ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଘୋଡ଼ା ବିବାଦ ପଛରେ ଲୁଚିଛି ଅନେକ ରହସ୍ୟ

0

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ୍ ଛକରେ ଥିବା ଘୋଡାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଲାଣି। ଉଭୟ ବିଜେପି ଓ କଂଗ୍ରେସ ଏହି ଘୋଡ଼ାକୁ ରାଜଭବନ ସାମ୍ନାକୁ ସ୍ଥାନ୍ତାନ୍ତରଣ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇ ଧାରଣା ଦେଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ବିଶ୍ବଜିତ୍ ଦାଶ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଚେତାବନୀ ଦେଇଛନ୍ତି ଯେ ଘୋଡ଼ା ଏଠାରୁ ସ୍ଥାନାନ୍ତରଣ ହୋଇପାରିବ ନାହିଁ।

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦ୍ବାରା ୨୪ ଫୁଟ ଲମ୍ବ ଓ ୨୦ ଫୁଟ ଉଚ୍ଚର ଏହି ମୂର୍ତ୍ତି ତିଆରି ପାଇଁ ସେବେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ମୂର୍ତ୍ତି ପଛରେ ଲମ୍ବା ଇତିହାସ ନାହିଁ ସତ କିନ୍ତୁ ଏହା ଖୁବ୍ କମଦିନରେ ରାଜଧାନୀର ଏକ ପରିଚୟ ପାଲଟିଯାଇଛି। ଏହା ସହିତ ରାଜଧାନୀର ଅସ୍ମିତା ଯୋଡି ହୋଇଯାଇଛି। ଏଣୁ ସ୍ବାଭାବିକ ଭାବରେ ଏହାର ସ୍ଥାନାନ୍ତରଣ କରାଯିବା ଏବେ ପ୍ରଶାସନ ପାଇଁ କାଠିକର ପାଠ ହୋଇପାରେ। କେବଳ ସେତିିକି ନୁହେଁ, ଖୁବ୍ କମ୍ ଦିନ ତଳେ ନିଜେ ସ୍ଥପତି ଶ୍ରୀ ମହାପାତ୍ରଙ୍କର ପରଲୋକ ହୋଇଥିବା ପରିପ୍ରେକ୍ଷୀରେ ଏବେ ଏହି ମୂର୍ତ୍ତି ସ୍ଥାନାନ୍ତରଣ ପ୍ରସଙ୍ଗଟି ଲୋକଙ୍କ ଭାବାବେଗ ସହିତ ଯୋଡି ହୋଇ ରହିଛି। ଶ୍ରୀ ମହାପାତ୍ରଙ୍କୁ ନିଜେ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥିଲେ। ତାଙ୍କ ମୃତ୍ୟୁର ଅଳ୍ପ କିଛି ଦିନ ପରେ ତାଙ୍କ ଦ୍ବାରା ନିର୍ମିତ ଗୋଟିଏ କୀର୍ତ୍ତିରାଜି ସ୍ଥାନାନ୍ତରଣ ଉପରେ ସଂସ୍କୃତି ବିଭାଗ (ବିଡିଏ ନିଷ୍ପତ୍ତିରେ) ମୋହର ଲଗାଇବା ଘଟଣା ରାଜନୈତିକ ମହଲ ଗ୍ରହଣ କରିପାରି ନାହାନ୍ତି, ସଂସ୍କୃତି ପ୍ରେମୀ ବି।

ଏହି ପ୍ରସଙ୍ଗଟି ଆହୁରି ସମ୍ବେଦନଶୀଳ ଏଇଥିପାଇଁ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୮ ମସିହାରେ ଏହାର ପ୍ରତିଷ୍ଠା କରିଥିଲେ। ଏଣୁ ନବୀନ ପଟ୍ଟନାୟକଙ୍କ ସରକାରରେ ଏହାର ସ୍ଥାନାନ୍ତରଣ ଘଟଣା ରାଜନୈତିକ ବିବାଦର ସୂତ୍ରପାତ୍ର କରିବା ଲାଗି ଏକ ସୁଯୋଗ ସୃଷ୍ଟି କରୁଛି। ପୁଣି କୋଣାର୍କ ମନ୍ଦିରର ଅଶ୍ବଦ୍ବାରରେ ଥିବା ମୂର୍ତ୍ତି ଢାଞ୍ଚାରେ ଏହାର ଅବକିଳ ନିର୍ମାଣ କରାଯାଇଥିବାରୁ ଏହାସହିତ କେଉଁଠି ନା କେଉଁଠି କୋଣାର୍କ ସୁରକ୍ଷା ପ୍ରସଙ୍ଗ ବିବାଦ ଘେରକୁ ଚାଲିଆସିବ। ଏମିତିରେ ବି ଗତ କିଛି ବର୍ଷ ଧରି ଏହି ମୂର୍ତ୍ତି ସହିତ ବହୁତ ଅନ୍ୟାୟ ହୋଇଛି। ବିକାଶ ଆଳରେ ମାଷ୍ଟର କ୍ୟାଣ୍ଟିନ୍ ଛକ ଅଞ୍ଚଳରେ ଥିବା ଏହି ମୂର୍ତ୍ତି ପ୍ରତି କେହି ସ୍ବତନ୍ତ୍ର ଧ୍ୟାନ ଦେଇନାହାନ୍ତି। ଏଣୁ ଏବେ ସ୍ଥାନାନ୍ତରଣ କଥା ଉଠିଲେ, ଅଧିକାରୀମାନଙ୍କର ନିଷ୍ଠା, ଭଲପାଇବା ଓ ଏହି ମୂର୍ତ୍ତି ପ୍ରତି ଆକର୍ଷଣ ଥିଲା କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହେବା ଆଦୌ ଅଯୌକ୍ତିକ ନୁହେଁ।

ଭୁବନେଶ୍ବର ମଧ୍ୟ ବିଧାୟକ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ଏହାକୁ ନେଇ ରାଜନୀତି ହେବା ଠିକ୍ ନୁହେଁ। ଭୁବନେଶ୍ବରକୁ ସ୍ମାର୍ଟ ସିିଟି କରାଯିବାକୁ ଘୋଷଣା କରାଯାଇଛି। ସେତେବେଳେ ଯେଉଁ ଡିପିଆର୍ ପ୍ରସ୍ତୁତ ହୋଇଥିଲା, ସେଥିରେ ରେଳଷ୍ଟେସନ୍‌ର ଉନ୍ନତିକରଣ ସହିତ ଆଇକନିକ୍ କୋଠା ନିର୍ମାଣ ପ୍ରସ୍ତାବ ରହିଥିଲା। ଏହି କୋଠା ନିର୍ମାଣ ହେଲେ ଘୋଡା ଆଉ ଦେଖାଯିବ ନାହିଁ। ସହରରେ ଲୋକସଂଖ୍ୟା ବଢ଼ୁଥିବାରୁ ଏହାକୁ ଦେଖି ପ୍ରକଳ୍ପ କରାଯାଉଛି।

ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଯେ ୬ମାସ ପୂର୍ବରୁ ଏହି ପ୍ରସ୍ତାବ ଆସିଥିଲ। ଆବଶ୍ୟକ ଆଲୋଚନା ପରେ ସଂସ୍କୃତି ବିଭାଗ ସ୍ଥାନାନ୍ତର ପାଇଁ ସମ୍ମତି ପ୍ରକାଶ କରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକାଶ ଭିତରେ ଘୋଡ଼ା ଲୁଚିଯିବ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି? ଘୋଡ଼ାକୁ ସେଠାରେ ରଖି ବିକାଶ ନକ୍ସା ପ୍ରସ୍ତୁତ କରାଯିବା ଦିଗରେ ପରୀକ୍ଷା ନିରୀକ୍ଷା ହୋଇଥିଲା କି? ଏ ସଂକ୍ରାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ସ୍ମାର୍ଟସିଟି ପ୍ରକଳ୍ପ ପ୍ରସ୍ତୁତ କରାଗଲା ବେଳେ ଅଧିକାରୀମାନେ ପ୍ରଦର୍ଶନ କରିଥିଲେ କି? ଏହି ଘୋଡ଼ାକୁ ଯଦି ରାଜଭବନ ପର୍ଯ୍ୟନ୍ତ ଉଠାଇ ନେବାକୁ ଅଧିକାରୀମାନେ ନିଷ୍ପତ୍ତି ନେଇ ପାରୁଛନ୍ତି, ତେବେ ସେହି ମାଷ୍ଟର କ୍ୟାଣ୍ଟିନ୍ ଛକରେ ଦୃଶ୍ୟମାନ ସ୍ଥିତିକୁ ନେବା ଲାଗି ତାହାକୁ ଉଚ୍ଚତମ ସ୍ଥାନରେ ରଖିବାରେ ଅସୁବିଧା କେଉଁଠି ଅଛି? ଏ ଦିଗରେ ଯୋଜନା ହୋଇଛି କି?

ସାଧାରଣ ଲୋକଙ୍କ ଭିତରେ ସନ୍ଦେହ ବଢ଼ିବାର ଆହୁରି ଅନେକ କାରଣ ରହିଛି। ରାଜଧାନୀ ବିକାଶ ଆଳରେ ଗତ କିଛି ବର୍ଷ ଧରି ଯେଭଳି କାର୍ଯ୍ୟକ୍ରମ ଚାଲିଛି, ତାହାକୁ କେହି ଗ୍ରହଣ କରିପାରୁନାହାନ୍ତି। ସ୍ମାର୍ଟସିଟି ପ୍ରସ୍ତୁତି ପ୍ରକ୍ରିୟାରେ କୌଣସି ଗୋଟିଏ ବି ପ୍ରକଳ୍ପ ସାରି ଅଧିକାରୀମାନେ ରାଜଧାନୀ ବା ରାଜ୍ୟବାସୀଙ୍କ ମନରେ ବିଶ୍ବାସ ସୃଷ୍ଟି କରିପାରିନାହାନ୍ତି। ରାସ୍ତା ଥରେ ତିଆରି ହେବାର ଦିନ କେଇଟା ପରେ ତାକୁ ପୁଣି ଭାଙ୍ଗି ଦିଆଯାଇ ସେଠାରେ ଆଉ ଗୋଟିଏ ନିର୍ମାଣ ହେଉଛି। ଯେମିତି ମନେ ହେଉଛି, ଭୁବନେଶ୍ବରକୁ କିଛି ଅଧିିକାରୀସେମାନଙ୍କର ନିଜର ବୁଦ୍ଧି ବିଦ୍ୟା ପରୀକ୍ଷା ନିରୀକ୍ଷା କରିବାର ପ୍ରୟୋଗଶାଳା କରିଦେଲେଣି। ଜଣେ ଅଧିକାରୀ ଯାଇ ଆଉ ଜଣେ ଆସିଲେ, ନକ୍ସା, କାର୍ଯ୍ୟକ୍ରମ ସବୁକିଛି ବଦଳିଯାଉଛି। ଏହାଦ୍ବାରା ପ୍ରଶାସନ ବିଶ୍ବାସ ଭାଜନ ହେବ କେମିତି?

ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଯୋଦ୍ଧା ଘୋଡାର ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରାଜ୍ୟ ସଂସ୍କୃତି ବିଭାଗର ଷ୍ଟାଚ୍ୟୁ କମିଟି ଅନୁମୋଦନ କରିଛି। ଏଠାରୁ ସ୍ଥାନାନ୍ତରିତ କରି ମୂର୍ତ୍ତି ଓ ପାର୍ଶ୍ଵରେ ଶୋଭା ପାଉଥିବା ନର୍ତ୍ତକୀ ମୂର୍ତ୍ତିଗୁଡିକୁ ରାଜଭବନ ନିକଟରେ ଥିବା ଗୋଲେଇ ଛକରେ ଅବସ୍ଥାପିତ କରାଯିବ। ସ୍ମାର୍ଟସିଟି ପକ୍ଷରୁ ଶିଶୁଭବନ ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ବହୁ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ଜନପଥ ପ୍ରକଳ୍ପ ଜାରିରହିଛି। ଏଥିରେ ରାସ୍ତା ପ୍ରଶାସ୍ତିକରଣ କାର୍ଯ୍ୟରେ କିଛି ପ୍ରତିମୂର୍ତ୍ତି ଓ ଧାର୍ମିକ ଅନୁଷ୍ଠାନ ପ୍ରତିବନ୍ଧକ ସାଜିଛି। ସେସବୁକୁ ପର୍ଯ୍ୟାୟ କ୍ରମେ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ କରାଯିବାକୁ ନିଷ୍ପତ୍ତି ହୋଇଛି। ହେଲେ ଆରମ୍ଭରୁ ଏଭଳି ବିବାଦ ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଆଗକୁ ଅଡ଼ୁଆ ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

Leave A Reply

Your email address will not be published.