ତାମିଲନାଡୁ: ଦୀର୍ଘଦିନର ଆଇନଗତ ବିବାଦ ଓ ଅନିଶ୍ଚିତତାର ଅନ୍ତ ଘଟାଇ ଶନିବାର ତାମିଲନାଡ଼ୁର ମଦୁରାଇ ଜିଲ୍ଲାସ୍ଥିତ ତିରୁପରଙ୍କୁନ୍ଦ୍ରମ ମୁରୁଗାନ ମନ୍ଦିର ପାହାଡ଼ ଶିଖରରେ ପବିତ୍ର କାର୍ତ୍ତିଗାଇ ଦୀପମ୍ ପ୍ରଜ୍ୱଳନ କରାଯାଇଛି। ଅପରାହ୍ଣ ପ୍ରାୟ ୫ଟାରେ ପାହାଡ଼ ଉପରେ ଥିବା ଦୀପଥୁନ୍ (ପଥର ସ୍ତମ୍ଭ) ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଦୀପ ଜଳାଯାଇଥିଲା। ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍ପିଏଫ୍)ର କଡ଼ା ସୁରକ୍ଷା ମଧ୍ୟରେ ସମାରୋହ ସମ୍ପନ୍ନ ହୋଇଥିଲା। ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ଦୀପ ପ୍ରଜ୍ୱଳନ ଦେଖିବାକୁ ଅପେକ୍ଷା କରିଥିଲେ। ଦୀପ ଜଳିବା ପରେ ‘ଆରୋହରା’ ଧ୍ୱନିରେ ପାହାଡ଼ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।
ସୁପ୍ରିମକୋର୍ଟ ଶୁକ୍ରବାର ମନ୍ଦିରର ଟ୍ରଷ୍ଟି ବୋର୍ଡକୁ ନିଲମ୍ବନ କରିବା ସହ ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏସ୍. ବୈଦ୍ୟନାଥନ ଓ ଜଷ୍ଟିସ୍ ଭି. ପାର୍ଥିବନଙ୍କୁ ରିସିଭର ଭାବେ ନିଯୁକ୍ତ କରିଥିଲେ। ସମାରୋହର ତଦାରଖ ପାଇଁ ୧୩ ଜଣିଆ କମିଟି ମଧ୍ୟ ଗଠନ ହୋଇଥିଲା। ଦୀପ ପ୍ରଜ୍ୱଳନ ପୂର୍ବରୁ କାର୍ଯ୍ୟକ୍ରମସ୍ଥଳରେ ଜିଲ୍ଲାପାଳଙ୍କ ଉପସ୍ଥିତିକୁ ନେଇ କିଛି ହିନ୍ଦୁ ସଂଗଠନର ସଦସ୍ୟ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ନଭେମ୍ବର ୨୦ରେ ସୁପ୍ରିମକୋର୍ଟ ଦୀପଥୁନ୍ ଉପରେ ପାରମ୍ପରିକ ଦୀପ ପ୍ରଜ୍ୱଳନକୁ ଅନୁମତି ଦେଇଥିଲେ। ହେଲେ ରାଜ୍ୟ ସରକାର ଓ ମନ୍ଦିର କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ ନ କରିବାରୁ ବିବାଦ ତୀବ୍ର ହୋଇଥିଲା।