ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଜ୍ୟୋତିର୍ମୟୀ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା

0

ଭୁବନେଶ୍ବର: ଓଡ଼ିଶା ପାଇଁ ଆସିଛି ଏକ ଗର୍ବର ମୁହୂର୍ତ୍ତ। ରାଜ୍ୟର ପ୍ରତିଭାବାନ ଗାୟିକା ଜ୍ୟୋତିର୍ମୟୀ ନାୟକ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ର ବିଜେତା ହୋଇଛନ୍ତି। ମାସ ମାସ ଧରି ଚାଲିଥିବା ସଙ୍ଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ସେ ବିଜୟୀ ହୋଇ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି।
ସୋନି ଟିଭିର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ୨୦୨୫ ଅକ୍ଟୋବରରେ ‘ୟାଦୋଁ କି ପ୍ଲେଲିଷ୍ଟ’ ଥିମ୍ ସହ ଆରମ୍ଭ ହୋଇଥିଲା। ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀ, ବିଚାରକ ଏବଂ ଅତିଥିମାନଙ୍କ ଚମତ୍କାର ପରିବେଷଣ ମଧ୍ୟରେ ଶୋ’ର ସମାପ୍ତି ହୋଇଥିଲା।

ସମଗ୍ର ସିଜନରେ ଜ୍ୟୋତିର୍ମୟୀ ତାଙ୍କ ସୁମଧୁର କଣ୍ଠରେ ଦର୍ଶକ ଓ ବିଚାରକଙ୍କ ମନ ଜିତିଥିଲେ। ବଲିଉଡର ଲୋକପ୍ରିୟ ଗୀତ ସହ ଓଡ଼ିଆର ୧୦୦ରୁ ଅଧିକ ଆଲବମ୍ ଗୀତ ଗାଇ ସେ ପୂର୍ବରୁ ଓଡ଼ିଶାରେ ଏକ ପରିଚିତ ନାମ ପାଲଟିଥିଲେ। ତାଙ୍କର ବହୁମୁଖୀ ପ୍ରତିଭା ତାଙ୍କୁ ବିଜୟର ଶୀର୍ଷରେ ପହଞ୍ଚାଇଛି। ଫାଇନାଲରେ ଅଂଶିକା ଚୋଙ୍କର, ଜ୍ୟୋତିର୍ମୟୀ ନାୟକ, ମନରାଜ ବୀର ସିଂହ, ମିସ୍କମ୍ ବୋସୁ, ସୁହୈଲ ସୁଫି ଏବଂ ତନିଷ୍କ ଶୁକ୍ଲାଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଶେଷ ପର୍ଯ୍ୟାୟରେ ଜ୍ୟୋତିର୍ମୟୀ, ମନରାଜ ବୀର ସିଂହ ଏବଂ ତନିଷ୍କ ଶୁକ୍ଲାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଶେଷରେ ଜ୍ୟୋତିର୍ମୟୀ ବିଜେତା ଘୋଷିତ ହୋଇଥିଲେ।

ବିଜୟ ପରେ ଭାବବିହ୍ୱଳ ଜ୍ୟୋତିର୍ମୟୀ କହିଥିଲେ, ଏହି ସଫଳତା ତାଙ୍କ ପାଇଁ ସ୍ୱପ୍ନ ପୂରଣ ସଦୃଶ। ସେ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ, ଫ୍ରିମାଣ୍ଟଲ୍, ବିଚାରକ, ଉପସ୍ଥାପକ ଆଦିତ୍ୟ ନାରାୟଣ, ସମସ୍ତ କ୍ରୁ ସଦସ୍ୟ, ପରିବାର ଏବଂ ଭୋଟ୍ ଦେଇ ସମର୍ଥନ କରିଥିବା ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଥିଲେ।
ସେ କହିଥିଲେ, “ଏହି ଟ୍ରଫି କେବଳ ମୋର ନୁହେଁ, ମୋ ଉପରେ ବିଶ୍ୱାସ ରଖିଥିବା ଏବଂ ମୋତେ ଭୋଟ୍ ଦେଇଥିବା ପ୍ରତ୍ୟେକ ଲୋକଙ୍କର। ଆଗାମୀ ଦିନରେ ମଧ୍ୟ ମୁଁ ଏଭଳି ସଙ୍ଗୀତ ପରିବେଷଣ କରିବି, ଯାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିବ।”

ଗ୍ରାଣ୍ଡ ଫିନାଲେରେ ଉଷା ଉଥୁପ, ଉଦିତ ନାରାୟଣ, କୁମାର ସାନୁ, ପାପନ୍, ଶେହନାଜ ଗିଲ୍ ଓ ଉର୍ମିଳା ମାତୋଣ୍ଡକରଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରିଥିଲା। ଏହି ବିଜୟ ସହ ଜ୍ୟୋତିର୍ମୟୀ ନାୟକ ଜାତୀୟ ସ୍ତରରେ ଓଡ଼ିଶାର ସଙ୍ଗୀତ ପ୍ରତିଭାକୁ ଆଉ ଏକ ନୂଆ ପରିଚୟ ଦେଇଛନ୍ତି।

Leave A Reply

Your email address will not be published.