ଭୁବନେଶ୍ବର: ରାଜ୍ୟରେ ବିଗତ ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ। କିନ୍ତୁ ସାଇବର ଠକଙ୍କ ଠାରୁ ଫେରିଛି ମାତ୍ର ୭ କୋଟି ଟଙ୍କା। ବିଧାନସଭାରେ ଏନେଇ ଲିଖିତ ଭାବେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବିଧାନସଭାର ତଥ୍ୟ କହୁଛି ୨୦୨୪ରେ ୨୭ ହଜାର ୩୬୮ ଟି ମାମଲା ରୁଜୁ ହେଉଥିବା ବେଳେ, ୨୭୯ କୋଟି ୭୧ ଲକ୍ଷ ୨୯ ହାଜର ୬୬୨ ଟଙ୍କା ଠକେଇ ହେଇଛି। ସେଥିମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ ୮୭ ହଜାର ୨୬୮ ଟଙ୍କା ରିକଭରି ହୋଇଛି। ଫ୍ରିଜ ହୋଇଛି ୨୩ କୋଟି ୬୪ ଲକ୍ଷ ୩୦ ହଜାର ୭୬୮ ଟଙ୍କା।
ସେହିପରି ୨୦୨୫ ରେ ୪୯ ହଜାର ୪୨୬ ମାମଲା ରୁଜୁ ହେଇଥିବା ବେଳେ, ୪୩୨ କୋଟି, ୨୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ମାତ୍ର ୫ କୋଟି ୩୧ ଲକ୍ଷ, ୪୫ ହଜାର ୮୮୬ ଟଙ୍କା ଫେରିଛି। ଫ୍ରିଜ ହୋଇଛି ୬୮ କୋଟି ୭୧ ଲକ୍ଷ ଟଙ୍କା। ଏହା ସହିତ ଓଡିଶା ସରକାରଙ୍କ ବିଭିନ୍ନ ୱେବସାଇଟ ଉପରେ ହୋଇଛି ୭୦୦୫ ଥର ସାଇବର ଆଟାକ। ସାଇବର ସିକୁରିଟି ଅପରେସନ ସେଣ୍ଟର ଏହି ସମସ୍ତ ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହୋଇଛି। ଏହାର ପରିଣାମ ସ୍ବରୂପ ଡାଟା ସେଣ୍ଟରରେ ହୋଷ୍ଟ ହୋଇଥିବା ସରକାରୀ ସଂସ୍ଥାର ୱେବସାଇଟ ସାଇବର ଆକ୍ରମଣର ଶିକାର ହୋଇନାହିଁ। ସୂଚନାମୁତାବକ, ଏହି ସାଇବର ଆକ୍ରମଣଗୁଡ଼ିକ ଋଷ, ଚୀନ, ଉତ୍ତର କୋରିଆ, ଇରାନ,ନାଇଜେରିଆ ଓ ରୋମାନିଆ ଭଳି ଦେଶମାନଙ୍କରୁ ଆସିଥିଲା।
ଜୁନ ୨୦୨୪ରୁ ଡିସେମ୍ବର ୨୦୨୫ ମଧ୍ୟରେ ଆର୍ଥିକ ଠକେଇ ସମ୍ପର୍କିତ ୨୪୮୨ ଟି ମାମଲା ହୋଇଛି , ଏଥିରେ ୧୭୨ ଜଣ ଗିରଫ ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ଠକେଇ ଜନିତ ୧୬୮୯ ଟି ମାମଲା ରୁଜୁ ହୋଇଥିବା ବେଳେ ୬୩୮ ଜଣ ଗିରଫ ହୋଇଛନ୍ତି। ହ୍ୟାକ କରି ଠକେଇ ଅଭିଯୋଗ ୧୪ ଟି ଥିବାବେଳେ ଜଣେ ଗିରଫ ହୋଇଛନ୍ତି। ସେହିପରି ଅନ୍ୟାନ୍ୟ ଠକେଇ ସମ୍ପର୍କିତ ୫୩ ଅଭିଯୋଗରେ ୫୭ ଜଣ ଗିରଫ ହୋଇଛନ୍ତି।