ନୂଆଦିଲ୍ଲୀ: ଭାରତର ଲଗାତାର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ କାର୍ଯ୍ୟକାଳ ପୂରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ର ଅଧିକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପିଏମଓ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମ ‘ଏକ୍ସ’ରେ କରାଯାଇଥିବା ପୋଷ୍ଟରେ କୁହାଯାଇଛି ଯେ, ଗତ ୧୨ ବର୍ଷ ଧରି ମୋଦୀ ସ୍ଥିରତା, ସ୍ୱଚ୍ଛତା, ସୁଶାସନ, ସମାବେଶୀ ବିକାଶ ଏବଂ ଜାତୀୟ ପ୍ରଗତିକୁ ପ୍ରାଧାନ୍ୟ ଦେଇ ଦେଶକୁ ନେତୃତ୍ୱ ପ୍ରଦାନ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ର ଏବଂ ପ୍ରଧାନ ସଚିବ-୨ ଶକ୍ତିକାନ୍ତ ଦାସ ଏହି ଅବସରରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ୪,୩୯୯ ଦିନର ରେକର୍ଡକୁ ଅତିକ୍ରମ କରିଛନ୍ତି। ୧୯୫୨ ମସିହାର ପ୍ରଥମ ସାଧାରଣ ନିର୍ବାଚନ ପରେ ନେହେରୁଙ୍କ କାର୍ଯ୍ୟକାଳକୁ ଏହି ତୁଳନା ପାଇଁ ଗଣନା କରାଯାଇଛି। ଯଦିଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୪ ବର୍ଷରୁ ଅଧିକ ସମୟ ପଦରେ ରହିଥିଲେ, ତାଙ୍କ କାର୍ଯ୍ୟକାଳ ଲଗାତାର ନଥିବାରୁ ମୋଦୀ ଦେଶ ଇତିହାସରେ ସର୍ବାଧିକ ସମୟ ଧରି ଲଗାତାର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ ସ୍ଥାପନ କରିଛନ୍ତି।
୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦୀ ୨୦୧୯ ଓ ୨୦୨୪ରେ କ୍ରମାଗତ ଭାବେ ଜନାଦେଶ ହାସଲ କରି ତୃତୀୟ ଥର ପାଇଁ କ୍ଷମତାକୁ ଫେରିଥିଲେ। ଏହି ଐତିହାସିକ ସଫଳତାକୁ ସମ୍ମାନ ଜଣାଇ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏକ ପ୍ରସ୍ତାବ ପାରିତ କରିଥିଲା। ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଠିଆ ହୋଇ ତାଳି ବଜାଇ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
ପ୍ରସ୍ତାବରେ କୁହାଯାଇଛି ଯେ, ଏହି ମାଇଲଖୁଣ୍ଟ ଭାରତୀୟ ଗଣତନ୍ତ୍ର, ଜନବିଶ୍ୱାସ ଏବଂ ଜନସହଭାଗିତାର ଶକ୍ତିର ପ୍ରତୀକ। ଏହା ସହ ମୋଦୀ ଶୀଘ୍ର ମୁଖ୍ୟ ଶାସକ ଭାବେ ୨୫ ବର୍ଷର ନିରନ୍ତର ସେବା ମାଇଲଖୁଣ୍ଟ ଛୁଇଁବାକୁ ଯାଉଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ମୋଦୀଙ୍କ ନେତୃତ୍ୱରେ ନୂତନ ସଂସଦ ଭବନ, ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ, କର୍ତ୍ତବ୍ୟ ପଥ, ବନ୍ଦେ ଭାରତ ଟ୍ରେନ୍, ଷ୍ଟାଚ୍ୟୁ ଅଫ୍ ୟୁନିଟି, ଆଇଏନଏସ୍ ବିକ୍ରାନ୍ତ, କାଶ୍ମୀର ରେଳ ସଂଯୋଗ, ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦର, ନମୋ ଭାରତ ଆରଆରଟିଏସ୍ ଏବଂ ଗଙ୍ଗା ଏକ୍ସପ୍ରେସୱେ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ରାଷ୍ଟ୍ର ନିର୍ମାଣ ପ୍ରକଳ୍ପ ସାକାର ହୋଇଛି।