ନୂଆ ଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ ନିଜ ମତ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରି ଅନେକ ପ୍ରଶ୍ନ ଉଠାଇଛନ୍ତି। ରାଘବ ଚଢା କହିଛନ୍ତି ଯେ ସେ ସଦା ସଂସଦରେ ସାଧାରଣ ଲୋକଙ୍କ ସ୍ବର ଭାବରେ ନିଜ ମତ ରଖିଆସୁଛନ୍ତି। “ମୁଁ ସଂସଦରେ ଜନସାଧାରଣଙ୍କ ସମସ୍ୟା ଉଠାଏ। କିନ୍ତୁ କ’ଣ ଏହା ଅପରାଧ? ମୁଁ କ’ଣ ଭୁଲ କରିଛି?” ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ପାର୍ଟି ପକ୍ଷରୁ ସଂସଦରେ ତାଙ୍କୁ କହିବାରୁ ବାରଣ କରାଯାଇଥିବା ସୂଚନା ମିଳିଛି। “ମୋତେ କାହିଁକି ଚୁପ୍ କରାଯାଉଛି? ମୁଁ ଯେତେବେଳେ କହେ, ସାଧାରଣ ଲୋକଙ୍କ ପାଇଁ କହେ,”।
ରାଘବ ଚଢା ତାଙ୍କ ଭିଡିଓରେ ସଂସଦରେ ଉଠାଇଥିବା ବିଭିନ୍ନ ପ୍ରସଙ୍ଗର କଥା ମଧ୍ୟ ଉଲ୍ଲେଖ କରିଛନ୍ତି— ବିମାନବନ୍ଦରରେ ମହଙ୍ଗା ଖାଦ୍ୟ,
ଜୋମାଟୋ ଓ ବ୍ଲିଙ୍କିଟ୍ ଡେଲିଭରି କର୍ମଚାରୀଙ୍କ ସମସ୍ୟା, ଖାଦ୍ୟ ମିଶ୍ରଣ, ଟୋଲ୍ ପ୍ଲାଜାରେ ବ୍ୟାଙ୍କ ଶୁଳ୍କ, ମଧ୍ୟବିତ୍ତ ବର୍ଗ ଉପରେ କର ଚାପ, କଣ୍ଟେଣ୍ଟ କ୍ରିଏଟରଙ୍କ ଧର୍ମଘଟ, ଟେଲିକମ୍ ରିଚାର୍ଜ ଓ ଡାଟା ରୋଲଓଭର ସମସ୍ୟା। ସେ କହିଛନ୍ତି ଯେ ଏହି ସମସ୍ତ ପ୍ରସଙ୍ଗ ଉଠାଇବାରୁ ସାଧାରଣ ଲୋକଙ୍କୁ ଲାଭ ମିଳିଛି। “ତେବେ ଏଥିରୁ କାହାର କ୍ଷତି ହେଲା? ମୋତେ କାହିଁକି ଅଟକାଗଲା?” ବୋଲି ସେ ପ୍ରଶ୍ନ କରିଛନ୍ତି। ଶେଷରେ ସେ ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, “ମୋର ନୀରବତାକୁ ପରାଜୟ ଭାବିବେ ନାହିଁ। ମୁଁ ଏକ ନଦୀ, ସମୟ ଆସିଲେ ବନ୍ୟାରେ ପରିଣତ ହେବି।”