କଂଗ୍ରେସ ଭୋଟର କୁଆଡେ ଯିବେ?
ଭୁବନେଶ୍ବର: ବରିଷ୍ଠ ନେତା ଗୁଲାମନବୀ ଆଜାଦ, କପିଲ ଶିବଲ ପ୍ରମୁଖ ଗାନ୍ଧୀ ପରିବାରର ହାଇକମାଣ୍ଡରାଜ ନେଇ ସ୍ବର ଉଠାଇବା ପରେ ଅକଳରେ ପଡ଼ିଯାଇଛି କଂଗ୍ରେସ। ଯେଉଁ ଗାନ୍ଧୀ ପରିବାର ବିରୋଧରେ କେହି ମୁହଁ ଖୋଲିଲେ ଦିନେ ଦଳରୁ ବିଦା ହେବାର ଦ୍ବାର ନେତୃତ୍ବ ଦେଖାଉଥିଲେ, ସେହି ଦଳର ଶୀର୍ଷ ନେତୃତ୍ବ ଏବେ ସେମାନଙ୍କ ଭବିଷ୍ୟତ ନେଇ ସନ୍ଦିହାନ୍ ହୋଇପଡ଼ିଛନ୍ତି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଳ ଭିତରେ ସ୍ବର ତୀବ୍ର ହେବାରେ ଲାଗିଛି।
କଂଗ୍ରେସ ଭଳି ଏକ ଜାତୀୟ ଦଳର ସ୍ଥାୟୀ ସଭାପତି ଚୟନ ହୋଇପାରୁନାହିଁ। ତା ଠାରୁ ବଡ଼ କଥା ହେଲା, କଂଗ୍ରେସ ସହିତ ବନ୍ଧୁତା କରିବା ଲାଗି ସହଯୋଗୀ ବି ଆଉ ଆଗ୍ରହୀ ନାହାନ୍ତି। ବିହାରରେ ମହାଗଠବନ୍ଧନ ବିଫଳ ହେବା ପଛରେ କଂଗ୍ରେସ ହିଁ ଏକମାତ୍ର କାରଣ ବୋଲି ରାଜନୈତିକ ସମୀକ୍ଷକ ଓ ରାଜନୈତିକ ଦଳମାନେ ଖୋଲାମତ ରଖିଛନ୍ତି। ଯଦି କଂଗ୍ରେସ ଅପେକ୍ଷାକୃତ କମ୍ ଆସନରେ ଲଢ଼ିଥାନ୍ତା, ତେବେ ସରକାର ପରିବର୍ତ୍ତନ ଅବଶ୍ୟ ହୋଇଥାନ୍ତା। ଏହାକୁ ଦେଖାଦେଖି ପଶ୍ଚିମବଙ୍ଗ ଆଦିରେ କଂଗ୍ରେସ ସହିତ ମେଣ୍ଟ କରିବା ଲାଗି ଏବେ ଅନ୍ୟ ରାଜନୈତିକ ଦଳ ଡରିଲେଣି। କଂଗ୍ରେସ ବି ନିଜ ସପକ୍ଷରେ ଅଧିକ ସଂଖ୍ୟକ ସିଟ୍ ହାସଲ ପାଇଁ ମୂଲଚାଲ କରିବାର କ୍ଷମତା ଧୀରେ ଧୀରେ ହରାଇ ବସୁଛି।
ଠିକ୍ ଏମିତି ସମୟରେ କଂଗ୍ରେସ ରାଜନୀତିର ଚାଣକ୍ୟ ବୋଲି କୁହାଯାଉଥିବା ସାଂସଦ ଅହମ୍ମଦ ପଟେଲ୍ଙ୍କର ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ କିଛି ଦିନ ହେଲା ଚିକିତ୍ସିତ ହେଉଥିଲେ। ଗତକାଲି (ସୋମବାର) ରାତି ସାଢେ ତିନିଟାରେ ତାଙ୍କର ପରଲୋକ ହୋଇଥିବା ପରିବାର ପକ୍ଷରୁ ଟ୍ବିଟ୍ କରାଯାଇଛି। ଏହି ଖବର କଂଗ୍ରେସର ସବୁ ମହଲକୁ ବିଚଳିତ କରିଥିବ। ଏହାପରଠାରୁ କଂଗ୍ରେସ ଆହୁରି ଶୋଚନୀୟ ସ୍ଥିତିକୁ ଯିବ, ଏକଥା ଯେ କେହି ଅନୁମାନ କରିପାରୁଥିବେ।
ଏବେ ଆସିବା ଓଡ଼ିଶା ରାଜନୀତିକୁ। ଓଡ଼ିଶାରେ ମଧ୍ୟ କଂଗ୍ରେସ ନେତୃତ୍ବ ସେଭଳି ପରିସ୍ଥିତିର ଶିକାର ହୋଇଛନ୍ତି, ଯେମିତି ଜାତୀୟସ୍ତରରେ ଦଳ ପଡ଼ିଛି। ରାଜ୍ୟ କଂଗ୍ରେସ ସଭାପତି ପଦ ହାତେଇବା ଲାଗି ଦଳର ଶୀର୍ଷ ନେତୃତ୍ବ ଭିତରେ କନ୍ଦଳ, ଦଳ ଭିତରେ ଗୋଷ୍ଠୀବାଦ ଏବେ ଏଭଳିସ୍ଥିତିରେ ପହଞ୍ଚିଛି ଯେ ସ୍ଥିତି ରକ୍ଷା ଅସମ୍ଭବ ହୋଇଯାଇଛି। ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଥିବା କଂଗ୍ରେସ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ଅସ୍ତିତ୍ବ ହରାଇବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଅଧିକାଂଶ କଂଗ୍ରେସ ନେତା ଏବେ ଦଳ ବଦଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିଛି ବିଜେପିକୁ ଯିବା ଲାଗି ପାଗ ଭିଡ଼ିଥିବା ବେଳେ ଆଉ କିଛି ବିଜେଡିକୁ ଯିବା ଲାଗି ବିଚାର ଆଲୋଚନା ଚଳାଇଛନ୍ତି।
ଏ ଭିତରେ ରାଜ୍ୟରେ ପୁଣି ଏକ ଆଞ୍ଚଳିକ ଦଳଗଠନ ପାଇଁ କ୍ଷେତ୍ର ପ୍ରସ୍ତୁତି ହୋଇଛି। ଇତିମଧ୍ୟରେ ଅସନ୍ତୁଷ୍ଚ ବିଜେଡି-ବିଜେପି-କଂଗ୍ରେସ ନେତାମାନେ ଏ ସଂକ୍ରାନ୍ତରେ ପ୍ରକ୍ରିୟା ଆରମ୍ଭ କରିସାରିଲେଣି। କିଛି ନେତା ଏକାଧିକବାର ବୈଠକ କରିସାରିଲେଣି। ହେଲେ ଏହିଥର ଯେଉଁ ନିଷ୍ପତ୍ତି ହୋଇଛି,ତାହା ଏତେ ତରବରିଆ ଅବସ୍ଥାରେ ନାହିଁ। ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର୍ତ୍ତୃତ୍ବ ବିଜେଡିରେ କମୁଛି ବା ବଢ଼ୁଛି, ତାହାକୁ ଏହି ମହଲରେ ବିଶେଷ ଦୃଷ୍ଟି ଦେଉଛନ୍ତି। ସେହି ଆଧାରରେ ଏହାର ଭିତ୍ତି ପଡ଼ିବ ବୋଲି ଆଲୋଚନା ହେଉଛି। ଅର୍ଥାତ୍ କେଉଁଠି ନା କେଉଁଠି ଏସବୁ ଗଣିତ ସୂଚାଇ ଦେଉଛି ଯେ ରାଜ୍ୟରେ କଂଗ୍ରେସର ସ୍ବାସ୍ଥ୍ୟ ଆଗକୁ ଆହୁରି ଖରାପ ହେବ।
ବାଲେଶ୍ବର ସଦର ଉପନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଲେ। ଗାଁ ଗଣ୍ଡାର ଭୋଟର ବାଣ୍ଟି ହୋଇଗଲେ ବିଜେଡି-ବିଜେପି ମଧ୍ୟରେ। କଂଗ୍ରେସର ଭୋଟରଙ୍କୁ ଯିଏ ଯେତେ ଅଧିକ ପରିମାଣରେ ନେଇପାରିବ, ସେ ସେତିକି ଆଗକୁ ବଳଶାଳୀ ହେବ। ତିର୍ତ୍ତୋଲରେ ବିଜେପି ଉଦ୍ୟମ କରିବି ବିଫଳ ହେଲା। ଘର ଢିଙ୍କି କୁମ୍ଭୀର ହେଲେ। କଂଗ୍ରେସର ପୂର୍ବତନ ପ୍ରାର୍ଥୀଙ୍କୁ ବିଜେପି ନିଜ ଦଳରେ ମିଶାଇବା ପରେ ଅଭିମାନରେ ବିଜେପି ପ୍ରାର୍ଥୀ ଦଳ ଛାଡି ବିଜେଡିରେ ଯୋଗଦେଲେ। ତେବେ ଆଶ୍ବାସନା କଥା ହେଉଛି,କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ ମଇଦାନ ନ ଛାଡ଼ି ଯୁଝିଲେ ଓ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ରଖିବାରେ ସକ୍ଷମ ହେଲେ। ସାଧାରଣ ନିର୍ବାଚନ ତୁଳନାରେ କଂଗ୍ରେସ ଏଠାରେ ଅଧିକ ୫ହଜାରରୁ ଅଧିକ ଭୋଟ ପାଇଲା। ହେଲେ ଏହା ଉପନିର୍ବାଚନରେ ସିନା ସମ୍ଭବ ହେଲା, ଗୋଟିଏ ଆସନରେ ନେତୃତ୍ବ ବଳ ଲଗାଇଲେ, ୧୪୭ ଆସନରେ ଏଭଳି ଲଢ଼ିବା ସ୍ଥିତିରେ ଦଳ ଅଛି ତ?