ଛତିଶଗଡ: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ ସଫଳତା। ମିଳିତ ବାହିନୀର ନକ୍ସଲ ବିରୋଧୀ ଅପରେସନରେ ସଫା ହୋଇଛନ୍ତି ୧୪ ମାଓବାଦୀ। ମାଓ ଅପରେସନରେ ଏଯାଏଁ ମୋଟ ୧୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ତେବେ ସବୁଠୁ ବଡ଼ ସଫଳତା ହେଉଛି, ଏନ୍କାଉଣ୍ଟରରେ ନିପାତ ମାଓବାଦୀଙ୍କ ମଧ୍ୟରେ ଓଡ଼ିଶାର ଶୀର୍ଷ ନକ୍ସଲ କମାଣ୍ଡର, ଜୟୀରାମ ଓରଫ ଚଲପଥି ମଧ୍ୟ ନିହତ ହୋଇଛି।
ଏ ନେଇ ସ୍ପଷ୍ଟ କରିଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ଦୁଇ ଦିନରେ ମୃତ ୧୪ ନକ୍ସଲଙ୍କ ମଧ୍ୟ ରହିଛନ୍ତି ଓଡିଶାର ନକ୍ସଲ ଜୟୀରାମ। ମୃତ ଜୟୀରାମ ହେଉଛନ୍ତି ସେଣ୍ଟ୍ରାଲ କମିଟିର ସଦସ୍ୟ। ତେବେ ନକ୍ସଲ ଅପରେସନ୍ ଇତିହାସରେ ସିସି ସଦସ୍ୟ ନିପାତ ହେଉଛି ପ୍ରଥମ ଘଟଣା। ଜୟୀରାମଙ୍କୁ ଧରାଇବାକୁ ୧କୋଟିରୁ ଅଧିକ ପୁରସ୍କାର ନିଶ୍ଚିତ ଥାଇପାରେ। ତେଣୁ ଏହା ପୁଲିସ୍ ପାଇଁ ଏକ ବଡ ସଫଳତାର ବିଷୟ। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ସାରା ଦେଶ ନକ୍ସଲ ଶୂନ୍ୟ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ସେପଟେ ଏହି ଘଟଣାକୁ ବଡ ସଫଳତା ବୋଲି କହିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା। ସେ କହିଛନ୍ତି ନକ୍ସଲମୁକ୍ତ ଭାରତ ପାଇଁ ଆମ ସୁରକ୍ଷାକର୍ମୀଙ୍କ ଉଦ୍ୟମ ପ୍ରଶଂସନୀୟ। ସିଆରପିଏଫ୍, ଏସଓଜି ଓଡିଶା, ଛତିଶଗଡ ପୁଲିସ ୧୪ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଓଡିଶା-ଛତିଶଗଡ ସୀମାରେ ମିଳିତ ଅପରେସନ୍ ଯୋଗୁଁ ଏହି ସଫଳତା ମିଳିଛି।
ଓଡିଶାର ନୂଆପଡ଼ା ସୀମାଠାରୁ ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ। ଏହାପରେ ଓଡ଼ିଶା-ଛତିଶଗଡ଼ ପୁଲିସ୍ ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ ଅପରେସନ୍। ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ ନେଇ ଜାଣିପାରିଥିଲେ ମାଓବାଦୀ। ଏହାପରେ ଗତକାଲି ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗତକାଲି ୨ ମହିଳା ମାଓବାଦୀ ନିହତ ହୋଇଥିଲେ।