ନଭେମ୍ବର ୨୫ ଯାଏଁ ଫୁଟାଇବା ମନା
ମୁମ୍ବାଇ: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଗ୍ନିକାଣ୍ଡ ବଢ଼ିବା ପରେ କଡ଼ା ନିଷ୍ପତ୍ତି ନେଇଛି ବୃହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି)। ସହରରେ ରକେଟ୍ ସମେତ ଆକାଶକୁ ଉଡ଼ୁଥିବା ସମସ୍ତ ପ୍ରକାର ବାଣ ଫୁଟାଇବା ଉପରେ ରୋକ୍ ଲଗାଯାଇଛି। ନଭେମ୍ବର ୯ରୁ ଲାଗୁ ହୋଇଥିବା ଏହି କଟକଣା ୨୫ ତାରିଖ ରାତି ୧୧ଟା ୫୯ ଯାଏଁ ବଳବତ୍ତର ରହିବ। ବିଏମସି କମିଶନର ପ୍ରାଜକ୍ତା ଲବଙ୍ଗାରେ-ବର୍ମା ଏହି ନିଷେଧାଦେଶ ଜାରି କରିଛନ୍ତି। ମୁମ୍ବାଇ ମହାନଗର ନିଗମ ଅଞ୍ଚଳର ସମସ୍ତ ସରକାରୀ ଓ ଘରୋଇ ସ୍ଥାନରେ ଏହା ଲାଗୁ ହେବ। ଏପରିକି ଘରର ଛାତ, ବାଲକୋନି, ଅଗଣା, ପାର୍କିଂ ସ୍ଥାନ ଓ ବସ୍ତି ଅଞ୍ଚଳରେ ମଧ୍ୟ ରକେଟ୍ ବାଣ ଫୁଟାଇବା ମନା।
ସୂଚନା ଅନୁସାରେ, ନଭେମ୍ବର ୮ରେ ମୁମ୍ବାଇ ଫାୟାର ବ୍ରିଗେଡ୍କୁ ଅଗ୍ନିକାଣ୍ଡ ସମ୍ପର୍କିତ ୧୪୨ଟି କଲ୍ ଆସିଥିଲା। ଏଥିରୁ ୧୩୭ଟି ବାଣ ଫୁଟାଇବା ସହ ଜଡ଼ିତ ଥିଲା। ଡୋଙ୍ଗରୀ ଓ ବିଦ୍ୟାବିହାର ସମେତ ସହରର ବିଭିନ୍ନ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ରକେଟ୍ର ଜଳନ୍ତା ଅଂଶ କୋଠାର ଛାତ, ବାଲକୋନି ଓ ଝରକାରେ ପଡ଼ି ନିଆଁ ଲଗାଇବାର ଆଶଙ୍କା ଥିବାରୁ ବିଏମସି ଏହି ପଦକ୍ଷେପ ନେଇଛି। ତେବେ ଅନ୍ୟ ପ୍ରକାର ବାଣ ଫୁଟାଇବା ଉପରେ ଏହି ନୂଆ କଟକଣା ଲାଗୁ ହୋଇନାହିଁ। ସେଗୁଡ଼ିକର ବ୍ୟବହାର ପୂର୍ବରୁ ଲାଗୁ ଆଇନ ଓ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ନିୟନ୍ତ୍ରିତ ହେବ।