ଭୁବନେଶ୍ବର: ଡିଜିଟାଲରେ ଅଭିଯୋଗ ଶୁଣିବେ ବିଧାୟକ। ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଏହି ବ୍ୟବସ୍ଥା କରାଯିବ। ବିଭିନ୍ନ ଅଞ୍ଚଳରେ କରାଯିବ ଡିଜିଟାଲ୍ ବ୍ୟବସ୍ଥା। ସରକାର ଏ ସବୁକୁ ବିଚାର କରୁଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ।
ମୁକେଶ ମହାଲିଙ୍ଗ କହିଛନ୍ତି ଡିଜିଟାଲ୍ ଶାସନକୁ ସୁଦୃଢ଼ କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ବିଧାୟକମାନଙ୍କ ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ ପ୍ରଚଳନ କରିବାକୁ ଯାଉଛି। ବିଧାୟକଙ୍କୁ ଭେଟି ଅଭିଯୋଗ କରିବାକୁ ପଡ଼ିବ ନାହିଁ।ଲୋକେ ଡିଜିଟାଲ ମାଧ୍ୟମରେ ନିଜର ଅଭିଯୋଗ ଜଣାଇ ପାରିବେ। ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ଜନ ପ୍ରତିନିଧି ଅର୍ଥାତ୍ ବିଧାୟକମାନେ ଅଭିଯୋଗ ଶୁଣି ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦେବେ। ଫଳରେ ଅଭିଯୋଗ ଶୁଣାଣି ସହଜ ଓ ସରଳ ହେବ। ଏଥିପାଇଁ ନୂତନ ୱେବ୍ ସାଇଟ୍ ଖୋଲିବାର ସମ୍ଭାବନା ରହିଛି।
ଏହି ପଦକ୍ଷେପର ଲକ୍ଷ୍ୟ ଅଭିଯୋଗ ଦାଖଲ ପ୍ରକ୍ରିୟାକୁ ସରଳ କରିବା ଏବଂ ନାଗରିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ଦ୍ରୁତ, ଅଧିକ ସ୍ୱଚ୍ଛ ସମାଧାନ ସୁନିଶ୍ଚିତ କରିବା। ଏହି ବ୍ୟବସ୍ଥା ସହିତ, ଲୋକମାନେ ଶାରୀରିକ ପ୍ରତିବନ୍ଧକ ବିନା ସହଜରେ ସେମାନଙ୍କର ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ସଂଯୋଗ କରିପାରିବେ। ଏହି ପଦକ୍ଷେପ ଦାୟିତ୍ୱରେ ଉନ୍ନତି ଆଣିବା, ଯୋଗାଯୋଗ ବୃଦ୍ଧି କରିବା ଏବଂ ଜନସାଧାରଣଙ୍କ ପାଇଁ ଶାସନକୁ ଅଧିକ ସୁଗମ କରିବା ଆଶା କରାଯାଉଛି।