ଉତ୍ତରପ୍ରଦେଶ: ପ୍ରୟାଗରାଜରେ ଥିବା ଗୋଟିଏ ବିରାଟ ଶୀତଳ ଭଣ୍ଡାରର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଛନ୍ତି। ଘଟଣା ପରେ ଆମୋନିଆ ଗ୍ୟାସ୍ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।
ଅଧିକାରୀମାନଙ୍କ ଅନୁସାରେ, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ କିଛି ଲୋକ ଏବେ ବି ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବରିଷ୍ଠ ପୁଲିସ ଅଧିକାରୀ କୁଲଦୀପ ଗୁନାୱତ କହିଛନ୍ତି, ହଠାତ୍ ଭୁଶୁଡ଼ିବାରୁ ଅନେକ ଶ୍ରମିକ ଚାପି ପଡ଼ିଥିଲେ, ଯେଉଁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି। ଉଦ୍ଧାର କାର୍ଯ୍ୟରେ ପୁଲିସ୍, ଅଗ୍ନିଶମ ବିଭାଗ ସହ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି। ବାରାଣସୀରୁ ଏକ ଏନଡିଆରଏଫ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି।
ଦୁର୍ଘଟଣାଗ୍ରସ୍ତ ଶୀତଳ ଭଣ୍ଡାରର ସମ୍ପର୍କ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଅନସାରୀ ଅହମଦଙ୍କ ସହ ଥିବା କୁହାଯାଉଛି। ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ଓ ବିଭାଗୀୟ ଅଧିକାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି।ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରି ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବା ସହ ମାଜିଷ୍ଟେରିଆଲ୍ ତଦନ୍ତ ଆଦେଶ ଦେଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ଘୋଷଣା କରାଯାଇଛି। ରାଜ୍ୟ ସରକାର ମଧ୍ୟ ସମାନ ରାଶି ସହାୟତା ଦେବାକୁ କହିଛନ୍ତି।