ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ବିଜେଡି-ବିଜେପି ଛାୟା ଯୁଦ୍ଧରେ ଲାଭ କାହାର?

0
  • ବାଟ ହୁଡିଲେଣି ଦୁଇ ପ୍ରମୁଖ ରାଜନୈତିକ ଦଳ
  • ବେଳ ହୁଁ ସାବଧାନ ନ ହେଲେ ଅକଳରେ ପଡ଼ିବେ

ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ଗତ କିଛି ଦିନ ଧରି ଲାଗିରହିଥିବା ଛାୟା ଯୁଦ୍ଧ ଗ୍ରୀଷ୍ମର ତାତି ଭଳି ପ୍ରଖର ହେବାରେ ଲାଗିଲାଣି। ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତୁ ତୁ ମେଁ ମେଁ ହେବା କିଛି ବଡ଼ କଥା ନୁହେଁ। ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଉଭୟ ଦଳର ରଣନୀତି ଦେଖି ଯେଉଁ ହିସାବ ନିକାସ କରୁଛନ୍ତି ତାହା ସୂଚାଉଛି ଯେ ରାଜ୍ୟ ରାଜନୀତିରେ ଭିନ୍ନ ଧାରାରେ ଯିବା ଆରମ୍ଭ କଲାଣି। ଗତ ୨୧ବର୍ଷ ଧରି ଯେଉଁ ରାସ୍ତା ଧରି ବିଜେଡି ସଫଳତା ସାଉଁଟିଥିଲା, ତାହାକୁ କିଛି ପରିମାଣରେ ଭୁଲିଯାଇଥିବା ମନେ ହେଉଛି। ବିଜେପି ଏତେ ବିଫଳତା ସାମ୍ନା କରିବା ପରେ ବି ସେଥିରୁ କିଛି ଶିଖିବା ଭଳି ମନେ ହେଉନାହିଁ।

ଦୁଇ ଚାରିଟି ଘଟଣାକୁ ଉଦାହରଣ ଭାବେ ନେଲେ, ଏ ଚିତ୍ର ସ୍ପଷ୍ଟ ହୋଇଯିବ। ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ବର ଅନନ୍ତ ବାସୁଦେବ ମନ୍ଦିର, ବ୍ରହ୍ମେଶ୍ବର ମନ୍ଦିର ଲାଗି କେନ୍ଦ୍ର ସରକାର ବାଇ-ଲ’ କଲେ। ଏହାକୁ ନେଇ ଉଭୟ ରାଜନୈତିକ ଦଳ ମଧ୍ୟରେ ତମ୍ବିତୋଫାନ ହେଲା। କେନ୍ଦ୍ର ସରକାର ପୁରୀ କ୍ଷେତ୍ରରେ ବାଇ-ଲ’ ସ୍ଥଗିତ ରଖିଥିଲେ ହେଁ, ଭୁବନେଶ୍ବରକୁ ଝୁଲାଇ ଦେଲେ। ହେଲେ ଏହା ସହିତ ଯେଉଁ ଦୁଇଟି ବଡ଼ ଘଟଣା ସାମ୍ନାକୁ ଆସିଲା, ତାହା ହେଉଛି, ପୁରୀ ଶ୍ରୀମନ୍ଦିର ବିକାଶ ପ୍ରକ୍ରିୟାରେ ବିଜେପି ଇତିମଧ୍ୟରେ ଭାଗ ବସାଇବା ଆରମ୍ଭ କରିଛି। ନିଧି ସଂଗ୍ରହ ଆଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ସଫଳତାର ଶ୍ରେୟ ଅବଶ୍ୟ ନେବେ। ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା, ଏକାମ୍ର କ୍ଷେତ୍ରର ବିକାଶ କିନ୍ତୁ ବିବାଦ ଭିତରେ ଫସିଗଲା।

ଶ୍ରୀମନ୍ଦିର ପାଇଁ ନିଧି ସଂଗ୍ରହ ହେବ କି ନାହିଁ, ତାହା ଏକ ବଡ଼ ପ୍ରଶ୍ନ ଅଟେ। ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ହୁଣ୍ଡି ଆଇନ କାର୍ଯ୍ୟକାରୀ କରିଛନ୍ତି। ଯଦିଓ କେଉଁ ଯୋଜନାରେ ଟଙ୍କା ଆଦାୟ ହେବ ବା ହେବ ନାହିଁ ତାହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନ୍ତର୍ଗତ ଅଟେ, କିନ୍ତୁ ଏକଥା ସତ ଯେ ଏ ପ୍ରସଙ୍ଗ ବିଧାନସଭା ସାମ୍ନାକୁ ଅବଶ୍ୟ ଆସିବ। ଏଥିରେ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଭୂମିକା ଅଛି ନା କୌଣସି ବ୍ୟକ୍ତିବିଶେଷ କିଛି ବି ନିଷ୍ପତ୍ତି ନେଇପାରିବେ। ହେଲେ କୌଣସି ନା କୌଣସି କାରଣରୁ ଧର୍ମେନ୍ଦ୍ରଙ୍କୁ କିନ୍ତୁ ରାଜ୍ୟ ସରକାର ବିରୋଧ କରିପାରିନାହାନ୍ତି। ଏହାଦ୍ବାରା ରାଜନୈତିକ କ୍ଷେତ୍ରରେ କି ପ୍ରଭାବ ପଡ଼ି଼ବ ତାହା ଅଲଗା କଥା, କିନ୍ତୁ ଯେଉଁ ଦୁଇଟି ବଡ଼ ପ୍ରସଙ୍ଗ ସାମ୍ନାକୁ ଆସୁଛି, ତାହା ହେଲା, ବର୍ତ୍ତମାନ ପରିସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ବିକାଶ ପରିପ୍ରେକ୍ଷୀରେ ରାମ ମନ୍ଦିର ଭଳି ପାଣ୍ଠି ସଂଗ୍ରହ କରିବ କି ନାହିଁ। ଯଦି କରିବ, ତାହାର ସ୍ବରୂପ କଣ ହେବ? ସେ କ୍ଷେତ୍ରରେ ରାଜ୍ୟ ସମୁଦାୟକୁ ବିଶ୍ବାସକୁ ନ ନେଲେ ଆଗକୁ ପରିସ୍ଥିତି ବିଷମ ହୋଇପାରେ। ସରକାର ନିରବ ରହି ବିଜେପି ପାଇଁ ଯେତିକି ଲାଭ କରିଛନ୍ତି, ନିଜ ମୁଣ୍ଡକୁ ସମ ପରିମାଣରେ ସାଂଘାତିକ ବିପଦ ଟାଣି ଆଣିଛନ୍ତି। ଏକାମ୍ର କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ବିକାଶ ଯୋଜନାକୁ ଚତୁରତାର ସହିତ ବିଜେପି ବାଟବଣା କରିଦେଇଛି ଓ ଅତି ସରଳ ଭାବେ କହିଲେ, ଉଭୟ କ୍ଷେତ୍ରରେ ସରକାରଙ୍କୁ ଲକ୍ଷଚ୍ୟୁତ କରିବାରେ ସେମାନେ ସମର୍ଥ ହୋଇଛନ୍ତି।

ଗୋଟିଏ ପଟେ ଶ୍ରୀମନ୍ଦିର ଜମି ବିକ୍ରି ପ୍ରସଙ୍ଗକୁ ନେଇ ବିବଦମାନ ସ୍ଥିତି ଉପୁଜିଥିବା ବେଳେ ଅନ୍ୟପଟେ ବିଜେପିର ଏହି ଗୋଟିଚାଳନାରେ ସରକାର କଲବଲ ହେବା ଓ ଜନସମୁଦାୟର ଆକ୍ରୋଶର ଶିକାର ହେବାର ସମ୍ଭାବନାକୁ ଆଗକୁ ଏଡାଇ ଦେଇ ହେବନାହିଁ। ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ସାମାନ୍ୟ ଗୋଟିଚାଳନା ଭୁଲ କଲେ ବିବାଦ ଭିତରେ ଛନ୍ଦି ହୋଇପାରେ।

ଦ୍ବିତୀୟ ଉଦାହରଣ ହେଉଛି, ବିଜେପି ଗୋଟିଏ ପଟେ ବିକାଶ କାର୍ଡ ଖେଳି ରାଜ୍ୟ ସରକାରଙ୍କ ସହିତ ଦୌଡରେ ସାମିଲ ହୋଇଛି। କେନ୍ଦ୍ରାପଡ଼ାରେ ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ଠାରୁ ଆରମ୍ଭ କରି ପାରାଦୀପରେ ପ୍ଲାଷ୍ଟିକ୍ ଷ୍ଟିଲ୍ ପ୍ରକଳ୍ପ ଆଦି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ବେଶ୍ ରୋଚକ ସ୍ଥିତି ସୃଷ୍ଟି କରିଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି ଯେଉଁ ପ୍ରସଙ୍ଗଟି ସାମ୍ନାକୁ ଆଣିଛି, ତାହା ବିଜେପି ପାଇଁ ଅତ୍ୟନ୍ତ ମହଙ୍ଗା ହେବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

ଏକଥା ସତ ଯେ ବିଜେଡି ସାମ୍ବାଦିକ ସମ୍ମିଳନୀ କରିବାର ୨୪ ଘଣ୍ଟା ପରେ ବି ବିଜେପି ଏଯାଏ ଏହି ପ୍ରସଙ୍ଗରେ ବିଶେଷ କୌଣସି ଭୂମିକା ଗ୍ରହଣ କରିନାହିଁ, କିନ୍ତୁ ସାଧାରଣ ଲୋକଙ୍କ ପ୍ରତ୍ୟେକ୍ଷ ଲାଭ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଡ଼ିହୋଇ ରହିଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗ ଯେତେ ଅଧିକ ତଳକୁ ଯିବ, ସେତେ ବିପଜ୍ଜନକ ସ୍ଥିତି ବିଜେପି ପାଇଁ ସୃଷ୍ଟି ହେବ। ବିଜେଡିର ବିକାଶ କାର୍ଡ ନେଇ ଦ୍ବନ୍ଦ୍ବ ମଧ୍ୟ ବଢ଼ିବାରେ ଲାଗିବ। ବିଜେଡି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଦେବା ଲାଗି ତାଲିକାଭୁକ୍ତ କରିଦେଇଥିଲେ ହେଁ, କେନ୍ଦ୍ର ଦେଉନାହିଁ। ବିଜେପି ରାଜ୍ୟ ନେତାଙ୍କ ଅଭିଯୋଗ କ୍ରମେ ଏହା ଅଟକିଯାଇଛି। କେନ୍ଦ୍ର ପାତର ଅନ୍ତର କରୁଛି।

ବିଜେପିର ଗୋଟିଏ ପକ୍ଷ ଦାବି କରୁଛନ୍ତି ଯେ ଏହାଦ୍ବାରା ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସ୍ବୀକୃତି ଦେଇଛି। ଲୋକେ ଏବେ ବୁଝିବେ। ହେଲେ ରାଜନୈତିକ ମହଲର ମତ ହେଉଛି, ସମସ୍ତେ ଜାଣିଲେ ବି ଏହାର ସାମାନ୍ୟରୁ ଅତି ସାମାନ୍ୟ ପ୍ରଭାବ ବିଜେପି ସପକ୍ଷରେ ଯିବାର ନାହିଁ। କାରଣ, ଚାଉଳ ପ୍ରସଙ୍ଗ କେନ୍ଦ୍ରର ଜାଣିବା ପରେ ବି ଲୋକେ ରାଜ୍ୟ ସହିତ ଅଛନ୍ତି। ଏ କ୍ଷେତ୍ରରେ ଯେଉଁ ଦ୍ବନ୍ଦ୍ବ ରହିଛି, ତାହା ହେଲା, ହିତାଧିକାରୀ ଚିହ୍ନଟ ପ୍ରସଙ୍ଗଟି ରାଜ୍ୟ ହାତରେ ରହିଛି। ଏଣୁ ଯୋଜନା କାହାର ଜାଣିବା ଯେତେ ବଡ଼ କଥା ନୁହେଁ, ତା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଲା, କିଏ ସେମାନଙ୍କ ହାତକୁ ସରକାରୀ ସହାୟତା ପହଞ୍ଚାଇଲା। ସମାନ କାରଣରୁ ପଶ୍ଚିମବଙ୍ଗରେ ବିଜେପି ଟିଏମ୍‌ସି ମତକୁ ଦମନ କରିବା ଲାଗି ଯୁଝୁଛି ଓ ଓଡ଼ିଶାରେ ବି ଅକଳରେ ପଡ଼ିଛି। ତୃଣମୂଳସ୍ତର ପର୍ଯ୍ୟନ୍ତ ଉଭୟ ଦଳର ସଂଗଠନ ଏହି ଯୋଜନାର ଅସଲ ଲାଭ ଦେଉଛି। ବିଜେପିର ଉପସ୍ଥିତି ସେଠାରେ ନ ଥିବା କାରଣରୁ ଏହାର ଲାଭ କେନ୍ଦ୍ରୀୟ ଦଳ ହାତକୁ ଯିବା ସମ୍ଭାବନା କ୍ଷୀଣ।

ବିଧାନସଭାରେ ଧାନ ପ୍ରସଙ୍ଗ, ବିଜେପିିର ନବୀନ ନିବାସ ରଣନୀତି ଆଦି ପ୍ରସଙ୍ଗକୁ ତର୍ଜମା କଲେ ଆହୁରି ସାଂଘାତିକ ରାଜନୈତିକ ସଙ୍କେତ ମିଳୁଛି, ଯାହା ଉଭୟଙ୍କୁ କମ୍ ସଫଳତା ବରଂ ବେଶୀ ବିବାଦୀୟ କରିବା ସମ୍ଭାବନା ଅଧିକ।

Leave A Reply

Your email address will not be published.