ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସତୁରୀ ଦଶକରୁ ରାଜ୍ୟ ରାଜନୀତିରେ ଅଛନ୍ତି। ଏକାଧିକ ଧର ମନ୍ତ୍ରୀ ହୋଇଛନ୍ତି ଓ ପିପିସି ସଭାପତି ବି। ଆର୍ଥିକ ଦୃଷ୍ଟିରୁ ସେ ଆଦୌ ଦୁର୍ବଳ ନାହାନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କର ରାଜନୈତିକ ଜୀବନ ବେଶ୍ ଲମ୍ବା। ଜଣେ ଆଗଧାଡିର ଆଇନଜ୍ଞ ହିସାବରେ ତାଙ୍କର ଯେମିତି ଖ୍ୟାତି ରହିଛି, ଜଣେ ଆଇନ ମନ୍ତ୍ରୀ କିଭଳି ହେବା ଦରକାର ସେକଥା ସେ ବିଜୁ ପଟ୍ଟନାୟକଙ୍କ ସରକାରରେ ନବେ ଦଶକରେ ଦେଖାଇ ସାରିଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିିଷଦର ପ୍ରଥମ ଅଧ୍ୟକ୍ଷ ଥିଲେ, ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ବି ତାଙ୍କର ଅଭିଜ୍ଞତା ଅଛି।
ପୁରୀ ଜିଲ୍ଲାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ହୁଅନ୍ତୁ କି ଭୁବନେଶ୍ବରରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ସୁରେଶ କୁମାର ରାଉତରାୟ। କେନ୍ଦ୍ରାପଡ଼ାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ଜଗତସିଂହପୁରରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁଅ ଚିରଞ୍ଜୀବୀ ଓ ରଂଜୀବ ବିଶ୍ବାଳ, ଯାଜପୁରରେ ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କ ଠାରୁ କୋରାପୁଟରେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବଲାଙ୍ଗୀରରେ ସନ୍ତୋଷ ସିଂହ ସାଲୁଜା, ସୁରେନ୍ଦ୍ର ସିଂ ଭୋଇ, କଳାହାଣ୍ଡିର ଭକ୍ତଚରଣ ଦାସ, ଅନୁଗୁଳରେ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନଙ୍କ ପର୍ଯ୍ୟନ୍ତ ଯେଉଁ ଜିଲ୍ଲାରେ ହାତ ବୁଲାଇ ଆଣିଲେ, ଦେଖାଯାଉଛି ଯେ କଂଗ୍ରେସରେ ଆଜି ବି ବେଶ୍ ଟାଣୁଆ ନେତା ଅଛନ୍ତି।
ହେଲେ ମାଳ ମାଳ ନେତା ଥିବା କଂଗ୍ରେସ ଦଳ କାହିଁକି ଦୁର୍ବଳ?
ଦେଶରେ କଂଗ୍ରେସ ଦଳକୁ ବାଦ୍ ଦେଇ କିଛି ବରିଷ୍ଠ ରାଜନୈତିକ ନେତା ( ଏନ୍ସିପି ନେତା ଶରଦ ପାଓ୍ବାରଙ୍କ ଘରେ ଆଜି ବସୁଛି ବୈଠକ) ଙ୍କୁ ନେଇ ଯେବେ ନୂଆ ସମୀକରଣ ରାସ୍ତା ଖୋଜାଯାଉଛି, ତାହା ଯେପରି ଅତ୍ୟନ୍ତ ଲଜ୍ଜାଜନକ, ଠିକ୍ ସେହିଭଳି ଓଡ଼ିଶା ରାଜନୀତିରେ କଂଗ୍ରେସରେ ଏତେ ଟାଣୁଆ ନେତା ଥାଇ ଅଲୋଡ଼ା ହୋଇଯିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆଚମ୍ବିତ କରୁଛି। ଏକଥା ବୁଝାପଡ଼ୁଛି ଯେ ଜାତୀୟ ରାଜନୀତିରେ ଗାନ୍ଧୀ ପରିବାରକୁ ଗୁରୁତ୍ବ ଦେବାକୁ ଯାଇ କଂଗ୍ରେସ ଭୀଷଣ ପତନର ଶିକାର ହୋଇଛି। ହେଲେ ଓଡ଼ିଶା ରାଜନୀତିରେ କାହା ସ୍ବାର୍ଥକୁ ସୁରକ୍ଷା ଦେବାକୁ ଯାଇ କଂଗ୍ରେସ ନେତାମାନେ ହାତବାନ୍ଧି ବସିଗଲେ, ତାହା ବୁଝାପଡୁନି।
ପିସିସି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ, ଭର୍ଚୁଆଲରେ ନିଜର ମତାମତ, ଶୋକ ଏବଂ ଭୁବନେଶ୍ବର ସମେତ କିଛି ଅଞ୍ଚଳରେ ହାତଗଣତି କିଛି କର୍ମୀଙ୍କ ଗହଣରେ କାର୍ଯ୍ୟକ୍ରମ ଭିତରେ ଏତେ ବର୍ଷର ଦଳ ଅଟକିଗଲା? ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିବା ପୂର୍ବ ଦାୟଦଙ୍କର ଏହି ଦଳର ରକ୍ତ କଣ ପାଣି ଫାଟିଗଲା? ନେତାମାନେ କେଉଁ ସମୀକରଣକୁ ଅପେକ୍ଷା କରି ରହିଛନ୍ତି? କିଏ ନେତୃତ୍ବ ନେଲେ ସେମାନେ ରାଜରାସ୍ତାକୁ ଆସିବେ? ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ନିଜର ରାଜନୈତିକ ଆଦର୍ଶ, ବିଚାରାଧାରା ଓ ଓଡ଼ିଶାର ସ୍ବାର୍ଥକୁ ଏହି ନେତାମାନେ ବଳି ଚଢାଇ ଦେଉନାହାନ୍ତି ତ? ଏମିତି ଅନେକ ପ୍ରଶ୍ନ ଏବେ ଗାଁ ଗଣ୍ଡାରେ ଥିବା କଂଗ୍ରେସ କର୍ମୀଙ୍କୁ ଆନ୍ଦୋଳିତ କରୁଛି।
କଂଗ୍ରେସର କିଛି ନେତାଙ୍କର ଯୁକ୍ତି ହେଉଛି, ବିଜେଡି ଓ ବିଜେପିର ଆର୍ଥିକ ବଳ ସାମ୍ନାରେ ସେମାନେ ଯୁଝିବା କାଠିକର ପାଠ। ନିର୍ବାଚନରେ ବିଜେଡି ବରାବର ଅର୍ଥ ସେମାନେ ଖର୍ଚ୍ଚ କରିପାରିବେ ନାହିଁ। ରାଜନୀତି ଅର୍ଥସର୍ବସ୍ବ ହୋଇଛି ଓ ନ୍ୟାୟ ଏବଂ ଅନ୍ୟାୟ ବିଚାରର କୌଣସି ମୂୂଲ୍ୟ ନାହିଁ। ବିଜେପି ବି ଅତ୍ୟନ୍ତ ପ୍ରଭାବଶାଳୀ।
ନିର୍ବାଚନ କ୍ଷେତ୍ରରେ ଏ ଯୁକ୍ତି ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ଏକଥା କହିହେବ ନାହିଁ। ହେଲେ ଦେଶବାସୀଙ୍କୁ ସ୍ବାତନ୍ତ୍ରତା ଦେବା ପାଇଁ ଲଢିଥିବା କଂଗ୍ରେସ ଦଳ କଣ କେବଳ ନିର୍ବାଚନ ହେଲେ ଲଢ଼ିବ? କଥା କଥାକେ ମହାତ୍ମା ଗାନ୍ଧୀଙ୍କ କଥା କହୁଥିବା ଏହି ଦଳର ନେତାମାନେ ତେବେ ବାପୁଙ୍କ କେଉଁ ବିଚାରକୁ ଦେଖି ଆଗକୁ ବଢ଼ୁଛନ୍ତି? ନିୟନ୍ତ୍ରଣ ବାହାରେ ଥିବା ଦରଦାମ, ପେଟ୍ରୋଲ, ଡିଜେଲ ଦର ବୃଦ୍ଧି, ଆଇନଶୃଙ୍ଖଳା,ଶିଳ୍ପାୟନ, କେଳେଙ୍କାରୀ, ଭ୍ରଷ୍ଟାଚାର ଆଦି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଶହ ଶହ କୋଟି ଟଙ୍କା ଦରକାର ହେଉଛି କି?ବାତ୍ୟା ୟାସ୍ରେ ବିବୃତି ଯୁଦ୍ଧରେ ମାତିଥିବା କଂଗ୍ରେସ ନେତାମାନେ ବାତ୍ୟାଞ୍ଚଳରେ ଲୋକଙ୍କୁ ବିପଦରୁ ଉଦ୍ଧାର ଏବଂ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ସାହାଯ୍ୟ କରିଥିଲେ କଣ କୋଟି କୋଟି ଟଙ୍କା ଦରକାର ହୋଇଥାନ୍ତା? ଲୋକଙ୍କ ଦୁଃଖ ବେଳେ ଯିଏ ନାହିଁ, ତାକୁ କିଏ କାହିଁକି ପାଖରେ ରଖିବ?
ରାଜନୈତିକ ମହଲର କହିବା କଥା ହେଉଛି, ରାଜ୍ୟରେ କଂଗ୍ରେସ ଦିଶାହରା ହେବାର ଏକ ବଡ଼ କାରଣ ହେଉଛି,ସମଷ୍ଟିଗତ ବା ରାଜ୍ୟ ସ୍ବାର୍ଥ ଅପେକ୍ଷା ନେତାମାନେ ବ୍ୟକ୍ତି ସ୍ବାର୍ଥରେ ବିଶେଷ ଗୁରୁତ୍ବ ଦେଉଛନ୍ତି। କିଏ ସଭାପତି ହେବ, କାହା ନେତୃତ୍ବରେ ଦଳ ଲଢ଼ିବ, ତାହା ସେମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇପଡ଼ିଛି। ରାଜ୍ୟରେ ସିନା ସେମାନଙ୍କର ପ୍ରଭାବ ନାହିଁ, ନିଜ ନିଜ ଜିଲ୍ଲାରେ ନିଜେ ଆଗକୁ ଆସି ନିଜ ପ୍ରସଙ୍ଗକୁ ସାମ୍ନାକୁ ଆଣିବାକୁ କିଏ ସେମାନଙ୍କୁ ମନା କରିଛି?
ଅନ୍ୟ ରାଜନୈତିକ ଦଳ ତୁଳନାରେ ରାଜ୍ୟ କଂଗ୍ରେସରେ କମ୍ ଜ୍ଞାନୀ, ଗୁଣୀ ବା ଧନୀ ନେତା ଅଛନ୍ତି ତା ନୁହେଁ। ବରଂ ଏକଥା ସତ ଯେ ଲୋକଙ୍କ ସହିତ ଯୋଡି ହେବାର କଳା କୌଶଳ ସମ୍ଭବତଃ ରାଜ୍ୟ କଂଗ୍ରେସର ଅନେକ ନେତା ଇତିମଧ୍ୟରେ ଭୁଲିଯାଇଛନ୍ତି। ଓଡ଼ିଶାରେ ଦୀର୍ଘ ଦିନ ଧରି ସରକାରରେ ରହିଯିବା ( ସ୍ବାଧୀନତା ପରେ ଦୀର୍ଘ ଦିନ ଧରି ଶାସନରେ ରହିଛି କଂଗ୍ରେସ) କାରଣରୁ ବିରୋଧୀ ଦଳର ଭୂମିକାରେ ରହି ଲୋକଙ୍କୁ ଆକର୍ଷିତ କରିବାର କ୍ଷମତା ସଂପର୍କରେ ସେମାେନ ସଚେତନ ନୁହଁନ୍ତି।
ବିରୋଧ କରିବା ଖାତିରରେ ସବୁ କଥାକୁ ବିରୋଧ କରିବା ବିରୋଧୀ ଦଳର କାର୍ଯ୍ୟ ନୁହେଁ। ବହୁ ଗଠନମୂଳକ ସମାଲୋଚନା ସହ ଯଦି ଦଳୀୟ ନେତୃତ୍ବ ଏକାଠି ତଥା ଦୃଢ ଭାବେ ତାହାକୁ ପ୍ରସଙ୍ଗ କରିପାରନ୍ତି,ଲୋକଙ୍କ ସାମ୍ନାରେ ସରକାରଙ୍କ ବିେରାଧରେ ଆଣିଥିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ କରିପାରନ୍ତି, ତେବେ ସେମାନେ ଲୋକଙ୍କ ବିଶ୍ବାସଭାଜନ ହେବାକୁ ଅଧିକ ସମୟ ଲାଗିବ ନାହିଁ। ଆଜି କଂଗ୍ରେସକୁ ଏ କ୍ଷେତ୍ରରେ ଦାରିଦ୍ର୍ୟ ଘୋଟିଛି।
ଓଡ଼ିଶା କଂଗ୍ରେସ ନା ଏବେ ଏକାଠି ଅଛି ନା ନିକଟ ଅତୀତରେ କେବେ ସରକାର ବିରୋଧରେ ଗୋଟିଏ ପ୍ରସଙ୍ଗକୁ ଚୂଡାନ୍ତ ପର୍ଯ୍ୟାୟ ପର୍ଯ୍ୟନ୍ତ ଟାଣି ଆଣିବାରେ ସମର୍ଥ ହୋଇଛି। କିଛି ନେତାଙ୍କର ନିଜସ୍ବ ସ୍ବାର୍ଥ ସବୁବେଳେ ବା ଗତ କିଛି ବର୍ଷ ଧରି ଦଳ ଏବଂ ସାମୁହିକ ସ୍ବାର୍ଥରେ ସର୍ବଦା ପ୍ରତିବନ୍ଧକ ସାଜିଛି। ନିଜର ନେତୃତ୍ବ ବା କର୍ତ୍ତୃତ୍ବ ଉପରେ ଭରସା କରିବା ବଦଳରେ ରାଜ୍ୟ କଂଗ୍ରେସ ନେତାମାନେ ଏବେ ସରକାରଙ୍କ ସାମର୍ଥ୍ୟ ସଂପର୍କରେ ଅଧିକ ଭାବୁଛନ୍ତି। ପରୋକ୍ଷରେ ନିରବ ସମ୍ମାନ ଦେଉଛନ୍ତି।
ଏମିତିରେ ବଢିବେ କେମିତି?
ଲୋକେ ବାରମ୍ବାର ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବା ପଛର ଅସଲ କାରଣଟିକୁ କଂଗ୍ରେସ ନେତୃତ୍ବ ଏଯାଏ ଆବିଷ୍କାର କରିପାରିନାହାନ୍ତି। ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ସେମାନଙ୍କର ଆଗ୍ରହ ବି ନାହିଁ। ଦଳ ବିଧାନସଭାରେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିବା ପରେ ବି ସେମାନେ ଗୋଷ୍ଠୀବାଦ ରାଜନୀତିରୁ ମୁକୁଳିପାରିନାହାନ୍ତି।
ଏହା ଜାରି ରହିଲେ, ୨୦୨୪ ବେଳକୁ ଭୋଟ ପ୍ରତିଶତ ୧୦ ତଳକୁ ଖସିଆସିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଉଛି, ତାହା ବି ସମ୍ପୂର୍ଣ୍ଣ ଅମୂଳକ ନୁହେଁ।