ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ବିଜେଡିକୁ କାହାର ବେଶୀ ଆବଶ୍ୟକତା; ଯୁବ ନା ବରିଷ୍ଠ

0

୮୨ ନିର୍ବାଚନମଣ୍ଡଳୀରେ ବିଜେଡି ଭିତରେ ବିବାଦ ବଢୁଛି

ବରିଷ୍ଠ ନେତା କନିଷ୍ଠଙ୍କୁ ରାସ୍ତା ଛାଡିବାକୁ ନାରାଜ ଅଛନ୍ତି

ଅସନ୍ତୁଷ୍ଟ ନେତାଙ୍କ ଘରେ ପ୍ରତିଦିନ ମେଳି ବାନ୍ଧୁଛନ୍ତି

ଯୁବ ନେତାଙ୍କର ବି ଧୈର୍ଯ୍ୟ ଚ୍ୟୁତି, ଏଥର ନିଶ୍ଚୟ ଲଢିବେ

ବିଜେଡିକୁ ଦୁର୍ବଳ କରୁଛନ୍ତି ଖବ୍‌ରି, ଏଘର ମାଉସୀ…ସେଘର ପିଇସୀ

ପଞ୍ଚାୟତ ନିର୍ବାଚନରେ ବିଗିଡିଯାଇପାରେ ଦଳର ଭୋଟବ୍ୟାଙ୍କ

୨୪ ନିର୍ବାଚନମଣ୍ଡଳୀରେ ନେତାଙ୍କୁ ଜୋର ଧରିଲାଣି ପୁଅ ରୋଗ

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ପରେ ରାଜ୍ୟ ରାଜନୀତିରେ ଉଷ୍ଣତା ବଢିଯାଇଛି। ରାଜ୍ୟ ସରକାର ସ୍ମାର୍ଟ ହେଲ୍‌ଥ କାର୍ଡ ଆରମ୍ଭ କରିଛନ୍ତି, ଯାହା ହେଉଛି ବିଜେଡି ଭୋଟ ବ୍ୟାଙ୍କ ପାଇଁ ସବୁଠାରୁ ବଡ ସମ୍ବଳ। ଆସନ୍ତା ଦୁଇ ତିନିମାସରେ ସମସ୍ତଙ୍କ ଘରେ ଏହି କାର୍ଡ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ କରିଛନ୍ତି। ରାଜ୍ୟରେ ଯେବେ କୋଭିଡର ତୃତୀୟ ଲହର ଆସିବ ବୋଲି ଚର୍ଚ୍ଚା ଜୋର ଧରୁଛି, ଠିକ୍ ସେ ସମୟରେ ସରକାରଙ୍କ ହେଲ୍‌ଥ କାର୍ଡ ଏ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ। ସୁସ୍ଥ ଓଡ଼ିଶା ଗଠନ ପାଇଁ ସରକାରଙ୍କ ସଂକଳ୍ପ ଏବେ ବିଜେଡିର ବଳ। ଏହାର ଲାଭ କ୍ଷତି ପରେ ଆଲୋଚନା ହେବ।

ହେଲେ ଯେଉଁ ଚିତ୍ରଟି ଏବେ ରାଜନୈତିକ ମହଲକୁ ବେଶୀ ଆନ୍ଦୋଳିତ କରୁଛି, ତାହା ହେଲା ବିଜେଡିର ଅନ୍ତଃକନ୍ଦଳ। ଏ ସ୍ଥିତି ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏଥର କନ୍ଦଳର ସ୍ବରୂପ ଟିକିଏ ଭିନ୍ନ। ପୂର୍ବରୁ ସାଂସଦ ଓ ବିଧାୟକ ଗୋଷ୍ଠୀଙ୍କୁ ନେଇ ବିଜେଡିରେ ବିବାଦ ଦେଖାଯାଉଥିଲା। ଏଥର ବିବାଦର ମୁଖ୍ୟ କାରଣର ବରିଷ୍ଠ ଓ କନିଷ୍ଠ।

ବିଜେଡି ରାଜନୀତିରେ ବେଶ୍ କିଛି ବର୍ଷ ଧରି ଦ୍ବିତୀୟ ଧାଡିରେ ଥିବା ଯୁବ ନେତା ଏବେ ଆଉ ଧୈର୍ଯ୍ୟ ରଖିବାକୁ ନାରାଜ। ସେମାନେ ପ୍ରଥମ ଧାଡିକୁ ଆସିବା ଲାଗି ଜିଦ ଧରିଲେଣି। ରୋକଠୋକ୍ କହୁଛନ୍ତି, ୨୦୨୪ରେ ଆମକୁ ଟିକେଟ୍ ନାହିଁ ତ ବିଜେଡି ବି ଆମ ପାଇଁ ନାହିଁ। ରାଜ୍ୟର ୧୪୭ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୮୨ଟି ନିର୍ବାଚନମଣ୍ଡଳୀରୁ ଏଭଳି ଏକ ସାଂଘାତିକ ଚିତ୍ର ଆସୁଛି। ଏଥିରେ ପୁରୀ ଅଛି, ରାଉରକେଲା ଅଛି, କେନ୍ଦ୍ରାପଡା, ପାଟକୁରା ଠାରୁ ଆରମ୍ଭ କରି ବଡ଼ଚଣା, ଭୋଗରାଇ ବି।

ଏହି ନେତାମାନେ କାହାକୁ ଅପେକ୍ଷା ନ କରି ପଞ୍ଚାୟତ ନିର୍ବାଚନ ଲାଗି ନିଜର ରଣନୀତି ନିଜେ ନିଜେ କରିବସିଲେଣି। କାହାକୁ ଟିକେଟ୍ ଦେବେ, କିଏ ସେମାନଙ୍କ ସରପଞ୍ଚ ହେବ, ଏ ତାଲିକା ଆପାତତଃ ପ୍ରସ୍ତୁତ ସରିଛି। ଏହି ଗୋଷ୍ଠୀରୁ ଗୋଟିଏ ଭଲ ସଙ୍କେତ ଆସୁଛି, ତାହା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଏମାନଙ୍କର ସମ୍ମାନ ରହିଛି, ସରକାରୀ କଳର ରଣନୀତିକାର ଏବଂ ବିଜେଡିର ବର୍ତ୍ତମାନ ନେତୃତ୍ବକୁ ସେମାନେ ଗ୍ରହଣ କରୁଛନ୍ତି ମଧ୍ୟ।

ସେପଟେ ଏକାଧିକ ବାର ବିଜେଡିରୁ ଟିକେଟ୍ ପାଇ ଜିତିଥିବା ବା ବିଜେଡି ଭିତରେ ସକ୍ରିୟ ଥିବା ବରିଷ୍ଠ ନେତାମାନେ ବି ଦଳକୁ ନିଜର ବ୍ୟକ୍ତିଗତ ସଂପତ୍ତି ଭଳି ମନେ କଲେଣି। କୌଣସି ପ୍ରକାରେ ସେମାନେ ହଲଚଲ ହେବାକୁ ପ୍ରସ୍ତୁତ ନୁହଁନ୍ତି। ଯେଉଁମାନେ ଜାଣିଗଲେଣି, ସେମାନେ ଆଉ ଜିତିପାରିବେନି; ଏବେ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହୋଇଛି, ତାଙ୍କ ପୁଅକୁ ଆଣି ସଫଳତାର ସହିତ ନିଜ ଆସନରେ ବସାଇବା। ପୁଅ ରୋଗ ଧରିଥିବା ନେତାଙ୍କ ପାଇଁ ୨୪ ନିର୍ବାଚନମଣ୍ଡଳୀରେ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି ହେଲାଣି।

ଏହି ବରିଷ୍ଠ ନେତାମାନେ ବି ନିଜ ଜିଦରେ ଅଟଳ। ଦଳର ଶୀର୍ଷ ନେତୃତ୍ବ ଯଦି ସେମାନଙ୍କୁ ଛାଡି ନୂଆ ନେତାଙ୍କୁ ଧରନ୍ତି, ତେବେ ସେମାନେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେବେ। ଗତ ବର୍ଷ ମାନଙ୍କରେ ବିଜେଡି ସେମାନଙ୍କ ପାଇଁ ଯାହା କରିଛି, ତାହା ଭୁଲିଯିବେ। ବିଜେପିକୁ ଭିତିରିଆ ସମର୍ଥନ କରି ଦଳୀୟ ଶୀର୍ଷ ନେତୃତ୍ବକୁ ବୁଝାଇଦେବେ; ସେମାନଙ୍କୁ ଅଣଦେଖା କରିବାର ପରିଣାମ କେତେ ମହଙ୍ଗା ହୋଇପାରେ। ଏହି ନେତାମାନେ ଦଳ ଉପରେ ଚାପ କୌଶଳ ପ୍ରୟୋଗ କରିବା ଲାଗି ରାଜଧାନୀ ଆଖପାଖରେ ଏବଂ କିଛି ଅସନ୍ତୁଷ୍ଟ ବିଜେଡି ନେତାଙ୍କ ଘରେ ମେଳି ବାନ୍ଧୁଛନ୍ତି। ନିଜ ସପକ୍ଷରେ ବଳ ଯୋଗାଡ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶାସନିକ ଟିମ୍ ବିରୋଧରେ ଏମାନେ ଗର୍ଜନ ତର୍ଜନ କରି ଡରାଉଛନ୍ତି।

କୌତୂହଳର କଥା ହେଲା, ସରକାର ସହିତ ଭଲ ସଂପର୍କ ରଖିଥିବା କିଛି ନେତା ଏବେ ଏଘର ମାଉସୀ ଏବଂ ସେଘର ପିଇସୀ ଭଳି ବିଜେଡି ଭିତରେ ରହି ବିଭୀଷଣ ସାଜିଛନ୍ତି। ଏମାନେ ଯୁବକମାନଙ୍କୁ ନେତା ହେବା ପ୍ରବର୍ତାଉଛନ୍ତି ଓ ସେଠୁ ଶୁଣୁଥିବା କଥା ଆଣି ବରିଷ୍ଠଙ୍କୁ ବାଣ୍ଟି ତାଙ୍କର ଆସ୍ଥାଭାଜନ ହେବା ଲାଗି ଉଦ୍ୟମ କରିବା ସହିତ ବିଜେଡି ଭୋଟ ବ୍ୟାଙ୍କକୁ ଭିତରୁ ଭିତରୁ ଖୋଳ କରିଚାଲିଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବାନୁସାରେ, ଏମାନଙ୍କୁ ବିଜେଡିର ଶୀର୍ଷ ନେତୃତ୍ବ ଖବରି ବୋଲି ଭାବି ଉଲ୍ଲସିତ ହେଉଛନ୍ତି। ହେଲେ ଏଭଳି ଖବରିମାନେ କିନ୍ତୁ ତୃତୀୟ ପକ୍ଷର ଗୋଟି ହୋଇ ବିଜେଡି ରାଜନୀତିରୁ ପ୍ରତିଦିନ କ୍ଷତିଗ୍ରସ୍ତ କରିଚାଲିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ଏହି ଗୋଷ୍ଠୀ ୨୦୦୯ରୁ ୨୦୧୧ ଯାଏ ବି ରାଜ୍ୟ ରାଜନୀତିରେ ବେଶ୍ ସକ୍ରିୟ ହୋଇପଡିଥିଲେ।

ଅବଶ୍ୟ ଗୁଇନ୍ଦା ପାଖରେ ଏମାନଙ୍କ ତଥ୍ୟ ଅଛି। ବିଜେଡିର ଶୀର୍ଷ ନେତୃତ୍ବ ମଧ୍ୟ ଅଜଣା ନାହାନ୍ତି। ପରିସ୍ଥିତିରେ ସୁଧାର ପାଇଁ ଏମାନେ ଇତିମଧ୍ୟରେ ମାରାଥନ୍ ବୈଠକ କରିଛନ୍ତି। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉଭୟ ଗୋଷ୍ଠୀ ସହିତ ଆଲୋଚନାରେ ଅଛନ୍ତି। ହେଲେ ବରିଷ୍ଠଙ୍କ ମଧ୍ୟରୁ ଅଧିକାଂଶ ନେତା ବିଦ୍ରୋହୀ ଭୂମିକାରେ ଯେ ଅବତୀର୍ଣ୍ଣ ହେବେ, ଏକଥାକୁ ଆଦୌ ଏଡାଇ ଦେଇ ହେବ ନାହିଁ। ସେହିଭଳି କିଛି ଯୁବ ନେତା ଶେଷ ମୁହୂର୍ତ୍ତରେ ଭୁଲ ବୁଝାମଣାର ଶିକାର ହୋଇ ବିଜେପି ଆଡକୁ ଆଉଜିଯିବା ଆଦୌ ବିଚିତ୍ର ନୁହେଁ।

ଆଜି ଦିନରେ ବିଭିନ୍ନ ରାଜନୈତିକ ଦଳ ଯେଉଁ ସର୍ଭେ କରୁଛନ୍ତି, ତାହା ସୂଚାଉଛି, ପଞ୍ଚାୟତ ନିର୍ବାଚନରେ ବିଜେଡି ଏକପାଖିଆ ବିଜେଡି ହାସଲ କରିବ। କିନ୍ତୁ ସ୍ଥିତି ନ ବଦଳିଲେ, ଗତଥର ଭଳି ବିଜେଡି ଦୋହଲିଯିବ, ଏକଥା ବି ସଙ୍କେତ ଆସୁଛି।

ଏଠାରେ ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ନେତୃତ୍ବର ପିଢି ବଦଳାଇଛନ୍ତି। ହଠାତ୍ ସବୁ ବରିଷ୍ଠଙ୍କୁ ଆଡେଇ ଯୁବ ନେତା ପ୍ରଣବ ପ୍ରକାଶ (ବବି) ଦାସଙ୍କୁ ସାଂଗଠନିକ ମୁଖିଆ ପଦବିରେ ବସାଇଥିଲେ। ଏହାଦ୍ବାରା ବିଜେଡିର ଆଉ କିଛି ଲାଭ ହେଉ କି ନହେଉ ଯୁବ ଗୋଷ୍ଠୀକୁ ବିଜେଡି ନିଜ ପାଖରେ ରଖିବାରେ ସକ୍ଷମ ହେଲା। ଆଜି ଦିନରେ ବିଜେଡି ପାଖରେ ଯେତିକି ଯୁବକ ଅଛନ୍ତି, କଂଗ୍ରେସ ଓ ବିଜେପି ପାଖରେ ତାର ଅଧା ବି ନାହାନ୍ତି। ବବି ହେଉଛନ୍ତି ବହୁ ବରିଷ୍ଠଙ୍କ ଅସନ୍ତୋଷର କାରଣ। ସେମାନେ ବବିଙ୍କୁ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି। କଥା କଥାକେ ତାଙ୍କ ନାମ ଧରୁଛନ୍ତି।

ଏବେ କିନ୍ତୁ ଯଦି ନବୀନ କନିଷ୍ଠ-ବରିଷ୍ଠଙ୍କ ମଧ୍ୟରେ ଗୋଟିଏ ବୁଝାମଣା ସ୍ଥିତି ସୃଷ୍ଟି ଫେରାଇ ଆଣିବାରେ ବିଫଳ ହେବେ, ତେବେ ବେଶୀ ଯୁବକ ଓ କମ୍ ବରିଷ୍ଠ ବିଜେଡି ସଂଗଠନରୁ ଦୂରେଇ ବିଜେପିକୁ ସକ୍ରିୟ କରିଦେବେ। ବରିଷ୍ଠଙ୍କ ସହିତ ବିବାଦ, ସ୍ଥାନୀୟ ଅଞ୍ଚଳରେ ଯାବତୀୟ ଅସନ୍ତୋଷ ରହିଛି। ହେଲେ ନୂଆ ନେତୃତ୍ବ କ୍ଷମତାକୁ ଆସିନଥିବାରୁ କଳଙ୍କ ସ୍ପର୍ଶ କରିନି। କିନ୍ତୁ ବରିଷ୍ଠଙ୍କ ଭଳି ଯୁବକମାନେ ନୀତିନିଷ୍ଠ ବା ବିଜେଡି ଆଦର୍ଶ ଦ୍ବାରା ଏଯାଏ ଶତପ୍ରତିଶତ ଅନୁପ୍ରାଣିତ ହୋଇନାହାନ୍ତି। ସୁତରାଂ ବିଜେଡି ଯାହାକୁ ବି ହାତଛଡ଼ା କରିବ, ସେ ଦଳ ପାଇଁ ଘାତକ ହୋଇପାରନ୍ତି।

Leave A Reply

Your email address will not be published.