ନ୍ୟୁଜ ବ୍ୟୁରୋ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣାକୁ ସପ୍ତାହେ ନପୂରୁଣୁ ଏବେ ଅଭିନେତା ଅମିତାଭ ବଚ୍ଚନ ଓ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କୁ ବୋମା ଧମକ ମିଳିଛି। ଏହି ଦୁଇ କଳାକାରଙ୍କୁ ନେଇ ଏକ ଧମକପୂର୍ଣ୍ଣ ଇମେଲ୍ ମୁମ୍ବାଇ ମହାନଗର ନିଗମ (ବିଏମ୍ସି) କାର୍ଯ୍ୟାଳୟକୁ ଆସିଥିବା ଜଣାପଡ଼ିଛି। ଘଟଣାକୁ ନେଇ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ଇମେଲ୍ରେ ଅମିତାଭ ବଚ୍ଚନଙ୍କ ବାସଭବନ ‘ଜଲ୍ସା’କୁ ବୋମାରେ ଉଡ଼ାଇଦେବାକୁ ଧମକ ଦିଆଯାଇଛି। ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଏହି ବଙ୍ଗଳାକୁ ଟାର୍ଗେଟ୍ କରାଯିବ ବୋଲି ଇମେଲ୍ରେ ଉଲ୍ଲେଖ ରହିଛି। ସେହିପରି ନଭେମ୍ବର ୨୭ରେ ଦିଲଜିତ ଦୋସାଞ୍ଜଙ୍କୁ ଆତ୍ମଘାତୀ ବୋମାରେ ଆକ୍ରମଣ କରିବାକୁ ଧମକ ଦିଆଯାଇଛି। ଅମିତାଭ ବଚ୍ଚନଙ୍କ ପାଦ ଛୁଇଁଥିବାରୁ ଦିଲଜିତଙ୍କୁ ଟାର୍ଗେଟ୍ କରାଯାଇଥିବା ମଧ୍ୟ ଇମେଲ୍ରେ ଦାବି କରାଯାଇଛି।
ମୁମ୍ବାଇ ପୁଲିସର ସୂଚନା ଅନୁଯାୟୀ, ଧମକ ମିଳିବା ପରେ ଯାଞ୍ଚ କରାଯାଇଥିଲେ ମଧ୍ୟ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ, ଶୁକ୍ରବାର ମୁମ୍ବାଇର ଚାରିଟି ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଥିବା ଖବର ଆସିଛି। ପୁଲିସ ଯାଞ୍ଚ କରିଥିଲେ ମଧ୍ୟ ସେଠାରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ। ଲଗାତାର ଏପରି ଧମକ ମିଳୁଥିବାରୁ ପୁଲିସ ଘଟଣାଗୁଡ଼ିକର ତଦନ୍ତ ଜାରି ରଖିଛି।