ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଟିପ୍ପଣୀ କରିବା ଅଭିଯୋଗରେ ୨୦୧୮ରୁ ଚାଲିଥିବା ମାନହାନି ମାମଲାରେ ତାଙ୍କୁ ଦୋଷମୁକ୍ତ କରିଛନ୍ତି ଉତ୍ତରପ୍ରଦେଶର ସୁଲତାନପୁରସ୍ଥିତ ସ୍ୱତନ୍ତ୍ର ଏମ୍ପି/ଏମ୍ଏଲ୍ଏ କୋର୍ଟ। ପ୍ରମାଣ ଅଭାବରୁ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ ଶୁଭମ ବର୍ମା ଏହି ରାୟ ଶୁଣାଇଛନ୍ତି। ସୋମବାର ରାୟ ପ୍ରକାଶ ସମୟରେ ରାହୁଲ ଗାନ୍ଧି କୋର୍ଟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ। ରାୟ ପରେ କଂଗ୍ରେସ ନେତା ଓ କର୍ମୀମାନେ ଏହାକୁ ସ୍ୱାଗତ କରିଛନ୍ତି।
୨୦୧୮ ଅଗଷ୍ଟ ୪ରେ ବେଙ୍ଗାଲୁରୁରେ ଏକ ରାଲିରେ ରାହୁଲ ଗାନ୍ଧି ଦେଇଥିବା ଭାଷଣ ଅମିତ ଶାହଙ୍କ ସମ୍ମାନହାନି କରିଥିବା ଅଭିଯୋଗ କରି ବିଜେପି ନେତା ବିଜୟ ମିଶ୍ର ମାମଲା ଦାଏର କରିଥିଲେ। ମିଶ୍ର ସୁଲତାନପୁର ଜିଲ୍ଲାର ହନୁମାନଗଞ୍ଜ ବାସିନ୍ଦା ଏବଂ ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ। ଶୁଣାଣି ସମୟରେ ରାହୁଲଙ୍କ ଓକିଲ ବିବାଦୀୟ ବୟାନ ଦେବା କଥା ସ୍ୱୀକାର କରିଥିଲେ ମଧ୍ୟ ଏହା ଜାଣିଶୁଣି କାହାକୁ ଅପମାନିତ କରିବା ଉଦ୍ଦେଶ୍ୟରେ ଦିଆଯାଇ ନଥିଲା ବୋଲି ଯୁକ୍ତି ରଖିଥିଲେ। ବୟାନକୁ ବିକୃତ ଭାବେ ଉପସ୍ଥାପନ କରାଯାଇଥିବା ମଧ୍ୟ ସେ ଦାବି କରିଥିଲେ। ଅନ୍ୟପକ୍ଷରେ, ରାହୁଲ ବୟାନ ସ୍ୱୀକାର କରିଥିବାରୁ ତାଙ୍କୁ ଦଣ୍ଡିତ କରାଯିବା ଉଚିତ ବୋଲି ଅଭିଯୋଗକାରୀଙ୍କ ଓକିଲ ଯୁକ୍ତି ଦେଇଥିଲେ।
୨୦୨୪ ଫେବୃଆରୀରେ ରାହୁଲ ଗାନ୍ଧି କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜାମିନ ପାଇଥିଲେ। ସେହି ବର୍ଷ ଜୁଲାଇରେ ତାଙ୍କ ସମେତ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଚଳିତ ଅକ୍ଟୋବର ୬ରୁ ଚୂଡ଼ାନ୍ତ ଯୁକ୍ତି ଆରମ୍ଭ ହୋଇ ଅକ୍ଟୋବର ୧୨ରେ ଶୁଣାଣି ଶେଷ ହୋଇଥିଲା। ଶେଷରେ ଅକ୍ଟୋବର ୨୬ରେ କୋର୍ଟ ରାହୁଲଙ୍କୁ ଦୋଷମୁକ୍ତ କରିଛନ୍ତି।