ବାଲେଶ୍ବର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବାଲିଆପାଳର ମହିଳା ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର। ପ୍ରୋବେସନ୍ରେ ଥିବା ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ ମନୀଷାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗର ଗମ୍ଭୀରତା ଏବଂ ତାଙ୍କ ଆଚରଣ ଜନସ୍ୱାର୍ଥର ପରିପନ୍ଥୀ ହୋଇଥିବା ଦର୍ଶାଇ ସରକାର ଏହି ପଦକ୍ଷେପ ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନଭେମ୍ବର ୧୦ରେ ଜାରି ନିର୍ଦ୍ଦେଶନାମା ଅନୁସାରେ, ରାଜ୍ୟପାଳଙ୍କ ଆଦେଶକ୍ରମେ ତାଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି।
ସୂଚନାଯୋଗ୍ୟ, ଗତ ନଭେମ୍ବର ୬ରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ମନୀଷାଙ୍କୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲେ। ପଞ୍ଚରୁଖୀ ଗ୍ରାମର ଜ୍ଞାନରଞ୍ଜନ ପାତ୍ରଙ୍କ ୦.୧୪ ଏକର ଜମି ପଞ୍ଜୀକରଣ ଓ ବିକ୍ରୟ କବଲା ପ୍ରସ୍ତୁତ କରିବା ପାଇଁ ସେ ଏହି ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇ ତାଙ୍କୁ ଧରିଥିଲା। ଏହି ଘଟଣାରେ ନଭେମ୍ବର ୭ରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। କୋର୍ଟ ନଭେମ୍ବର ୨୦ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ନେଇ ମଧ୍ୟ ଯାଞ୍ଚ ଚାଲିଛି।