରିୟାକୁ କମିସନ ତ୍ବରାନ୍ବିତ କରିପାରୁନାହାନ୍ତି, ବୋଲି ନିଜ ନିଯୁକ୍ତି ନିଜେ କରିବାକୁ ପୁଲିସ ବିଭାଗ ପାଗ ଭିଡ଼ିଛି
  • କମିସନଙ୍କୁ ବିଶ୍ବାସକୁ ନ ନେଇ ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଗଠନ କରାଯିବା ଘଟଣାକୁ ନେଇ ବିବାଦ ଉଠିଲାଣି
  • ପୁଲିସ ମହାନିର୍ଦେଶକ ଡିସେମ୍ବରରେ ଅବସର ନେବେ, ଏହି ନିଯୁକ୍ତିରେ କେଁ ଉଠିଲେ ଅପବାଦ ମୁଣ୍ଡାଇପାରନ୍ତି ଅଭୟ
  • ଯେଉଁ ଯୁବକ ବାଦ୍ ପଡ଼ିବେ, ସରକାର ତାଙ୍କ ଅସନ୍ତୋଷ ମୁଣ୍ଡାଇପାରନ୍ତି ଏକଥା ଏବେଠାରୁ ହେଜିବା ଦରକାର

ଭୁବନେଶ୍ବର: ଅବସର ପରେ ଥଇଥାନ କରିବାକୁ ଯାଇ ରାଜ୍ୟ ସରକାର ଯାହାକୁ ଯେଉଁଠି ଚାହୁଁଛନ୍ତି ତାଙ୍କୁ ନିଯୁକ୍ତି ଦେଉଛନ୍ତି। ତେଣିକି ସଂପୃକ୍ତ ଅଧିକାରୀ ସେସବୁ ପଦବି ପାଇଁ ଯୋଗ୍ୟ ହୋଇଥାନ୍ତୁ ବା ନ ହୋଇଥାନ୍ତୁ। ପରବର୍ତ୍ତୀ ସମୟରେ କିନ୍ତୁ ସଂପୃକ୍ତ ଅଧିକାରୀ ସରକାରଙ୍କ ତଣ୍ଟିରେ କଣ୍ଟା ଭଳି ଲାଗୁଛନ୍ତି। ରାଜ୍ୟରେ ଏବେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ, ସରକାର ଏ ବିପଦରୁ ମୁକୁଳିବା ପାଇଁ ଯେଉଁ ରାସ୍ତା ଆପଣାଇଛନ୍ତି, ତାହା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଭୀଷଣ ବିପଦ ଆଣିବାକୁ ଯାଉଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତିରେ କଳଙ୍କ ଲେପିଦେଇପାରେ। ରାଜ୍ୟ ପୁଲିସ ଅଧିକାରୀମାନେ ଖେଳିଥିବା ଏହି ଖେଳରେ ସରକାର କିଭଳି ଓ କେଉଁ ପରିସ୍ଥିତିରେ ମୋହର ଲଗାଇଲେ, ତାହା ଖୋଦ୍ ପୁଲିସ ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନିକ କରିଡରରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଆମେ ସବ୍‌ ଇନ୍ସପେକ୍ଟର ନିଯୁକ୍ତି କଥା କହୁଛନ୍ତି। ନିକଟରେ ରାଜ୍ୟ ସରକାର ୪୭୭ଟି ସବ୍‌ ଇନ୍‌ପେକ୍ଟର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହେଲେ ଏହି ନିଯୁକ୍ତି ପ୍ରକ୍ରିୟା ଷ୍ଟାଫ୍ ସିଲେକ୍ସନ କମିସନ କରିବ ନାହିଁ। ବରଂ ଏହି ନିଯୁକ୍ତି ପାଇଁ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଗଠନ କରାଯାଇଛି। ଏଥିରେ ତିନିଜଣ ପୁଲିସ ଅଧିକାରୀ ଅଛନ୍ତି। ଆଇନଶୃଙ୍ଖଳ ଦାୟିତ୍ବରେ ଥିବା ଏଡିଜି ଯଶୋବନ୍ତ ସିଂ ଜେଠଓ୍ବା ଏହାର ଅଧ୍ୟକ୍ଷ ଅଛନ୍ତି। କିନ୍ତୁ ଏଥିରେ ଆଉ ଜଣେ ଆଇଜି ଏବଂ ଜଣେ ଏସ୍‌ପି ପାହ୍ୟାର ଅଧିକାରୀ ଥିବା ସୂଚନା ମିଳୁଛି।

ଏବେ ପ୍ରଶ୍ନ ଉଠୁଛି ହଠାତ୍ ରାଜ୍ୟ ସରକାର ପୁଲିସ ନିଯୁକ୍ତି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଷ୍ଟାଫ୍ ସିଲେକ୍ସନ କମିସନ ହାତରେ ନ ଦେଇ ନିଜେ କାହିଁକି ରିକ୍ରୁଟମେଣ୍ଟ ବୋର୍ଡ ଗଠନ କଲେ? ଅନ୍ୟ ସବୁ ବିଭାଗ ପରୀକ୍ଷା କମିସନ କରୁଥିବା ବେଳେ ପୁଲିସ ବିଭାଗ ନିଯୁକ୍ତିକୁ ତାଙ୍କ ହାତରୁ କାହିଁକି ଛଡ଼ାଇ ନିଆଯିବ?

ଏଠାରେ ଉଲ୍ଲେଖଥାଉକି, ୧୯୯୪ ମସିହା ବେଳେ ପୁଲିସ ନିଯୁକ୍ତି କ୍ଷେତ୍ରରେ ଏକ ଭୀଷଣ କେଳେଙ୍କାରୀ ସାମ୍ନାକୁ ଆସିଥିଲା। ସେବେ ସରକାରଙ୍କୁ ବଦନାମ କରିବା ଲାଗି ଏହି ନିଯୁକ୍ତି ଅନେକ ସାହାଯ୍ୟ କରିଥିଲା। ପରେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେଲେ ଯେ ଆଉ ନିଜେ ପୁଲିସ ନିଯୁକ୍ତି ନ କରି ଷ୍ଟାଫ୍ ସିଲେକ୍ସନ କମିସନକୁ ଦେବେ। ସମସ୍ତଙ୍କ ଭିତରେ ଗୋଟିଏ ଧାରଣା ରହିଛି ଯେ କମିସନଙ୍କ ନିଯୁକ୍ତି ପ୍ରକ୍ରିୟା ଆପାତତଃ ସ୍ବଚ୍ଛ। ହେଲେ କିଛି ପୁଲିସ ଅଧିକାରୀଙ୍କ ମତ ହେଉଛି, ଷ୍ଟାଫ୍ ସିଲେକ୍ସନ କମିସନ ନିଯୁକ୍ତି ପ୍ରକ୍ରିୟାକୁ ବହୁ ବିଳମ୍ବ କରୁଛନ୍ତି। ଏହାଦ୍ବାରା ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହେଉନାହିଁ। ଏଣୁ ଏଭଳି ନିଯୁକ୍ତି ବୋର୍ଡ ଗଠନ କରି ଏସ୍‌ଆଇ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚେଷ୍ଟା କରାଯାଇଛି।

ହେଲେ ଏହି ଯୁକ୍ତି କିନ୍ତୁ ପ୍ରଶାସନିକମହଲ ଠାରୁ ଆରମ୍ଭ କରି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କାହାକୁ ବି ସନ୍ତୁଷ୍ଟ କରିନାହିଁ। ଏହି ମହଲର ମତ ହେଉଛି, ଷ୍ଟାଫ୍ ସିଲେକ୍ସନ କମିସନ ଯଦି ନିଯୁକ୍ତିରେ ବିଳମ୍ବ କରୁଛି, ତେବେ ଏହାକୁ ତ୍ବରାନ୍ବିତ କରିବାର କ୍ଷମତା ସରକାର ରଖନ୍ତି। ଏମିତି ନକରି ରାଜ୍ୟ ସରକାର କେଉଁ ପରିସ୍ଥିତିରେ ବୋର୍ଡ ଗଠନ କଲେ। ଏଭଳି ଏକ ନିଷ୍ପତ୍ତି କେଉଁସ୍ତରରେ ନିଆଗଲା? ରାଜ୍ୟ କ୍ୟାବିନେଟ୍ ମତ ଏହା ଉପରେ ନିଆଯାଇଛି କି? ସମସ୍ତେ ଜାଣନ୍ତି, ଆସନ୍ତା ଡିସେମ୍ବର ମାସରେ ପୁଲିସ ମହାନିର୍ଦେଶକ ଅଭୟ ଅବସର ନେବେ। ତା ପୂର୍ବରେ ତାଙ୍କ ମୁଣ୍ଡରେ ଏହି ନିଯୁକ୍ତି ପ୍ରକ୍ରିୟା କଳଙ୍କ ବୋଳିଦେବ ନାହିଁ ତ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସର ଏହି ନିଯୁକ୍ତି ଭିତରେ ଭାବମୂର୍ତ୍ତି ହରାଇବେନି ତ? ଜାଣିଶୁଣି କେହି ଏଭଳି ଷଡ଼ଯନ୍ତ୍ର ରଚନା କରିନାହିଁ ତ?

ଏସବୁ ପ୍ରଶ୍ନ ଏଇଥିପାଇଁ ଉଠୁଛି,କମିସନ ହାତରୁ ନିଯୁକ୍ତି ପ୍ରକ୍ରିୟା ଛଡାଇ ଆଣି ନିଜେ ନିଜ ଅଫିସରଙ୍କ ମାଧ୍ୟମରେ ନିଯୁକ୍ତି ଦେବା ପ୍ରକ୍ରିୟା କେହି ଗ୍ରହଣ କରିବେ ନାହିଁ। ପୁଲିସ ଠାରୁ ଜଙ୍ଗଲ ବିଭାଗର ବଦଳି ପ୍ରକ୍ରିୟାରେ ଏବେ ଯାଏ ଶତ ପ୍ରତିଶତ ସ୍ବଚ୍ଛତା ରକ୍ଷା କରାଯାଇପାରିନାହିଁ ବୋଲି ବିଭିନ୍ନ ପ୍ରସଙ୍ଗ ବେଳେ ସରକାର ଅକଳରେ ପଡୁଛନ୍ତି। ବିଧାୟକମାନେ ନିଜ ନିଜ ପ୍ୟାଡ୍ ବ୍ୟବହାର କରି ମନ ମୁତାବକ ଅଫିସର ନେବାକୁ ଲବି କରିବାକୁ ପଛାଉ ନାହାନ୍ତି। ନିକଟ ଅତୀତରେ ଏଭଳି ଅନେକ ଘଟଣାରେ ରାଜ୍ୟ ସରକାର ବିବାଦରେ ଛନ୍ଦି ହୋଇଛନ୍ତି। ଏବେ ପୁଲିସ ନିଯୁକ୍ତି ଅର୍ଥ ହଜାର ହଜାର ଯୁବକ ଯୁବତୀ ସାମିଲ ହେବେ। ଯିଏ ନିଯୁକ୍ତି ନ ପାଇଲେ, ତାଙ୍କ ମନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିବା ଏକ ସ୍ବାଭାବିକ ପ୍ରକ୍ରିୟା। ଏଥିରେ ଯେ ରାଜନୈତିକ ହସ୍ତକ୍ଷେପ ରହିବ ନାହିଁ, ଏ ଗ୍ୟାରେଣ୍ଟି କିଏ ଦେବ? ଏ ନେଇ ଅସନ୍ତୋଷ ସରକାରଙ୍କ ଭୋଟ ବ୍ୟାଙ୍କକୁ ବି ପ୍ରଭାବିତ କରିବା ସମ୍ଭାବନାକୁ ଏଡାଇପାରିବ ନାହିଁ। ପୁଣି ଏହି ବୋର୍ଡରେ ଅଣ ପୁଲିସ ଅଧିକାରୀଙ୍କୁ ନ ନିଆଯିବା ପଛରେ କି ଉଦ୍ଦେଶ୍ୟ ରହିଛି?

ଆଉ ଗୋଟିଏ ମହଲରେ ପ୍ରଶ୍ନ ଉଠୁଛି, ସରକାର ୨୭ ବର୍ଷ ତଳେ ଯେଉଁ ପ୍ରସ୍ତାବକୁ ବିରୋଧ କରି ନିଷ୍ପତ୍ତି ବଦଳାଇଥିଲେ, ଏବେ ସେହି ପ୍ରସ୍ତାବକୁ ନିଜେ ପୁଣି ଗ୍ରହଣ କଲେ କେମିତି? ଯାହା ସୂଚନା ମିଳୁଛି, ପୁଲିସ ବିଭାଗରୁ ଏସ୍‌ଆଇ ନିଯୁକ୍ତି ଲାଗି ସରକାରଙ୍କ ନିକଟକୁ ପ୍ରସ୍ତାବ ଆସିଥିଲା ଓ ସରକାର ଏହାକୁ ଗ୍ରହଣ କରିଛନ୍ତି। ହେଲେ ଏହି ପ୍ରକ୍ରିୟାଟି ଏବେ ଠାରୁ ଏମିତି ବିବାଦ ଭିତରକୁ ଧସାଇ ପଶିଲାଣି ଯେ ନିଯୁକ୍ତି କଳଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତିକୁ ପ୍ରଭାବିତ କରିବା ଆଶଙ୍କାକୁ ଏଡ଼ାଇ ଦେଇପାରିବ ନାହିଁ।

Leave A Reply

Your email address will not be published.