ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଆଶା ଭୋସଲେଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଲ୍ଟିପୁଲ ଅର୍ଗାନ ଫେଲିୟର୍ ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଭାଜପା ନେତା ଆଶିଷ ଶେଲାର ଏହି ଖବରକୁ ସାର୍ବଜନୀନ କରିଥିଲେ। ଏହି ଖବର ପ୍ରସାର ପାଇବା ସହିତ ସାରା ଦେଶରେ ଶୋକର ଛାୟା ଛାଇଯାଇଛି। ସାଧାରଣ ଲୋକରୁ ଆରମ୍ଭ କରି ରାଜନେତା, ସିନେମା ତାରକା ଓ ସଙ୍ଗୀତ ଜଗତର ବିଭିନ୍ନ ବ୍ୟକ୍ତିତ୍ୱ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ପରଲୋକରେ ଶୋକ ପ୍ରକଟ କରି ଭାରତୀୟ ସଙ୍ଗୀତ ଜଗତ ପାଇଁ ଏହାକୁ ବଡ଼ କ୍ଷତି ବୋଲି କହିଛନ୍ତି।
ଆଶା ଭୋସଲେଙ୍କ ସଙ୍ଗୀତ ଯାତ୍ରା ଏକ ଦୃଷ୍ଟାନ୍ତ। ସେ ପ୍ରାୟ ୮ ଦଶକ ଧରି ଭାରତୀୟ ସିନେମା ଓ ସଙ୍ଗୀତ ଜଗତକୁ ନିଜର ସୁମଧୁର କଣ୍ଠରେ ମନୋମୁଗ୍ଧ କରିଥିଲେ। ହିନ୍ଦୀ ସହିତ ଓଡ଼ିଆ, ବଙ୍ଗଳା, ମରାଠୀ, ତାମିଳ, ତେଲୁଗୁ ଇତ୍ୟାଦି ଅନେକ ଭାଷାରେ ସେ ହଜାର ହଜାର ଗୀତ ଗାଇଥିଲେ। ସେ ବିଶ୍ୱର ସବୁଠାରୁ ଅଧିକ ଗୀତ ରେକର୍ଡ କରିଥିବା କଳାକାରମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସଫଳତା ପଛରେ ରହିଛି ଅନେକ ସଂଘର୍ଷର କାହାଣୀ। ମାତ୍ର ୧୦ ବର୍ଷ ବୟସରୁ ସେ ଗାୟନ ଜୀବନ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଗୀତ ଏକ ମରାଠୀ ଗୀତ ଥିଲା। ପରେ ସେ ହିନ୍ଦୀ ସିନେମାରେ ପ୍ରବେଶ କରି ଏକ ପରେ ଏକ ସୁପରହିଟ୍ ଗୀତ ଦେଇ ଦର୍ଶକମାନଙ୍କ ମନ ଜିତିଥିଲେ।
ସେ ଲତା ମଙ୍ଗେଶକରଙ୍କ ଭଉଣୀ ଥିଲେ ଏବଂ ତାଙ୍କ ପ୍ରଭାବରେ ସଙ୍ଗୀତ ଦୁନିଆକୁ ଆସିଥିଲେ। ତଥାପି ସେ ନିଜର ଅଲଗା ପରିଚୟ ଗଢ଼ିଥିଲେ ଓ ନିଜ ସ୍ୱରର ମାୟାରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ନିଜ ଦୀର୍ଘ କ୍ୟାରିୟରରେ ସେ ପ୍ରାୟ ୧୨,୦୦୦ରୁ ଅଧିକ ଗୀତ ଗାଇଥିବା କୁହାଯାଏ। ତାଙ୍କ ଅବଦାନ ପାଇଁ ସେ ପଦ୍ମ ବିଭୂଷଣ ସହିତ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ।
ତାଙ୍କ ଦେହାନ୍ତ ସହିତ ଭାରତୀୟ ସଙ୍ଗୀତ ଜଗତର ଏକ ଅଧ୍ୟାୟର ଶେଷ ଘଟିଛି। ତାଙ୍କ ସୁରିଳା କଣ୍ଠ ସଦା ସର୍ବଦା ସଙ୍ଗୀତପ୍ରେମୀଙ୍କ ମନରେ ଜୀବନ୍ତ ରହିବ। ତାଙ୍କର ଶେଷକୃତ୍ୟ ଶିବାଜୀ ପାର୍କ ଶ୍ମଶାନରେ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ସାରା ଦେଶ ଏହି ମହାନ କଳାକାରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛି।