ଓଡ଼ିଶା ଦଖଲ ପାଇଁ ନୂଆଦିଲ୍ଲୀରେ ଚାଲିଛି ନକ୍ସା ପ୍ରସ୍ତୁତି, ଅନେକ ସଂସ୍ଥା ଲାଗିଛନ୍ତି କାମରେ
କାହାକୁ କବାଟ କିଳିବ, କାହାକୁ ପାଛୋଟି ନେବ ସେ ନେଇ ଖସଡା ପ୍ରସ୍ତୁତି ଆରମ୍ଭ
ବିଜେଡି ନେତାଙ୍କୁ ବିଜେପି ଦୁଆର ମନା,କେବଳ ନିର୍ବିବାଦୀୟ ନେତାଙ୍କୁ ସ୍ବାଗତ କରିବ
ପ୍ରଭାବହୀନ ଆମଦାନୀ ନେତାଙ୍କୁ ଆଉ ଗୁରୁତ୍ବ ଦିଆଯିବନି, ସାମ୍ନାକୁ ଆସିବେ ନୂଆ ନେତା
ପୂରା ଓଡ଼ିଶା ପାଇଁ ଶୀର୍ଷସ୍ତରରେ କସରତ ଆରମ୍ଭ, ବର୍ଷେ ଭିତରେ ପ୍ରକ୍ରିୟା ସାରିବାକୁ ସଙ୍କେତ
ଭୁବନେଶ୍ବର: ବିଜେପିର ଅନେକ ନେତା ଏବେ ବିଜେଡି ଦୁଆରେ। ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ବଦଳ ପାଇଁ ସଙ୍କେତ ଦେଲାମାନେ ଚଟାପଟ୍ ଡେଇଁବେ।ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାମାତ୍ରେ ଯେଉଁ ନେତାମାନଙ୍କର ପ୍ରଭାବ ଅଛି, ସେମାନଙ୍କୁ ବିଜେଡି ସାଙ୍ଗରେ ନେଇଯିବ। ଅନ୍ୟପକ୍ଷରେ କିନ୍ତୁ ନୂଆଦିଲ୍ଲୀ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ବିଜେପି ଫର୍ମୁଲା ଆଗକୁ ପୂରା ଅଲଗା। ବିଜେଡିର ଆଗଧାଡିର କୌଣସି ନେତାଙ୍କୁ ବିଜେପି ନେବ ନାହିଁ। ବିଧାୟକ, ପୂର୍ବତନ ବିଧାୟକ କିମ୍ବା ମନ୍ତ୍ରୀଙ୍କୁ ତ ଆଦୌ ନୁହେଁ।
ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ରାଜନୈତିକ ରଣନୀତିକାରମାନେ ପରିସଂଖ୍ୟାନ ଏବଂ ଉଦାହରଣ ଜରିଆରେ ବିଜେପି ଶୀର୍ଷ ନେତାଙ୍କୁ ବୁଝାଇ ଦେଇଛନ୍ତି। ସେମାନଙ୍କ କହିବାନୁସାରେ, ଯେଉଁମାନେ ବିଜେଡି ଛାଡି ବିଜେପି ଶରଣକୁ ଆସିଛନ୍ତି, ସେମାନେ ଦଳ ପାଇଁ ବୋଝ। ନା ବିଜେପି ସଂଗଠନରେ ସେମାନେ ନିଜକୁ ଖାପ ଖୁଆଇ ପାରୁଛନ୍ତି କି ଦଳ ପାଇଁ ସଫଳତା ଆଣିପାରୁଛନ୍ତି। ମିଶ୍ରଣ ବେଳେ ବିରାଟ ପଟୁଆରରେ ଏମାନେ ବିଜେଡି କର୍ମୀଙ୍କୁ ଆଣି ଗେରୁଆ କରିଦେଲେ ବୋଲି ନେତୃତ୍ବ ସାମ୍ନାରେ ଗୋଟିଏ ଚିତ୍ର ରଖୁଛନ୍ତି। କିନ୍ତୁ ବାସ୍ତବକଥା ହେଲା ପରିବର୍ତ୍ତୀ ସମୟରେ ଦେଖାଯାଉଛି ସେମାନଙ୍କ ସହିତ ମାତ୍ର ହାତଗଣତି କେଇଜଣ ରହୁଛନ୍ତି। ଅନ୍ୟମାନେ ବିଜେଡି ସପକ୍ଷରେ ଭୋଟ ଦେଉଛନ୍ତି।
ବରଂ ଏୟା ହେଉଛି, ସଂପୃକ୍ତ ନେତାଙ୍କ କଳଙ୍କ ବିଜେପି ମୁଣ୍ଡାଉଛି। ବିଜେଡିରେ ଥିବା ସମୟରେ ତାଙ୍କର ସମସ୍ତ ଖରାପ କାର୍ଯ୍ୟ ନବୀନଙ୍କ ଖାତାରୁ ପୋଛିହୋଇ ବିଜେପି ଖାତାକୁ ଚାଲିଆସୁଛି। ବିଜେପି ଓ ବିଜୁ ବିଜେପି ଏମିତି ଦୁଇଭାଗ ହୋଇଯାଉଛି ସଂଗଠନ। ସେ ଅଞ୍ଚଳରେ ଆଉ ବିଜେପି ଉଧାଉନାହିଁ। ଏହି ତଥ୍ୟରେ ଆହୁରି କୁହାଯାଇଛି ଯେ ୨୦୧୯ ନିର୍ବାଚନରେ ବିଜେପିକୁ ଆସିଥିବା ବିଜେଡିର ପୂର୍ବତନ ବିଧାୟକ ବା ମନ୍ତ୍ରୀ ସଫଳ ନ ହେବାର ଏହା ଗୋଟିଏ କାରଣ। ନିକଟରେ ପଶ୍ଟିମବଙ୍ଗରେ ବିଜେପି ହାରିଯିବାର କାରଣ ହେଉଛି, ଯେଉଁମାନେ ବଦନାମ୍ ହୋଇଥିବା କାରଣରୁ ମମତାଙ୍କ ତୃଣମୂଳ କଂଗ୍ରେସ ଟିକେଟ୍ ଦେଲା ନାହିଁ ବା ଯେଉଁମାନେ ଟିକେଟ୍ ପାଇବେ ନାହିଁ ବୋଲି ଜାଣିପାରିଲେ, ସେମାନେ କେବଳ ବିଜେପିରେ ମିଶିଲେ। ଦଳର ସବୁ ଶ୍ରମ ନିରର୍ଥକ ହୋଇଗଲା। ୨୦୧୯ ଓଡ଼ିଶା ନିର୍ବାଚନରେ ବିଜେପିର ମିସନ ୧୨୦ ବିଫଳ ହେବାର କାରଣ ଯାହା, ୨୦୨୧ରେ ତୃଣମୂଳ କଂଗ୍ରେସ ସରକାର ପତନ ଅଭିଯାନ ସଫଳ ନ ହେବାର କାରଣ ମଧ୍ୟ ସେୟା।
ରାଜନୀତି ରଣନୀତିକାରମାନେ ଓଡ଼ିଶା କଂଗ୍ରେସର ଶୋଚନୀୟ ସ୍ଥିତି ପଛର ମଧ୍ୟ ଗୋଟିଏ ବଡ ଉଦାହରଣ ବିଜେପି ସାମ୍ନାରେ ରଖିଛନ୍ତି। କଂଗ୍ରେସ ନେତାମାନଙ୍କର ଏହି ଗୋଟିଏ ଭୁଲ୍ ଦଳକୁ ବିପର୍ଯ୍ୟୟ ମୁହଁକୁ ଏମିତି ଠେଲି ଦେଲା ଯେ ଆଜିଯାଏ ସେମାନେ ସେଥିରୁ ମୁକୁଳିପାରୁନାହାନ୍ତି। ବିଜେଡି-ବିଜେପି ମେଣ୍ଟ ସରକାରର ପ୍ରଥମ ଦଫା ବେଶୀ ପ୍ରଭାବୀ ନଥିଲା। ବରଂ ଜନତାଦଳ ସମୟର ଶୀର୍ଷ ନେତାମାନଙ୍କୁ ନବୀନ ଦଳରୁ ବାହାର କରିଦେବା ପରିଣାମରେ ଅନ୍ତଃକନ୍ଦଳ ବେଶ୍ ପରିସ୍ପୁ଼ଟିତ ହୋଇଥିଲା। କଂଗ୍ରେସ ସଂଗଠନ ସେବେ ଆଜି ଭଳି ଦୁର୍ବଳ ନଥିଲା। ହେଲେ ନବୀନ ଯେଉଁ ସବୁ ବିଜେଡି ନେତାଙ୍କୁ ତଡିଦେଲେ, କଂଗ୍ରେସ ତାଙ୍କୁ ଆପଣାଇ ନେବା ଦ୍ବାରା ଦଳ ବିପକ୍ଷରେ ଗୋଟିଏ ଜନମତ ତିଆରି ହୋଇଗଲା। ବିଶେଷକରି ଯେବେ ପୂର୍ବତନ ବାଚସ୍ପତି ଶରତ କରଙ୍କୁ କଂଗ୍ରେସ କୋଳେଇ ନେଲା, ସେବେ ଦଳ ସପକ୍ଷରେ ଥିବା ଜନମତ ଭୀଷଣ ଭାବେ ବିଗିଡିଯାଇଥିଲା। ୨୦୦୪ ନିର୍ବାଚନରେ ଖରାପ ସ୍ଥିତିକୁ ଅନୁଶୀଳନ କରି ବିଜେଡି ନିଜକୁ ସଜାଡି ନେଲା, କିନ୍ତୁ କଂଗ୍ରେସ ଏହି ବିବାଦରେ ଫସି ରହି ଦିନକୁ ଦିନ ସଂଗଠନକୁ ବିଗାଡି ଦେଲା।
ବିଜେପି ଶୀର୍ଷସ୍ତରକୁ ଦିଆଯାଇଥିବା ରିପୋର୍ଟରେ ଆହୁରି କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଓଡ଼ିଶାରେ କ୍ଷମତାରେ ଅଛନ୍ତି। ଅଧିକାଂଶ ନେତା ଚାରିରୁ ପାଞ୍ଚଥର ଜିତି ଆସୁଛନ୍ତି। ଏମାନଙ୍କ ବିପକ୍ଷରେ ସାଧାରଣରେ ସ୍ବର କ୍ରମଶଃ ବଢୁଛି। ଏଣୁ ବିଜେଡି ତାର ରଣନୀତି ବାରମ୍ବାର ପରିବର୍ତ୍ତନ କରି ବଦନାମ ନେତାଙ୍କୁ ନିଜ ପାଖରୁ ଦୂରେଇବା ଆରମ୍ଭ କଲେଣି। ଏମାନଙ୍କ ମଧ୍ୟରୁ ଅଳ୍ପ କିଛି ଏବେ ବିଜେପି ଆଡକୁ ଆଖେଇଛନ୍ତି ଓ ଯୋଗସୂତ୍ରରେ ରହିବା ବିଚିତ୍ର ନୁହେଁ। କିନ୍ତୁ ଏମାନଙ୍କୁ ଦଳକୁ ଆଣି ବିଜେପି ନିଜକୁ ବିପଜ୍ଜନକ ସ୍ଥିତିକୁ ନ ଟାଣି ବରଂ ସେମାନଙ୍କୁ ସେହି ଦଳରେ ରହିବାକୁ ଦେବାକୁ ଏହି ଟିମ୍ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ସଂପୃକ୍ତ ନେତାମାନେ ବିଜେଡି ଭିତରେ ଅନ୍ତଃକନ୍ଦଳ ବଢାଇବେ ଓ ଭୋଟ ବିଭାଜନ ହେଲେ ବିଜେପି ଲାଭରେ ରହିବ। ଏହା ଭିତରେ ଆଉ ଗୋଟିଏ ଘଟଣା ବି ଘଟିବ। ଯେଉଁସ୍ଥାନରେ ନେତାମାନଙ୍କୁ ନବୀନ ପଟ୍ଟନାୟକ ହଟାଇ ପାରିବେ ନାହିଁ, ବାଧ୍ୟହୋଇ କୋଳେଇ ନେବେ,ସେ ଅଞ୍ଚଳର ବିଧାୟକ ଆଶାୟୀ ନେତାଙ୍କୁ ବିଜେପିକୁ ଆଣିବା ଲାଗି ସବୁଜ ସଙ୍କେତ ଦିଆଯାଇଛି। ଯେହେତୁ ଏସବୁ ନେତାମାନେ କଳଙ୍କମୁକ୍ତ, ଏହା ଲାଭଦାୟକ ହେବ ଏବଂ ବିଜେଡି ଭୋଟକୁ ଏମାନେ ଛିନ୍ଛତ୍ର କରିଦେବେ।
ସବୁଠାରୁ ବଡକଥା ହେଲା, ଏହି ଟିମ୍ ଓଡ଼ିଶାର ୧୪୭ ନିର୍ବାଚନମଣ୍ଡଳୀରେ କେଉଁ ନେତା ପ୍ରଭାବହୀନ, କିଏ ବାରମ୍ବାର ଠିଆ ହୋଇ ପରାଜିତ ହେଉଛନ୍ତି ଜିତିବାର କୌଣସି ସମ୍ଭାବନା ନାହିଁ, ତାର ବି ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ସେହିଭଳି କିଏ ସଂଗଠନରେ ନିଷ୍ପ୍ରଭ ହୋଇଗଲେଣି, ଏ ସଂପର୍କରେ ତାଲିକା ପ୍ରସ୍ତୁତ ହୋଇଛି। ଖୁବ୍ ଶୀଘ୍ର ବିଜେପି ବଛା ବଚ୍ଛା ନୂଆ ନେତାଙ୍କୁ ଆଣି ପ୍ରଥମ ଧାଡିରେ ବସାଇବାକୁ ଯୋଜନା କରିଛି। ଦଳର ଅନେକ ପୁରୁଣା ମୁହଁ ଅପସରିଯିବାର ସମ୍ଭାବନା ଅଧିକ ରହିଛି। ସେହିଭଳି ଗତ ନିର୍ବାଚନ ବେଳେ ଅନ୍ୟ ଦଳରୁକୁ ଆମଦାନୀ ହୋଇ ଆସିଥିବା ଅନେକ ନେତାଙ୍କୁ ବିଜେପି ସୁଅ ମୁହଁକୁ ଠେଲିଦେବ। ଅର୍ଥାତ୍ ସେମାନେ ଚାହିଁଲେ ରହିପାରନ୍ତି, କିନ୍ତୁ ବିଜେପି ଶିବିରରେ ଆଉ ସେମାନଙ୍କୁ ଗୁରୁତ୍ବ ମିଳିନପାରେ।
ଆସନ୍ତା ବର୍ଷକ ମଧ୍ୟରେ ବିଜେପି ନବ କଳେବର ରୂପ ଧାରଣ କରିବା ବିଚିତ୍ର ନୁହେଁ ବୋଲି କୁହାଯାଉଛି। ଯଦି ଏହି ରିପୋର୍ଟକୁ ଶୀର୍ଷ ନେତୃତ୍ବ ଗ୍ରହଣ କରି ଆଗେଇ ନିଅନ୍ତି, ତେବେ ବିଜେଡି ଚାପରେ ରହିବ। ହେଲେ ବିଜେପି ତୃଣମୂଳସ୍ତରରେ ଥିବା ନୂଆ ନେତାଙ୍କୁ ଚିହ୍ନଟ କରି ସାମ୍ନାକୁ ଆଣିବା କିଛି କମ୍ କାଠିକର ପାଠ ନୁହେଁ।
ଏଠାରେ ଉଲ୍ଲେଖଥାଉକି, ଅତି ଚତୁରତାର ସହିତ ବିଜେପିର କେନ୍ଦ୍ରୀୟ ଟିମ୍ ବିଭିନ୍ନ ସଂସ୍ଥାମାଧ୍ୟମରେ ଏ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲେଣି। ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ତଦନୁଯାୟୀ ସେମାନଙ୍କର ଗୋଷ୍ଠୀ ପରିବର୍ତ୍ତନ କରି ନୂଆ ସମର୍ଥକ ତିଆରି କରିପାରନ୍ତି।