ବ୍ରହ୍ମପୁର: ବ୍ରହ୍ମପୁର ନିକଟ ହଳଦିଆପଦର ଅଞ୍ଚଳରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ନିଟ୍ ପରୀକ୍ଷାରେ ଆଶାନୁରୂପ ସଫଳତା ନ ମିଳିବାରୁ ମାନସିକ ଚାପରେ ଥିବା ଛାତ୍ରୀ ଜଣକ ଗତକାଲି ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଛାତ୍ରୀ ହେଲେ ହଳଦିଆପଦର ତିରୁପତି ନଗର ଅଞ୍ଚଳର ଶର୍ମିଷ୍ଠା ସାହୁ (୧୯)। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରାଥମିକ ସୂଚନା ଅନୁଯାୟୀ, ନିଟ୍ ପରୀକ୍ଷାରେ ବିଫଳ ହେବା ପରେ ଶର୍ମିଷ୍ଠା ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଏହି ଘଟଣା ପୁଣିଥରେ ପ୍ରତିଯୋଗିତାମୂଳକ ପରୀକ୍ଷାକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପ ପ୍ରତି ଚିନ୍ତା ବଢ଼ାଇଛି।