ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ବନ୍ଦ। କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ବନ୍ଦ ଯୋଗୁଁ ଯାତାୟାତ, ଦୋକାନବଜାର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରଭାବିତ ହେବା ଆଶଙ୍କା ରହିଛି। କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ଅଖଚକ ବନ୍ଦ କରାଯିବ ବୋଲି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି।
ତେବେ ବନ୍ଦରେ ଘରୋଇ ବସ୍ ସାମିଲ ହେବ ନାହିଁ। ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି, ବସ୍ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଆସନ୍ତାକାଲି ବସ୍ ଚଳାଚଳ ଜାରି ରହିବ। ଯାତ୍ରୀ ପରିବହନ ସ୍ୱାଭାବିକ ରଖିବା ସହ ବସ୍ ଚଳାଚଳ ପାଇଁ ସରକାର ସୁରକ୍ଷା ଯୋଗାଇଦେବାକୁ ସଂଘ ଦାବି କରିଛି। ଅନ୍ୟପକ୍ଷରେ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଅଟୋ ଚାଳକ ସଂଘ ପକ୍ଷରୁ କୁହାଯାଇଛି।
ସେହିପରି କଟକ ମାଲଗୋଦାମ ଖୋଲା ରହିବ। ଚାମ୍ବର ଅଫ୍ କମର୍ସ ସାଧାରଣ ସମ୍ପାଦକଙ୍କ ସୂଚନା ଅନୁସାରେ, ମାଲଗୋଦାମରେ ଅତ୍ୟାବଶ୍ୟକ ସାମଗ୍ରୀର କିଣାବିକା ଜାରି ରହିବ। ବନ୍ଦ ପୂର୍ବରୁ ବୁଧବାର କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ପଦଯାତ୍ରା ଓ ପ୍ରତିବାଦ କରାଯାଇଛି। ଭୁବନେଶ୍ୱର ଏଜି ଛକସ୍ଥିତ ଡ. ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି।