ଉତ୍ତରପ୍ରଦେଶ: କିଶୋରୀଙ୍କ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଉତ୍ତରପ୍ରଦେଶର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରୀଙ୍କୁ ମାଗଣା ସାନିଟାରି ପ୍ୟାଡ୍ ଯୋଗାଇବାକୁ ଯୋଜନା କରୁଛନ୍ତି ଯୋଗୀ ଆଦିତ୍ୟନାଥ ସରକାର। ଏଥିପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତି ଚାଲିଥିବା ସୋମବାର ଅଧିକାରୀମାନେ ସୂଚନା ଦେଇଛନ୍ତି।
ଲକ୍ଷ୍ନୌର ଆନେକ୍ସି ବିଲ୍ଡିଂରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା କମିଟି ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ମେଡିକାଲ ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାରର ପ୍ରମୁଖ ସଚିବ ଭି. ହେକାଲି ଜିମୋମିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଧାରଣା ଓ ସାମାଜିକ ସଙ୍କୋଚ ଦୂର କରିବା ସହ ସ୍କୁଲରେ ଏହା ସମ୍ପର୍କିତ ଶିକ୍ଷାକୁ ନିୟମିତ ପାଠ୍ୟକ୍ରମର ଅଂଶ କରିବା ଉପରେ କମିଟି ଗୁରୁତ୍ୱ ଦେଇଛି। ଋତୁସ୍ରାବ ଆରମ୍ଭ ହେବା ପୂର୍ବରୁ ମଧ୍ୟ କିଶୋରୀଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।
ଏଥିସହ ସଚେତନତା ଅଭିଯାନରେ ଡିଜିଟାଲ୍ ମାଧ୍ୟମ ଓ ସୋସିଆଲ୍ ମିଡିଆର ସହାୟତା ନିଆଯିବ। ବ୍ୟବହୃତ ସାନିଟାରି ପ୍ୟାଡ୍ର ସୁରକ୍ଷିତ ଓ ପରିବେଶ ଅନୁକୂଳ ନିଷ୍କାସନ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯିବ। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ବିଭାଗ ସମେତ ବିଭିନ୍ନ ବିଭାଗର ପ୍ରତିନିଧି ଯୋଗ ଦେଇଥିଲେ।