ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ବାଦଲ ଫଟା ବର୍ଷା ଫଳରେ ମଙ୍ଗଳବାର ଅପରାହ୍ନରେ ଏକ ଗାଁ ସମ୍ପୂର୍ଣ୍ଣ ଭାବେ ଭାସି ଯାଇଛି। ତେବେ ଏହି ଧରାଲି ଗାଁ ଡେରାଡୁନରୁ ୨୧୮ କିଲୋମିଟର ଏବଂ ଗଙ୍ଗୋତ୍ରୀ ଧାମରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ଅଟେ।
ଏହି ଘଟଣାର ଭିଡିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ କିପରି ପାହାଡ଼ରୁ ବର୍ଷା ପାଣି ଓ ଭଗ୍ନାବଶେଷ ଆସି ୩୪ ସେକେଣ୍ଡ ମଧ୍ୟରେ ସମଗ୍ର ଗାଁକୁ ଭସାଇ ନେଇଛି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ଗତ ୨ ଦିନ ଧରି ଏଠାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଉତ୍ତରକାଶିର ପ୍ରଶାସନ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି। ଏଥିସହିତ ୫୦ରୁ ଅଧିକ ଲୋକ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି।
ମଙ୍ଗଳବାର, ଅଗଷ୍ଟ ୫, ୨୦୨୫ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ବାଦଲ ଫଟା ବର୍ଷା ବନ୍ୟା ସୃଷ୍ଟି କରିଥିଲା। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଉତ୍ତରାଖଣ୍ଡର ଧରାଲି ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଥିବା ରିପୋର୍ଟ କରାଯାଇଛି, ଯେଉଁଠାରେ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି।
ଗଙ୍ଗୋତ୍ରୀ ଧାମର ଏକ ପ୍ରମୁଖ ସ୍ଥାନ ଧରାଲିରେ ଖୀର ଗଙ୍ଗା ନଦୀରେ ଏକ ଭୟଙ୍କର ବନ୍ୟା ଆସିଥିଲା। ବନ୍ୟା ଯୋଗୁ ୨୦ ରୁ ୨୫ ହୋଟେଲ ଏବଂ ହୋମଷ୍ଟେ ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ ରୁ ୧୨ ଜଣ ଶ୍ରମିକ ପୋତି ହୋଇଯାଇ ଥିବା ଅନୁମାନ କରାଯାଉଛି। ସ୍ଥାନୀୟ ବାସିନ୍ଦା ରାଜେଶ ପନୱାର କୁହନ୍ତି ଯେ ଖୀର ଗଙ୍ଗାର ଜଳଭଣ୍ଡାର ଅଞ୍ଚଳରେ ଉପରେ କୌଣସି ସ୍ଥାନରେ ଏକ ବାଦଲ ଫାଟି ପଡ଼ିଥିଲା, ଯାହା ଫଳରେ ଏହି ଭୟଙ୍କର ବନ୍ୟା ଆସିଛି। ବନ୍ୟା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି।
ବନ୍ୟା ଯୋଗୁ ଧରାଲି ବଜାରରେ ପ୍ରବଳ କ୍ଷତି ହୋଇଛି, କେବଳ ବନ୍ୟା ଦ୍ୱାରା ଆସିଥିବା କାଦୁଅ ପାଣି ସବୁଠି ଦେଖାଯାଉଛି। ଲୋକମାନେ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି। ବନ୍ୟା ଯୋଗୁ ଖୀର ଗଙ୍ଗା କୂଳରେ ଅବସ୍ଥିତ ପ୍ରାଚୀନ କଳ୍ପ କେଦାର ମନ୍ଦିର ମଧ୍ୟ ଭାଙ୍ଗି ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି।
ଧାମି କହିଛନ୍ତି ଯେ ଜିଲା ପ୍ରଶାସନ, ଭାରତୀୟ ସେନା, ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏନଡିଆରଏଫ୍) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏନଡିଆରଏଫ୍) ର ଦଳ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେ କହିଛନ୍ତି, ‘ଆମେ ଲୋକଙ୍କୁ ଉଦ୍ଧାର କରିବା ଏବଂ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛୁ।’ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ସରକାର ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବେ।