ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବେଳହୁଁ ସାବଧାନ ନ ହେଲେ, ବିପଦ!

0

ଭୁବନେଶ୍ବର: ବହିଷ୍କାର ଆଦେଶ ଉଠିଲା, ହେଲେ ଆଉ ସକ୍ରିୟ ହୋଇପାରିଲେନି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ। ବିଜେପିରୁ ଇସ୍ତଫା ଦେଲେ। କିନ୍ତୁ ବିଜେଡି କାର୍ଯ୍ୟାନୁଷ୍ଠାନ ଉଠାଇ ଆଉ କୋଳେଇ ନେଲା ନାହିଁ ଡାକ୍ତର ଦାମୋଦର ରାଉତଙ୍କୁ। ନିର୍ବାଚନରେ ପରାଜୟ ପରେ ରାଜ୍ୟସଭା ପଠାଇଥିଲେ ନବୀନ। କାର୍ଯ୍ୟ ଅବଧି ସରିବା ପରେ କିନ୍ତୁ ବିଜେଡିରେ ଆଉ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ କର୍ତ୍ତୃତ୍ବ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ ନିଜ ପରିବାରକୁ ରାଜନୀତିରେ ରଖିବା ଲାଗି ନିଜ ଆସନକୁ ପୁଅକୁ ଦେଲେ। ତା ପରେ ଆଉ ବିଜେଡି ଦଳର ସଭାସମିତିରେ ବି ସେ ଦିଶୁନାହାନ୍ତି। ଗତ ସାଧାରଣ ନିର୍ବାଚନରେ ଟିକେଟ୍ ଦୌଡରୁ ବାଦ୍ ପଡିବା ପରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଆଉ ମୁଖ୍ୟମନ୍ତ୍ରୀଙ୍କ ପାଖେ ଛାଇଭଳି ଦେଖିବାକୁ ମିଳୁନାହିଁ। କେବଳ ରାଜ୍ୟସଭା ଟିକେଟ୍ ପାଇବେ ବୋଲି ତାଙ୍କୁ କିଏ ବାରମ୍ବାର ଦେଉଥିବା ପ୍ରତିଶ୍ରୁତି ସଂପର୍କରେ ସେ ମନେ ପକାଇବାକୁ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି।

କେବଳ ଏଇ ଦୁଇ ଚାରିଜଣ ନୁହେଁ, ବିଜେଡି ରାଜନୀତିରୁ ବିଜୁ ମାର୍କା ନେତା ଏବେ ଧୀରେ ଧୀରେ ଅପସରି ଯିବା ଆରମ୍ଭ କଲେଣି। ବୟସାଧିକ୍ୟ କାରଣରୁ ହେଉ କି ରାଜନୈିତିକ ବାଧ୍ୟବାଧକତା, ଏହି ନେତାମାନେ ଆଉ ଆଗଭଳି ଚଳଚଞ୍ଚଳ ନାହାନ୍ତି। ହାତଗଣତି ଦୁଇ ଚାରି ଛଅ ଜଣ ନେତା ଏଇ ଯେମିତି ପ୍ରଫୁଲ୍ଲ ସାମଲ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଦୀପ ମହାରଥୀ, ଅମର ପ୍ରସାଦ ଶତପଥୀ, ପଦ୍ମନାଭ ବେହେରାଙ୍କ ଭଳି କେତେ ଜଣ ସକ୍ରିୟ ଅଛନ୍ତି। ଅବଶ୍ୟ ଏମାନଙ୍କର ପ୍ରଭାବ ବା ଦବଦବା ଆଉ ନାହିଁ। ଏହି ନେତାମାନଙ୍କୁ ନବୀନ ବାରମ୍ବାର କ୍ଷମତା ଦେଇଛନ୍ତି। କିଛି ସ୍ଛାନରେ ସେମାନେ ନିଜକୁ ପ୍ରମାଣିତ କରିଛନ୍ତି, କିନ୍ତୁ ବେଶୀ ଦେଖିବାକୁ ମିଳିଛି ଯେ ସେମାନେ ବା ସେମାନଙ୍କ ଅନୁଗତ ବିବାଦ ଓ ଗୋଷ୍ଠୀ ଭିତରେ ନିଜକୁ ସୀମିତ ରଖିବାକୁ ପସନ୍ଦ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଓ ଅଷ୍ଟମ ଥର ସଭାପତି ମନୋନୟନ ପରେ ଆଜି ବିଜେଡି ଏବଂ ସରକାରକୁ ନିରେଖି ଦେଖିଲେ, ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା ଓଡ଼ିଶା ପାଇଁ ଏକ ବଡ଼ ଆହ୍ବାନ ବୋଲି କୁହାଯାଇପାରେ। ଏକଥା ସତ ଯେ ବିଜେଡିରେ ଥିବା ଯୁବ ନେତୃତ୍ବ ଅନେକ କ୍ଷେତ୍ରରେ ପାରଙ୍ଗମ, ଯାହା ପୂର୍ବତନ ବରିଷ୍ଠ ନେତାମାନେ ସେ ସ୍ଥାନରେ ଥିଲେ ହୁଏତ ପାରିନଥାନ୍ତେ। କିନ୍ତୁ ଯେଉଁ ବଡ଼ ଅଭାବଟି ସରକାର ବା ଦଳରେ ଜଳ ଜଳ ହୋଇ ପରିଦୃଷ୍ଟ ହେଲାଣି, ତାହା ହେଉଛି ଉଭୟ କ୍ଷେତ୍ରରେ ”ବୌଦ୍ଧିକ ଦେବାଳିଆ ପଣ”। ଗୋଟିଏ ଧାଡି ପ୍ରଭାବୀ ଢଙ୍ଗରେ କହି ସରକାରର ମାନ ବଢାଇବା ବା ଦଳ ତିରୋଟ ସମୟରେ ଯାଉଥିବା ବେଳେ ଗୋଟିଏ ବଡ଼ ଯୁକ୍ତି ରଖି ବିରୋଧୀଙ୍କୁ ପ୍ରତିହତ କରିବାର ଶକ୍ତି ଆଉ ନାହିଁ।

ଗୋଟିଏ ଉଦାହରଣ ପ୍ରମାଣ କରିଦେବ ଯେ ନେତୃତ୍ବ (ଉଭୟ ପ୍ରଶାସନିକ ଓ ରାଜନୈତିକ) କିଭଳି ଦିଗହରା ହୋଇଗଲାଣି। ସାଧାରଣ ଲୋକଙ୍କ ପାଖେ ସବୁ ସୁବିଧା ପହଞ୍ଚାଇ ଦେବା ଲାଗି ନବୀନ ଯେଉଁ ମାନସିକତା ରଖିଛନ୍ତି, ସେଥିପାଇଁ ସରକାରଙ୍କୁ ୪୨୮ଟି ଯୋଜନା ବା କାର୍ଯ୍ୟକ୍ରମ କରିବାକୁ ପଡିଲାଣି। ନିକଟରେ ବିଧାନସଭାରେ ଯୋଜନା ଓ ସଂଯୋଜନ ବିଭାଗର ମନ୍ତ୍ରୀ ଏକଥା କହିବା ବେଳେ ବେଶ୍ ଉତଫୁଲ୍ଲିତ ହୋଇପଡୁଥିଲ। ଏହାବାଦ୍ ପୁଣି କେନ୍ଦ୍ରୀୟ ଯୋଜନା ରହିଛି। ଆଉ କାହା କଥା ଦୂରେ ଥାଉ ରାଜ୍ୟ ପ୍ରଶାସନର ମୁଖିଆ ଅର୍ଥାତ୍ ମୁଖ୍ୟଶାସନ ସଚିବ ଏତିକି ଯୋଜନା ନାଁ ମନେ ରଖିପାରିବେ କି? ପ୍ରଶାସନ ଏତିକି ଯୋଜନା ସଂପର୍କରେ ବର୍ଷକରେ ଥରୁଟିଏ ସମୀକ୍ଷା କରିପାରିବେ? କେଉଁ ବାଟେ ରାଜ୍ୟକୁ ନେବାକୁ ଚାହୁଁଛନ୍ତି?

ଏଇଥିପାଇଁ ପୁରୁଖା ନେତାଙ୍କ ଅଭାବକୁ ନୂଆ ନେତା ପୁରଣ କରିବା ଅବସ୍ଥାରେ ନାହାନ୍ତି, ତାହାର ଏକ ବଡ଼ ଉଦାହରଣ ହେଲା ସରକାର ବା ଦଳରେ ସଂପୃକ୍ତି ଦେଖିବାକୁ ମିଳୁନାହିଁ। ଯଦି କୌଣସି ପଦ ପଦବି ନ ମିଳିଲା, ବେଶ୍ ଦି ପଇସା ଆସିବାର ବାଟ କରାଯାଇନି, ତେବେ ସେମାନେ କେଉଁ ସର୍କିଟ୍ ହାଉସରେ ବସି ଷଡ଼ଯନ୍ତ୍ର କରୁଛନ୍ତି, ନ ହେଲେ ଦି ଚାରିଜଣ ନେତା ଘରେ ବସି ସାମ୍ବାଦିକଙ୍କୁ ମତାଉଛନ୍ତି। ଅବଶ୍ୟ ସରକାରରେ ଗୁଇନ୍ଦା ଏସବୁ ସଂପର୍କରେ ନବୀନଙ୍କ ପାଖରେ ଖବର ପହଞ୍ଚାଉଛି କି ନାହିଁ, ତାହା ଜାଣିବାର ଶକ୍ତି କାହାର ନାହିଁ, କିନ୍ତୁ ସରକାର ବିରୋଧରେ ସରକାରୀ ଦଳରୁ ସ୍ବର ବେଶୀ ଶୁଭୁଛି, ବିରୋଧୀଙ୍କ ଅପେକ୍ଷା।

ଆଉ ଗୋଟିଏ ଉଦାହରଣ ନେଲେ ରାଜନେତାଙ୍କ ବୌଦ୍ଧିକ ଦେବାଳିଆ ପଣ ସଂପର୍କରେ ସ୍ପଷ୍ଟ ବାରି ହୋଇଯିବ। ଗତ ପାଞ୍ଚବର୍ଷ ଭିତରେ ଗୋଟିଏ ବି ଜନ ସମସ୍ୟା ସଂପର୍କରେ କୌଣସି ଜଣେ ବି ନେତା ପାରଦର୍ଶିତା ହାସଲ କରିପାରିନାହାନ୍ତି। ନା ଗଣମାଧ୍ୟମରେ ସେମାନେ ଏହାକୁ ପ୍ରକଟ କରିଛନ୍ତି ନା ସାମାଜିକ ଆନ୍ଦୋଳନରେ ପରିଣତ କରି ନେତୃତ୍ବର ହାତମୁଠା ଟାଣ କରିବା ଲାଗି ମାନସିକତାରେ ଅଛନ୍ତି। ଏହାଦ୍ବାରା ନବୀନ ପଟ୍ଟନାୟକଙ୍କ ପ୍ରଥମ ଚାରିପାଳି ଅପେକ୍ଷା ଏ ପାଳିରେ ପ୍ରଶାସନିକ ସକ୍ରିୟତା ଦେଖାଯାଉଥିଲେ ହେଁ ରାଜନୈତିକ ସଂପୃକ୍ତି ବା ବିଚାର ଅଭାବ ଦେଖାଯାଉଥିବା କାରଣରୁ ତୃଣମୂଳ ପର୍ଯ୍ୟନ୍ତ ସରକାରକୁ ନେଇ ଭଲ ଆଲୋଚନା ହେଉନାହିଁ ବରଂ ଭୁଲ ବିଚାର ପହଞ୍ଚିବା ଆରମ୍ଭ କରିଛି। ବିରୋଧୀ ଏହାକୁ ଆପଣାଇ ନିଅନ୍ତୁ ବା ନ ନିଅନ୍ତୁ, ଯଦି ବିଜେଡି ନେତୃତ୍ବ ବେଳହୁଁ ସାବଧାନ ନ ହେବେ, ନୂଆ ପିଢୀର ବିଚାର, ଆଚରଣ ଓ ଉଚ୍ଚାରଣରେ ସଂଶୋଧନ ନ କରିବେ, ତେବେ ଏହା ପଡୋଶୀ ରାଜ୍ୟର ନିର୍ବାଚନ ଭଳି ସମସ୍ତଙ୍କୁ ଚକମା ଦେଇପାରେ।

Leave A Reply

Your email address will not be published.