ଅହମଦାବାଦ: ୨୦୦୮ ମସିହାର ଅହମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ବଜାୟ ରଖି ୩୮ ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡ ଏବଂ ୧୧ ଜଣଙ୍କ ଆଜୀବନ କାରାଦଣ୍ଡକୁ ନିଶ୍ଚିତ କରିଛନ୍ତି। ଏହା ସହ ଦୋଷୀମାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସମସ୍ତ ଆବେଦନକୁ ଖାରଜ କରିଦିଆଯାଇଛି। ହାଇକୋର୍ଟ ବିସ୍ଫୋରଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ୧୮ ଫେବୃଆରୀ ୨୦୨୨ରେ ଅହମଦାବାଦର ଏକ ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ। ଭାରତୀୟ ଆଇନ ଅନୁଯାୟୀ, ନିମ୍ନ ଅଦାଲତଙ୍କ ଦ୍ୱାରା ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ହାଇକୋର୍ଟ ଅନୁମୋଦନ କରିବା ପରେ ହିଁ ତାହା କାର୍ଯ୍ୟକାରୀ ହୋଇଥାଏ। ସେହି ଅନୁଯାୟୀ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଥିଲା। ମାର୍ଚ୍ଚ ୨୦୨୫ରୁ ଏହି ମାମଲାର ନିୟମିତ ଶୁଣାଣି ଚାଲିଥିଲା। ରାଜ୍ୟ ସରକାରଙ୍କ ମୃତ୍ୟୁଦଣ୍ଡ ନିଶ୍ଚିତକରଣ ଆବେଦନ ଏବଂ ଦୋଷୀମାନଙ୍କ ଆବେଦନ ଉପରେ ମିଳିତ ଭାବେ ଶୁଣାଣି କରାଯାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ, ଯାହା ବର୍ତ୍ତମାନ ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ୨୬ ଜୁଲାଇ ୨୦୦୮ରେ ଗୁଜରାଟର ରାଜଧାନୀ ଅହମଦାବାଦର ବିଭିନ୍ନ ସ୍ଥାନରେ କ୍ରମାଗତ ବୋମା ବିସ୍ଫୋରଣ ଘଟିଥିଲା। ମାତ୍ର କିଛି ମିନିଟ୍ ମଧ୍ୟରେ ସହରର ବଜାର, ବସ୍ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ ହୋଇ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହି ଆକ୍ରମଣରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଦୀର୍ଘ ତଦନ୍ତ ଏବଂ ବିଚାର ପ୍ରକ୍ରିୟା ପରେ ସ୍ୱତନ୍ତ୍ର ଅଦାଲତ ୪୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରବର୍ତ୍ତୀ ସମୟରେ ଦୋଷୀମାନେ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ସମର୍ଥନ କରିବା ସହ ସମସ୍ତ ଆବେଦନ ଖାରଜ କରିଦେଇଛନ୍ତି। ତେବେ ହାଇକୋର୍ଟଙ୍କ ଏହି ରାୟ ପରେ ମଧ୍ୟ ଦୋଷୀମାନଙ୍କ ପାଖରେ ସୁପ୍ରିମକୋର୍ଟରେ ଆବେଦନ କରିବାର ଆଇନଗତ ଅଧିକାର ରହିଛି।