ଏସ୍ସି-ଏସ୍ଟି ମହିଳାଙ୍କ ପାଇଁ ସ୍ୱତନ୍ତ୍ର କୋଟା ଦାବି
ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବହୁଜନ ସମାଜ ପାର୍ଟି (ବିଏସ୍ପି) ମୁଖ୍ୟ ମାୟାବତୀ। ତେବେ ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସ୍ଟି) ବର୍ଗର ମହିଳାଙ୍କ ପାଇଁ ଏହି ସଂରକ୍ଷଣରେ ସ୍ୱତନ୍ତ୍ର ବ୍ୟବସ୍ଥା ରଖିବାକୁ ସେ ଦାବି କରିଛନ୍ତି।
ଏକ୍ସ’ରେ ଏକ ପୋଷ୍ଟ କରି ମାୟାବତୀ କହିଛନ୍ତି, ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ରାଜନୈତିକ ଭାଗିଦାରୀ ବୃଦ୍ଧି ପାଇଁ ବିଏସ୍ପି ସର୍ବଦା ସମର୍ଥନ କରିଆସିଛି। ତେବେ ଐତିହାସିକ ଭାବେ ଶୋଷିତ ଓ ଅବହେଳିତ ଏସ୍ସି-ଏସ୍ଟି ବର୍ଗର ମହିଳାଙ୍କ ପାଇଁ ପୃଥକ ସଂରକ୍ଷଣ ବ୍ୟବସ୍ଥା ରହିଥିଲେ ଏହା ଅଧିକ ଐତିହାସିକ ପଦକ୍ଷେପ ହୋଇଥାଆନ୍ତା। ଏହାଦ୍ୱାରା ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ସୁନିଶ୍ଚିତ ହୋଇପାରିଥାଆନ୍ତା ବୋଲି ସେ କହିଛନ୍ତି। ଏଥିସହ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଦଳୀୟ ସ୍ୱାର୍ଥ ବଦଳରେ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ସେ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଧର୍ମ, ଜାତି ଓ ଅଞ୍ଚଳ ଊର୍ଦ୍ଧ୍ୱରେ ରହି ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବାକୁ ମଧ୍ୟ ମାୟାବତୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।