ତାମିଲନାଡୁ: ତାମିଲନାଡୁର ହୋସୁରସ୍ଥିତ ଟାଟା ଇଲେକ୍ଟ୍ରୋନିକ୍ସର ଆଇଫୋନ୍ ଉତ୍ପାଦନ କାରଖାନାରେ ଅଘଟଣ। ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩ ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। କାରଖାନାରେ ମେଣ୍ଟେନାନ୍ସ କାମ ଚାଲିଥିବାବେଳେ ଏହି ଅଘଟଣ ଘଟିଛି।
ସୂଚନା ଅନୁଯାୟୀ, ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟର ଏକ ଟାଙ୍କି ଯାଞ୍ଚ କରିବାକୁ ଯାଇଥିଲେ ୩ ଜଣ ଶ୍ରମିକ। ଏହି ସମୟରେ ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ୍ ସେମାନଙ୍କ ଶରୀରରେ ପ୍ରବେଶ କରିଥିଲା। ଫଳରେ ତିନିଜଣଙ୍କ ଜୀବନ ଚାଲିଯାଇଥିଲା। ଦୀପାବଳି ଛୁଟି ଯୋଗୁଁ କାରଖାନାରେ ଉତ୍ପାଦନ ବନ୍ଦ ଥିବାରୁ ଏହାର ପ୍ରଭାବ ଉତ୍ପାଦନ ଉପରେ ପଡ଼ିନାହିଁ। ଘଟଣାକୁ ନେଇ ଟାଟା, ଆପଲ୍ ଏବଂ ତାମିଲନାଡୁ ସରକାରଙ୍କ ପକ୍ଷରୁ ତଦନ୍ତ କରାଯିବ। କାରଖାନାରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହା ତଦନ୍ତରୁ ଜଣାପଡ଼ିବ। ଏହି ଘଟଣା ଶିଳ୍ପାନୁଷ୍ଠାନରେ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।