ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ନିଯୁକ୍ତି ପରେ ଅଧିକାଂଶ ସରକାରଙ୍କୁ ବୋଝ

0
  • ହାତଗଣତି ଚାରି ପାଞ୍ଚ ରାଜନେତାଙ୍କ ଯୋଗଦାନ ସରକାରରେ ରହିଛି
  • ଅନ୍ୟମାନେ ରାଜ୍ୟର ତିରୋଟ ସମୟରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତି
  • ଅର୍ଥନୀତି ଦୋହଲୁଥିବା ବେଳେ ଏଭଳି ଅକାମୀ ପଦବି ରଦ୍ଦ ହେବା ଦରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ଗୋଟିଏ ଦଫାରେ ଏକାଥରକେ ୩୫ ଜଣ ରାଜନେତାଙ୍କୁ ନିଗମ ଓ ବିଭିନ୍ନ ସରକାରୀ ସଂସ୍ଥାରେ ନିଯୁକ୍ତି ଦେଇଥିଲେ। ପରବର୍ତୀ ସମୟରେ ଆଉ କିଛି ନେତାଙ୍କୁ ବି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବି ମିଳିଛି। ଏ ସମସ୍ତଙ୍କୁ ମିଶାଇଲେ ପ୍ରାୟ ୫୦ ପାଖାପାଖି ନେତା ବିଭିନ୍ନ ଆସନରେ ଏବେ ଅଧିଷ୍ଠିତ। ସଂପ୍ରତି ଓଡ଼ିଶା ଏକ କଠିନ ସମୟ ଦେଇ ଗତି କରୁଛି। କରୋନା ସଂକ୍ରମିତଙ୍କ ସମସ୍ୟାକୁ ରାଜ୍ୟ ସରକାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି।

ହେଲେ ଜୀବିକା କଷ୍ଟ, ପେଟ ଚିନ୍ତା ଜୀବନ ଯନ୍ତ୍ରଣାକୁ ଦ୍ବିଗୁଣିତ କରିଦେଇଛି। କେଉଁଠି ପରିବାରରେ ଗଣ୍ଡଗୋଳ ଲାଗିଲାଣି, ଆଉ କେଉଁଠି ପାଠପଢ଼ା ଚୂଲିକୁ ଯାଇଛି। କେଉଁଠି ଲୋକେ ଖାଇବାକୁ ପାଉନାହାନ୍ତି, ଆଉ କେଉଁଠି କର୍ମ ସଂସ୍ଥାନ ଚିନ୍ତା ଦ୍ବିଗୁଣିତ ହୋଇଛି। ଏପରିସ୍ଥଳେ, ଏ ରାଜନେତାଙ୍କ ଭିତରୁ ଚାରି ପାଞ୍ଚଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ କିଏ କଣ କରୁଛନ୍ତି, ସମଗ୍ର ରାଜ୍ୟବାସୀ ସେ ନେଇ ଅନ୍ଧାରରେ ଅଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, କିଛି ପ୍ରମୁଖ ଆସନରେ ବସିଥିବା ମୁଣ୍ଡିଆଳ ନେତାମାନଙ୍କ ମଧ୍ୟରୁ କିଏ କ୍ୟାବିନେଟ୍ ପାହ୍ୟା ପାଇଛନ୍ତି, ଆଉ କିଏ ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ହେଲେ ଏମାନେ କି କାମରେ ଲାଗିଛନ୍ତି, ସେ ନେଇ କାହା ପାଖରେ କିଛି ଖବର ନାହିଁ। ଏହି ପ୍ରସଙ୍ଗଟି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ନେତା ମାନସ ମଙ୍ଗରାଜଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମଙ୍ଗରାଜଙ୍କ ଜରିଆରେ ପ୍ରତିଦିନ ଗଣମାଧ୍ୟମ ସଂସ୍ଥାମାନଙ୍କୁ ଖବର ଆସୁଛି। ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା ମୁଖ୍ୟମନ୍ତ୍ରୀ ତାଙ୍କ ମୁହଁରେ କରାଇଥିଲେ। ସ୍ବାଭାବିକ ଭାବେ ଶ୍ରୀ ମଙ୍ଗରାଜଙ୍କ ସରକାରରେ ସଂପୃକ୍ତି ଓ କାର୍ଯ୍ୟ ନେଇ କାହା ମନରେ ସନ୍ଦେହ ନାହିଁ। ହେଲେ ଲୁଲୁ ଅମାତଙ୍କ ଠାରୁ ଆରମ୍ଭ କରି ଉତ୍କଳ କେଶରୀ ପରିଡାଙ୍କ ପର୍ଯ୍ୟନ୍ତ କେଉଁ କାମରେ ଲାଗିଛନ୍ତି, କେଉଁଠି ଏବେ ଏମାନେ ଅଛନ୍ତି? କୃଷି ବିଭାଗ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା କୃତ୍ତିବାସ ପାତ୍ର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ପରାମର୍ଶଦାତା ଅନୁଭବ ପଟ୍ଟନାୟକ, ଏପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ପ୍ରମୁଖଙ୍କର ସରକାରରେ କିଛି ବି ଯୋଗଦାନ ନାହିଁ। ରାଜ୍ୟ ଅର୍ଥନୀତି କଠୋର ସମୟରେ ଯାଉଥିବା ବେଳେ ଏଭଳି ଧଳାହାତୀ ପୋଷାହେବେ କାହିଁକି?

ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଉପସ୍ଥିତି ଗଣମାଧ୍ୟମରୁ ବାରି ହେଉଛି। ବିଭିନ୍ନ ସଂସ୍ଥା ସହିତ ବୁଝାମଣାପତ୍ର ସ୍ବାକ୍ଷର କରି ନିଗମକୁ ପୁଣି ଥରେ ସକ୍ରିୟ କରିବା ଲାଗି ବୈଠକ ଆଦିର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଉଛି। ପର୍ଯ୍ୟଟନ ବ୍ୟବସ୍ଥା ଭୁଶୁଡିପଡିଥିବା ବେଳେ ଏଥିରେ ସୁଧାର ପାଇଁ ପ୍ରକ୍ରିୟା ଜାରି ରହିଛି। ହେଲେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଲତା ଦେଓ, ରାଜ୍ୟ ଭିନ୍ନକ୍ଷମ କମିସନ ସୁଲୋଚନା ଦାସ ପ୍ରମୁଖଙ୍କୁ ଗଣମାଧ୍ୟମରେ ବିତର୍କ ବେଳେ କେବଳ ଦେଖିବାକୁ ମିଳୁଛି। ସେସବୁ ବିଭାଗରେ ସେମାନଙ୍କ ଯୋଗଦାନ ବାବଦରେ ସରକାରଙ୍କ ପ୍ରେସ ଇସ୍ତାହାର ପାଖାପାଖି ନିରବ ରହିଛି। ସେମାନଙ୍କୁ କଣ ଗଣମାଧ୍ୟମ ପ୍ରବକ୍ତା ଭାବେ ବ୍ୟବହାର ଲାଗି ନିଯୁକ୍ତି ମିଳିଛି?

ପାରିବାରିକ ହିଂସା ପ୍ରସଙ୍ଗ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ। ପୁଲିସ ଡିଜିଙ୍କୁ ଏଥିପାଇଁ ଗୁରୁ ଦାୟିତ୍ବ ଦେଇଥିଲେ। ହେଲେ ଏ ଦିଗରେ ସବୁଠାରୁ ଅଧିକ ସକ୍ରିୟ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା ହେବା କଥା। ଏବେ କେଉଁଠି ଭୋକରେ ତ ଆଉ କେଉଁଠି ଅନ୍ୟ କୌଣସି କାରଣରୁ ପାରିବାରିକ ହିଂସା ବଢୁଥିବା ଗଣମାଧ୍ୟମରେ ରିପୋର୍ଟ ହେଲାଣି। କମିସନ ସ୍ବତନ୍ତ୍ର ଭାବେ ଏ ଦିଗରେ କାର୍ଯ୍ୟଖସଡା କରିବା କଥା। ହେଲେ ତାହା ଦେଖାଯାଉନି। ମିସନ ଶକ୍ତି କାର୍ଯ୍ୟକ୍ରମ ଏବେ ଓଡ଼ିଶାରେ ଜୋରଦାର ଚାଲିଛି। ସେଥିରେ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ରଙ୍କର କି ଯୋଗଦାନ ରହିଛି, ସେ ନେଇ ସରକାର କିଛି କହୁନାହାନ୍ତି କି ସଂପୃକ୍ତ ବିଭାଗ ବି।

ଏବେ ପ୍ରଶ୍ନ ଉଠୁଛି, ରାଜ୍ୟର ଆର୍ଥିକ ଦୁଃସ୍ଥିତି ବେଳେ ଏସବୁ ଆଦୌ କାର୍ଯ୍ୟନଥିବା ପଦବି ପାଇଁ ସରକାରୀ ତହବିଲରୁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି, ତାହା ବନ୍ଦ କରାଯିବା କଥା ନା ନାହିଁ। ଯଦି କୌଣସି ଗୋଟିଏ ବ୍ୟବସ୍ଥା ଆଦୌ କାର୍ଯ୍ୟ ନ କଲେ ବି ଅତି ତିରୋଟ ସମୟରେ କୌଣସି ପ୍ରଭାବ ରଖୁନାହିଁ, ତେବେ ଏଭଳି ସଂସ୍ଥା ଓଡ଼ିଶାର ଅର୍ଥନୀତି ଉପରେ ବୋଝ ନୁହେଁ କି? ଏମାନେ ସକ୍ରିୟ ଭାବେ ସରକାରରେ କାର୍ଯ୍ୟ କରିବା କଥା ଯେମିତି ଶ୍ରୀ ମଙ୍ଗରାଜ କି ଶ୍ରୀମତୀ ମିଶ୍ର ଆଦି କରୋନା ବେଳେ କରୁଛନ୍ତି। ଅନ୍ୟଥା ଏସବୁ ପଦବିକୁ ରଦ୍ଦ କରିଦିଆଯିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଲାଣି।

Leave A Reply

Your email address will not be published.