ଭୁବନେଶ୍ବର: ରାଜ୍ୟର ବରିଷ୍ଠ ଆଇଏଏସ୍ ଅଧିକାରୀ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫଡିସି)ର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
୧୯୯୯ ବ୍ୟାଚ୍ର ଓଡ଼ିଶା କ୍ୟାଡର ଅଧିକାରୀ ଶର୍ମା ବର୍ତ୍ତମାନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ସଚିବ ଅଛନ୍ତି। ନୂଆ ଦାୟିତ୍ୱ ସହ ସେ ନିଜର ବର୍ତ୍ତମାନର କାର୍ଯ୍ୟଭାର ମଧ୍ୟ ଜାରି ରଖିବେ। ଏହାବ୍ୟତୀତ ତାଙ୍କ ପାଖରେ ଓଏସବିସିଏଲ୍ର ଅଧ୍ୟକ୍ଷ ଏବଂ ଓପିଟିସିଏଲ୍ର ସିଏମ୍ଡି ଦାୟିତ୍ୱ ମଧ୍ୟ ରହିଛି।
ସୂଚନାଯୋଗ୍ୟ, ୧୯୯୫ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ପୂର୍ବରୁ ଓଏଫଡିସି ଅଧ୍ୟକ୍ଷ ଥିଲେ। ତାଙ୍କୁ ନିକଟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଓଏସ୍ଡି) ଭାବେ ନିଯୁକ୍ତ କରାଯାଇଥିଲା। ଏହାପରେ ଶର୍ମାଙ୍କୁ ଓଏଫଡିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।