ପୁରୀ: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ। ଏଥର ତିଥି କ୍ଷୟ ଯୋଗୁ ଚଳିତବର୍ଷ ପଞ୍ଚୁକ ୪ ଦିନ ପଡୁଛି। ଏହି ଦିନମାନଙ୍କରେ ମହାପ୍ରଭୁ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ତେଣୁ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ହେବ ନାହିଁ। ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ହେବେ ମୁତୟନ। ପଞ୍ଚୁକରେ କେବଳ ସିଂହ ଦ୍ଵାର ଦେଇ ଭକ୍ତ କରିବେ ପ୍ରବେଶ। ଅନ୍ୟ ତିନି ଦ୍ୱାର ପଟେ ପ୍ରସ୍ଥାନ କରିବେ ।
ଶ୍ରୀମନ୍ଦିରରେ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ। ୪ ଦିନ ଧରି ମହାପ୍ରଭୁ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମହାକାର୍ତ୍ତୀକ ମାସର ଅନ୍ତିମ ୫ ଦିନକୁ ପଞ୍ଚୁକ ବ୍ରତ କୁହାଯାଏ। ସାଧାରଣତଃ ପଞ୍ଚୁକ ବ୍ରତର ପ୍ରଥମ ଦିବସ ତଥା ହରିଉତ୍ଥାପନ ଏକାଦଶୀରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶ, ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀନୃସିଂହ ବେଶ ଓ ଅନ୍ତିମ ଦିବସରେ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ସବୁ ବେଶରେ ମହଣ ମହଣ ସୁନା ଅଳଙ୍କାର ମହାପ୍ରଭୁ ପରିଧାନ କରିବେ। ତେବେ ଚଳିତବର୍ଷ ପଞ୍ଚୁକ ୪ ଦିନ ପଡୁଥିବାରୁ ଦ୍ୱାଦଶୀରେ ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ ହେବ ନାହିଁ।
ଶ୍ରୀମନ୍ଦିର ଚୂନରା ସେବକ ଶରତ କୁମାର କହନ୍ତି, ‘ଚଳିତ ବର୍ଷ ତିଥି କ୍ଷୟ ଯୋଗୁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ। ଚଳିତବର୍ଷ ମହାପ୍ରଭଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ। ପଞ୍ଚୁକ ବ୍ରତ ଅତ୍ୟନ୍ତ ପବିତ୍ର। କାର୍ତ୍ତିକ ମାସରେ ଏହି ପଞ୍ଚୁକକୁ ବିଶେଷ ଭାବରେ ପ୍ରାଧାନ୍ୟ ଦିଆଯାଇଥାଏ। ପଞ୍ଚୁକ ଏତେ ପବିତ୍ର ଯେ, ବଗ ବଗୁଲୀ ମଧ୍ୟ ଏହି ସମୟରେ ଆମିଷ ତ୍ୟାଗ କରିଥାନ୍ତି ବୋଲି କଥାରେ ରହିଛି। ଏଣୁ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକରେ ଯେଉଁମାନେ ପଞ୍ଚତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ମହାପ୍ରସାଦ ସେବନ କରିଥାନ୍ତି ସେମାନେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଅର୍ଜନ କରିଥାନ୍ତି।’
ତେବେ ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଵ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁରକ୍ଷିତ ଦର୍ଶନ ଲାଗି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ ପୁରୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ବଡ଼ଦାଣ୍ଡରେ ହୋଇଥିବା ବ୍ୟାରିକେଡ଼ ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରର ସିଂହ ଦ୍ୱାରରେ ପ୍ରଵେଶ କରିବେ। ଦର୍ଶନ ପରେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ପଞ୍ଚୁକ ୪ ଦିନ ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବାର ବ୍ୟବସ୍ଥା ରହିଛି। ମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ପାଇଁ କ୍ଲିୟରାନ୍ସ ଟିମ ମୁତୟନ କରାଯିବ। ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।
କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ କହିଛନ୍ତି, ‘ଚଳିତବର୍ଷ ପଞ୍ଚୁକ ଆସନ୍ତା ୨୧ ତାରିଖରୁ ୨୪ ତାରିଖ ଯାଏ ଅଛି। ଏହି ଭିତରେ ଶନିବାର ଓ ରବିବାର ବି ରହିଛି। ଯେହେତୁ ଦୁଇଦିନ ଛୁଟି ରହିଛି ବହୁତ୍ ମାତ୍ରାରେ ଭକ୍ତଙ୍କ ଆଗମନ ହେବ। ଏଣୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଥିତିକୁ ମୁଁ ସମୀକ୍ଷା କରିଛି। ବଡଦାଣ୍ଡର ମାର୍କେଟ ଛକରୁ ସିଂହ ଦ୍ୱାର ଯାଏ ୬ ଲେନ୍ ବ୍ୟାରିକେଡ଼ କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦୟିତ୍ଵ ଦିଆଯାଇଛି। ପଞ୍ଚୁକରେ ଭିଡ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ସିସିଟିଭି କ୍ୟାମେରା ସହିତ ଏହାକୁ ପରିଚାଲନା ପାଇଁ କଣ୍ଟ୍ରୋଲ ରୁମ୍ ରହିଛି। ଭିଡର ସୁଯୋଗ ନେଇ ଅନେକ ଅପରାଧୀ ବିଭିନ୍ନ ଅପରାଧ ଘଟାଇବା ନଜିର ରହିଛି। ଏଣୁ ଅପରାଧିଙ୍କ ଉପରେ ନଜର ରଖିବା ପାଇଁ ସାଧା ପୋଷାକରେ ପୋଲିସ୍ ମୁତୟନ ରହିବେ। ମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ କରିବା ପାଇଁ କ୍ଲିୟରାନ୍ସ ଟିମ ରହିବେ।’