ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍

0

ଭୁବନେଶ୍ବର: ଶିଶୁ ବାଟିକା ଶିକ୍ଷକ ନିଯୁକ୍ତିକୁ ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ସୂଚନାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟୀକରଣ ଜାରି କରିଛି। ବିଭାଗ କହିଛି ଯେ, ଅର୍ଥ ବିଭାଗର ନାମରେ ପ୍ରଚାରିତ ହେଉଥିବା ଏକ ପତ୍ର ସମ୍ପୂର୍ଣ୍ଣ ଜାଲ୍ ଏବଂ ମନଗଢ଼ା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପତ୍ରରେ ଦାବି କରାଯାଇଛି ଯେ, ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଅଧୀନରେ ୭,୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଏବଂ ନିଯୁକ୍ତି ପାଇଁ ଅର୍ଥ ବିଭାଗ ଅନୁମୋଦନ ଦେଇଛି। ଏଥିସହ ପ୍ରତ୍ୟେକ ଶିକ୍ଷକଙ୍କୁ ମାସିକ ୨୬ ହଜାର ଟଙ୍କା ଦରମା ପ୍ରଦାନ କରାଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି।

ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ବିଭାଗ ସ୍ପଷ୍ଟ କରିଛି ଯେ, ଅର୍ଥ ବିଭାଗ ପକ୍ଷରୁ ଏପରି କୌଣସି ପ୍ରସ୍ତାବକୁ ଅନୁମୋଦନ କରାଯାଇନାହିଁ। ୭,୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି କିମ୍ବା ନିଯୁକ୍ତି ସମ୍ପର୍କରେ କୌଣସି ସରକାରୀ ନିଷ୍ପତ୍ତି ହୋଇନାହିଁ।
ବିଭାଗ ଆହୁରି କହିଛି ଯେ, ଭାଇରାଲ ପତ୍ରରେ ଥିବା ପତ୍ର ସଂଖ୍ୟା, ଦସ୍ତଖତ, ବିଷୟବସ୍ତୁ ଏବଂ ଅନୁମୋଦନ ସମ୍ପୂର୍ଣ୍ଣ ଭୁଲ ଏବଂ ଜାଲିଆତିପୂର୍ଣ୍ଣ। ସରକାରୀ ଅଭିଲେଖରେ ଏଭଳି କୌଣସି ପତ୍ର କିମ୍ବା ନିଷ୍ପତ୍ତିର ଅସ୍ତିତ୍ୱ ନାହିଁ। ଜାଲ୍ ସରକାରୀ ପତ୍ର ପ୍ରସ୍ତୁତ ଓ ପ୍ରଚାର କରିବା ଏକ ଗୁରୁତର ଦଣ୍ଡନୀୟ ଅପରାଧ ବୋଲି ବିଭାଗ ଉଲ୍ଲେଖ କରିଛି। ଏହି ଘଟଣାର ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

ସାଧାରଣ ଲୋକ ଏବଂ ଗଣମାଧ୍ୟମକୁ ବିଭାଗ ପରାମର୍ଶ ଦେଇଛି ଯେ, ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ସରକାରୀ ପତ୍ର କିମ୍ବା ସୂଚନାକୁ ଯାଞ୍ଚ ବିନା ବିଶ୍ୱାସ କିମ୍ବା ପ୍ରଚାର କରନ୍ତୁ ନାହିଁ। ସରକାରୀ ସୂଚନା ପାଇଁ କେବଳ ସରକାରୀ ୱେବସାଇଟ୍, ବିଜ୍ଞପ୍ତି ଏବଂ ସମ୍ପୃକ୍ତ ବିଭାଗର ଅଧିକୃତ ମାଧ୍ୟମ ଉପରେ ନିର୍ଭର କରିବାକୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାର ଜନସାଧାରଣଙ୍କ ନିକଟରେ ସଠିକ୍, ପ୍ରାମାଣିକ ଓ ବିଶ୍ୱସନୀୟ ସୂଚନା ପହଞ୍ଚାଇବା ପାଇଁ ସଦା ପ୍ରତିବଦ୍ଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.